ଆଶ୍ରମ ସ୍କୁଲ୍‌ର ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

କୁଚିଣ୍ଡା: କୁଚିଣ୍ଡା ଥାନା ଅଂଚଳରେ ଥିବା ଏକ ଆଶ୍ରମ ସ୍କୁଲ୍‌ରେ ରହି ଦଶମ ଶ୍ରେଣୀରେ ପଡୁଥିବା ଜନୈକା ଦଳିତ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ଏ ନେଇ ଜଣାପଡ଼ିବା ପରେ ସ୍କୁଲ୍‌ ପକ୍ଷରୁ ମଙ୍ଗଳବାର ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ପରେ ପୁଲିସ୍‌ ଥାନା କେସ୍‌ ନଂ. ୨୪୪, ଆଇପିସିର ଧାରା ୩୭୬ ତଥା ପୋକ୍‌ସୋ ଆଇନ ୨ ଓ ୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନାଞ୍ଚଳର ଉକ୍ତ ନାବାଳିକା ଜଣକ କୁଚିଣ୍ଡା ଅଂଚଳର ଆଶ୍ରମ ସ୍କୁଲ୍‌ରେ ରହି ଦଶମ ଶ୍ରେଣୀରେ ପଢୁଛନ୍ତି। ତେବେ ଗତ ଦୁଇ ମାସ ଧରି ତାଙ୍କ ମାସିକ ଋତୁଚକ୍ରରେ ଅସଂଗତି ଦେଖା ଦେବାରୁ ହଷ୍ଟେଲ୍‌ର ମେଟ୍ରନ୍‌ ତାଙ୍କୁ ନେଇ ଡାକ୍ତରୀ ପରୀକ୍ଷା କରାଇବା ପରେ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏ ନେଇ ମେଟ୍ରନ୍‌ ପ୍ରଧାନ ଶିକ୍ଷକଙ୍କୁ ଅବଗତ କରିବା ପରେ ସ୍କୁଲ୍‌ କର୍ତ୍ତୃପକ୍ଷ ମଙ୍ଗଳବାର ଉପଖଣ୍ଡ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜଣାଇଥିଲେ। ଫଳରେ ଏ ସଂପର୍କରେ ଥାନାରେ ଏତଲା ଦେବାକୁ ଜିଲ୍ଲା ମଙ୍ଗଳ ଅଧିକାରୀ ନିର୍ଦ୍ଦେଶ ଦେବା ପରେ ରାତି ପ୍ରାୟ ୧୦ଟା ବେଳେ ସ୍କୁଲ୍‌ର ଶିକ୍ଷକ କୁଚିଣ୍ଡା ଥାନାରେ ଏତଲା ଦେଇଥିଲେ।
ପୁଲିସ୍‌ ବୁଧବାର ସଂପୃକ୍ତା ଛାତ୍ରୀଙ୍କୁ ଡାକରୀ ମାଇନା କରାଇବା ସହ ଥାନାରେ ପଚାରି ବୁଝିଥିଲେ। ତେବେ ଛାତ୍ରୀଙ୍କ କହିବାନୁସାରେ ଗତ ଗ୍ରୀଷ୍ମ ଛୁଟିରେ ଜଣେ ସଂପର୍କୀୟଙ୍କ ବାହାଘର ଉତ୍ସବରେ ଯୋଗ ଦେବାକୁ ମାମୁ ଘରକୁ ଯାଇଥିବା ବେଳେ ସେଠାରେ ବାମରା ବ୍ଲକ୍‌ ଗରପୋଷ ଅଞ୍ଚଳର ଗୁରୁ ମହାନନ୍ଦ (୨୨) ସହ ତାଙ୍କର ପରିଚୟ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିବା ବେଳେ ଦିନେ ରାତିରେ ପରିବାର ଲୋକଙ୍କ ଅନୁପସ୍ଥିତିରେ ଗୁରୁ ହଠାତ୍‌ ଘରେ ପହଞ୍ଚି ଅନିଚ୍ଛା ସତ୍ତ୍ୱେ ପାନୀୟରେ ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରିଥିଲା। ଫଳରେ ସେ ଗର୍ଭବତୀ ହୋଇଥିବା ଛାତ୍ରୀ ଜଣକ କହିଛନ୍ତି। ଛାତ୍ରୀଙ୍କଠାରୁ ସୂଚନା ପାଇବା ପରେ ପୁଲିସ୍‌ର ଏକ ଦଳ ଅଭିଯୁକ୍ତକୁ ଗିରଫ କରିବା ପାଇଁ ତା’ ଗାଁକୁ ଯାଇଥିଲା। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଗିରଫ କରାଯାଇ ପାରି ନାହିଁ। ଛାତ୍ରୀ ଜଣକ ନାବାଳିକା ହୋଇଥିବାରୁ ତାଙ୍କୁ ଗୁରୁବାର ସମ୍ବଲପୁର ପଠାଯିବ ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର