ନଦୀରେ ଭାସିଯାଉଥିବା ଯୁବତୀଙ୍କୁ ଉଦ୍ଧାର କଲେ

ମାହାଙ୍ଗା : ନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିଲେ ଜଣେ ଯୁବତୀ। ଜୀବନ ବଞ୍ଚାଇବା ପାଇଁ ସେ ଆକୁଳ ଚିତ୍କାର କରୁଥିଲେ। ନଦୀର ଉଭୟ ପାର୍ଶ୍ୱରେ ବହୁ ଲୋକ ଏହି ଦୃଶ୍ୟ ଦେଖୁଥିଲେ। ମାତ୍ର ଭରା ନଦୀକୁ ଡେଇଁ ବୁଡ଼ି ଯାଉଥିବା ଯୁବତୀଙ୍କୁ ବଞ୍ଚାଇବାକୁ କେହି ସାହସ କରିପାରି ନ ଥିଲେ। ହେଲେ, ଜଣେ ୧୮ ବର୍ଷୀୟା ଯୁବତୀ ତାଙ୍କୁ ବଞ୍ଚାଇବା ପାଇଁ ଜୀବନକୁ ବାଜି ଲଗାଇ ଦେଇଥିଲେ। ବ୍ରାହ୍ମଣମଣିଯୋରୀ ଗ୍ରାମର ଜଗବନ୍ଧୁ ନାୟକଙ୍କ ଝିଅ ସସ୍ମିତା (ନାଲି) ଅପୂର୍ବ ସାହସିକତା ପ୍ରଦର୍ଶନ କରି ନଦୀଗର୍ଭକୁ ଡେଇଁ ଆରପଟେ ଭାସି ଯାଉଥିବା ଯୁବତୀଙ୍କ ଜୀବନ ବଞ୍ଚାଇଥିଲେ। ଏବେ ସାହସୀ ସସ୍ମିତାଙ୍କ ପ୍ରଶଂସାରେ ଅଞ୍ଚଳବାସୀ ଶତମୁଖ ହୋଇଉଠିଛନ୍ତି।

ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଘର ନିକଟ ଗୋବରୀ ନଦୀରେ ଗାଧୋଉଥିଲେ ମାହାଙ୍ଗା ବ୍ଲକ୍‌ ମାଟିପାରିଲୋ ଗ୍ରାମର ସୁବାସ ମଳିକଙ୍କ ଝିଅ ଶ୍ରଦ୍ଧାଞ୍ଜଳି (୨୩)। ହଠାତ୍‌ ଗୋଡ଼ ଖସି ଯିବାରୁ ସେ ନଦୀର ଗଭୀର ପାଣିକୁ ଚାଲିଯାଇ ସ୍ରୋତରେ ବୁଡ଼ିବାକୁ ଲାଗିଥିଲେ। ଜୀବନ ବଞ୍ଚାଇବା ପାଇଁ ସେ ଚିତ୍କାର କରୁଥିଲେ ମଧ୍ୟ ନଦୀପାର୍ଶ୍ୱରେ ଛିଡ଼ା ହୋଇଥିବା ଲୋକେ ନିରବଦ୍ରଷ୍ଟା ସାଜିଥିଲେ। ଇତିମଧ୍ୟରେ ଶ୍ରଦ୍ଧାଞ୍ଜଳି ନଦୀରେ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଭାସି ଆସିଥିଲେ। ଏତିକି ବେଳେ ନଦୀର ଅପରପାର୍ଶ୍ୱରେ ଛିଡ଼ା ହୋଇଥିବା ବ୍ରାହ୍ମଣମଣିଯୋରୀ ଗ୍ରାମର ସସ୍ମିତା ଏହି ଘଟଣା ଦେଖି ତତ୍‌କ୍ଷଣାତ୍‌ ନଦୀଗର୍ଭକୁ ଡେଇଁ ପଡ଼ିଥିଲେ। ସେ ପହଁରି ପହଁରି ଆରପଟକୁ ଯାଇ ବ୍ରାହ୍ମଣମଣିଯୋରୀ ସ୍କୁଲ ପୋଲ ନିକଟରେ ବୁଡ଼ି ଯାଉଥିବା ଯୁବତୀଙ୍କୁ ଉଦ୍ଧାର କରିଥିଲେ। ସସ୍ମିତାଙ୍କ ଅପୂର୍ବ ସାହସିକ କାର୍ଯ୍ୟ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କୁ ସାହସିକତା ପୁରସ୍କାର ପ୍ରଦାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର