ଝିଅ ବି କିଛି କମ୍‌ ନୁହେଁ… : ଜୀବନ ଯୁଦ୍ଧର ଏକାକୀ ନାୟିକା ପାର୍ବତୀ

ଘରକୁ ଖଜଣା ମୁକ୍ତ କରିବାକୁ ବିକୁଛନ୍ତି ଖବରକାଗଜ, ପର ଘରେ କଟୁଛି ସଂଘ‌ର୍ଷରତ ଜୀବନ

ରାୟଗଡ଼ା : ବାପା, ମା’ ଆରପାରିରେ। ଆର୍ଥିକ ଅନଟନ ଯୋଗୁଁ ପାଠପଢ଼ାରେ ପଡ଼ିଛି ଡୋରି। ପୈତୃକ ସଂପତ୍ତିର ଶେଷ ସନ୍ତକ ବାବଦକୁ ଥିବା ଘର ବି ଜରାଜୀର୍ଣ୍ଣ ଅବସ୍ଥାରେ। ବକେୟା ଖଜଣା ଶୁଝିବା ଆଶାରେ ଜରାଜୀର୍ଣ୍ଣ ଘରକୁ ସଜାଡ଼ି ପାରୁନାହାନ୍ତି। ତେଣୁ ପର ଘରେ ବିତୁଛି ଦିନ। ଘରକୁ ଖଜଣା ମୁକ୍ତ କରିବା ସହ ପେଟକୁ ଦି ମୁଠା ଦାନା ଯୋଗାଡ଼ ପାଇଁ ସକାଳେ ଖବରକାଗଜ ବିକୁଛନ୍ତି, ଆଉ ତା’ପରେ କାମ କରୁଛନ୍ତି ଚା’ ଦୋକାନରେ। ଜୀବନ ଯୁଦ୍ଧର ଏପରି ଜଣେ ଏକାକୀ ଯୋଦ୍ଧା ହେଉଛନ୍ତି ଗୁଣପୁରର ମାଲିପିଦି ପାର୍ବତୀ। ଯୁଦ୍ଧରେ ହାର ମାନିନଥିବା ପାର୍ବତୀ ପିତାଙ୍କ ଋଣ ଶୁଝିବାକୁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି।

ପାର୍ବତୀଙ୍କ ବୟସ ମାତ୍ର ୨୫ ବର୍ଷ। ରୋଗଶଯ୍ୟାରେ ପଡ଼ି ଚିକିତ୍ସା ଅଭାବରୁ ୨୦୦୫ ମସିହାରେ ବାପା ମାଲିପିଦି ରାମମୂର୍ତ୍ତି ଆରପାରିକୁ ଚାଲିଗଲେ। ବାପାଙ୍କ ମୃତ୍ୟୁ ପରେ ଶୈଶବରେ କଅଁଳ କାନ୍ଧରେ ପରିବାରର ବୋଝ ମୁଣ୍ଡାଇଥିଲେ ପାର୍ବତୀ। ଷଷ୍ଠ ଶ୍ରେଣୀ ପରେ ପାଠପଢ଼ାରେ ଡୋରି ବାନ୍ଧିବା ସହ ମା’ ମାଲିପିଦି ସୁରେଖାଙ୍କୁ ଘର ଚଳାଇବାରେ ସାହାଯ୍ୟ କରିବା ଆରମ୍ଭ କରିଥିଲେ। ଝାଟିମାଟି ଘର ଖଣ୍ଡିକ ଛାଡ଼ିଲେ ପୈତୃକ ସଂପତ୍ତି ବାବଦକୁ ଆଉ କିଛି ନଥିବାରୁ ବାହାରେ କାମ କରି ଚଳୁଥିଲେ ସୁରେଖା ଓ ପାର୍ବତୀ। ପିଲାଟି ଦିନରୁ ଦୁଃଖ, ଅଭାବ ଚିର ସହଚର ପାଲଟିଥିବାରୁ ଆଖି ଲୁହକୁ ଓଠରେ ପିଇ ଉଭୟଙ୍କ ଦିନ କଟୁଥିଲା। ତଥାପି ଏତିକିରେ ସରିନଥିଲା ଦୁଃଖ। ସୁରେଖା ୨୦୧୪ ମସିହାରେ ଅଜଣା ରୋଗରେ ଆକ୍ରାନ୍ତ ହେଲେ। ଆର୍ଥିକ ଅନଟନ ଯୋଗୁଁ ଉପଯୁକ୍ତ ଚିକିତ୍ସା ହୋଇପାରି ନଥିଲା। ଯାହାଫ‌ଳରେ ୩ବର୍ଷ ଧରି ରୋଗଶଯ୍ୟାରେ ପଡ଼ି ରହିଲେ। ଶେଷରେ ୨୦୧୭ ମସିହାରେ ସୁରେଖା ମଧ୍ୟ ପାର୍ବତୀକୁ ଏକା କରି ସବୁ ଦିନ ପାଇଁ ଆଖି ବୁଜିଥିଲେ। ମା’ର ମୃତ୍ୟୁ ପରେ ସଂପୂର୍ଣ୍ଣ ଏକୁଟିଆ ହୋଇଯାଇଥିବା ପାର୍ବତୀ କିଛି ଦିନ ପାଇଁ ଚାଲକମ୍ବା ସ୍ଥିତ ଅଜାଙ୍କ ଘରେ ରହିଲେ। ଏହାର ସୁଯୋଗ ନେଇ କିଛି ସଂପର୍କୀୟ ତାଙ୍କ ଝାଟିମାଟିର ଘରକୁ ହାତେଇ ନେବାକୁ ଚକ୍ରାନ୍ତ କଲେ। ଏମିତି ସ୍ଥିତିରେ ପାର୍ବତୀ ଅଜାଙ୍କ ଘର ଛାଡ଼ିବାକୁ ବାଧ୍ୟ ହେଲେ। ନିଜ ଗୋଡ଼ରେ ଠିଆ ହେବା ପାଇଁ ଚେଷ୍ଟା କ‌ଲେ। ପିଲାଦିନର ସାଥୀ ଗୁଣପୁର କୁମ୍ଭାରସାହିର ନନ୍ଦିନୀଙ୍କ ଘରେ ରହି ଆପଣାଇ ନେଇଥିଲେ ଖବରକାଗଜ ବିତରଣ ବୃତ୍ତିକୁ।

ଝିଅଟିଏ ହୋଇ ମଧ୍ୟ ଖରା, ବର୍ଷା, ଶୀତକୁ ଖାତିର ନ କରି ଏହି ବୃତ୍ତିକୁ ଓହ୍ଲାଇଥିଲେ ପାର୍ବତୀ। ‘ସମ୍ବାଦ’ର ଗୁଣପୁର ଏଜେଣ୍ଟ୍ ଜି. ସୁନ୍ଦର ରାଓଙ୍କ ପାଖରେ କାମ ଆରମ୍ଭ କଲେ। ସକାଳେ ୩ ଘଣ୍ଟା ପରିଶ୍ରମ କରି ଡାକ୍ତରଖାନା ଲାଇନ୍, ଏସପିଗୁଡ଼ା ସମେତ ସହରର ଅନ୍ୟ କିଛି ଅଞ୍ଚଳରେ ପାର୍ବତୀ ୨୦୦ଖଣ୍ଡ କାଗଜ ବିକ୍ରି କରୁଛନ୍ତି। ଦୈନିକ ୩ ଘଣ୍ଟାର ପାରିଶ୍ରମିକ ବାବଦକୁ ମାସିକ ୩ ହଜାର ଟଙ୍କା ପାଉଥିବା ପାର୍ବତୀ ଦିନରେ ଏକ ଚା’ ଦୋକାନରେ କାମ କରି ରୋଜଗାରକୁ ଦ୍ବିଗୁଣା କରିଛନ୍ତି। ଏକମାତ୍ର ଲକ୍ଷ୍ୟ ପୌରାଞ୍ଚଳରେ ଥିବା ବାପା, ମା’ଙ୍କ ସ୍ବପ୍ନର ଘରକୁ ଖଜଣା ମୁକ୍ତ କରିବାକୁ। ଦୀର୍ଘ ବର୍ଷ ହେଲା ଖଜଣା ବନ୍ଧା ଯାଇନଥିବାରୁ ବକେୟା ଏବେ ୨୦ହଜାର ଟଙ୍କାରେ ପହଞ୍ଚିଲାଣି। ଏତେ ଟଙ୍କା ଏକାଥରକେ ପୈଠ କରିବାକୁ ପାର୍ବତୀ ସକ୍ଷମ ନ ଥିବାରୁ ସଂଘର୍ଷ ଜାରି ରଖିଛନ୍ତି। ଖଜଣା ବକେୟା ରହିଥିବାରୁ ଘରର ପଟ୍ଟା ମଧ୍ୟ ହୋଇପାରୁନି। ଯାହାଫଳରେ ଝାଟିମାଟିର ଘର ମରାମତି ଅଭାବରୁ ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ତେବେ ଯେ କୌଣସି ମତେ ବକେୟା ଖଜଣା ଶୁଝି ଘରକୁ ମରାମତି କରିବାକୁ ଇଚ୍ଛା ରଖିଥିବା ପାର୍ବତୀ ନିଜ ରୋଜଗାର ଅର୍ଥରେ ବକେୟା ଶୁଝିବା ଏବଂ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଘରକୁ ମରାମତି କରି ଶାନ୍ତିରେ ନିଶ୍ବାସ ମାରିବାକୁ ପଣ କରିଛନ୍ତି।

ସମ୍ବନ୍ଧିତ ଖବର