କଳାହାଣ୍ଡିରେ ପୁଣି ଲଜ୍ଜା : ଜଙ୍ଗଲରେ ଛାତ୍ରୀଙ୍କୁ ଦୁଷ୍କର୍ମ, ଭିଡିଓ ଭାଇରାଲ

ଜୁନାଗଡ଼/ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଜୁନାଗଡ଼ ଥାନା ଅନ୍ତର୍ଗତ ଘନା ସଂରକ୍ଷିତ ଜଙ୍ଗଲରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ସହ ଏହାର ଭିଡିଓ ଭାଇରାଲ କରାଯାଇଛି। ପୀଡ଼ିତା ଘଟଣା ସଂପର୍କରେ ଜୁନାଗଡ଼ ଥାନାରେ ଏତଲା ଦେବା ପରେ ପୁଲିସ ତନାଘନା ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ୍‌ ସହିତ କଳାହାଣ୍ଡି ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି। ଏହି ଘଟଣାରେ ଜଣେ ବସ୍‌ ଚାଳକଙ୍କୁ ପୁଲିସ ଅଟକ ରଖି ଜେରା କରୁଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୪ ତାରିଖ ଦିନ କଳାହାଣ୍ଡି ଜିଲ୍ଲାର ଜଣେ ଏଏନ୍‌ଏମ୍‌ ଛାତ୍ରୀ ଭବାନୀପାଟଣା ସହରକୁ ଆସିଥିଲେ। ଫେରିଲାବେଳେ ବସ୍‌ ଫେଲ୍‌ ହୋଇଥିଲେ। ବିଳମ୍ବ ହୋଇଥିବା ଯୋଗୁଁ ବସଷ୍ଟାଣ୍ଡରେ ଘରକୁ ଯିବା ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ପର୍ଲା ଗ୍ରାମର ଜଣେ ବସ ଡ୍ରାଇଭର ନରେନ୍ଦ୍ର ଶବର(୩୫) ନିଜ ଗାଁକୁ ଫେରୁଥିଲେ। ଛାତ୍ରୀ ଜଣକ ନରେନ୍ଦ୍ର ଚଳାଉଥିବା ସୁଭଦ୍ରା ଘରୋଇ ବସ୍‌ରେ ନିୟମିତ ଯିବାଆସିବା କରୁଥିବାରୁ ଚିହ୍ନା ଥିଲେ। ଛାତ୍ରୀ ଜଣଙ୍କୁ ନରେନ୍ଦ୍ର ବାଇକ୍‌ରେ ଲିଫ୍‌ଟ ଦେଇଥିଲେ। ଦୁହେଁ ବାଇକରେ ଜୁନାଗଡ଼ ଅଭିମୁଖେ ଆସୁଥିଲେ। ବାଟରେ ଡ୍ରାଇଭରଙ୍କୁ ବାରମ୍ବାର ଫୋନ୍‌ ଆସୁଥିବା ଛାତ୍ରୀ ଜଣଙ୍କ ସୂଚନା ଦେଇଛନ୍ତି। ଅପରାହ୍ନ ପ୍ରାୟ ୧ଟା ୪୫ ମିନିଟରେ ଜାତୀୟ ରାଜପଥ ୨୬ ବକ୍ସିତୁଲସୀପାଲି ଛକ ନିକଟରେ ପ୍ରାୟ ୬ରୁ ୭ ଜଣ ବାଇକ୍‌ ଆରୋହୀ ସେମାନଙ୍କୁ ଅଟକାଇଥିଲେ। ବାଇକ୍‌ ଅଟକିବା ପରେ ଛାତ୍ରୀ ଜଣଙ୍କୁ ମୁହଁରେ କପଡ଼ା ଦେଇ ନିକଟସ୍ଥ ଘନା ସଂରକ୍ଷିତ ଜଙ୍ଗଲକୁ ‌ଉଠାଇ ନେଇଥିଲେ। ଡ୍ରାଇଭର ଜଣକ ସେମାନଙ୍କ ପିଛା କରିଥିଲେ। ଜଙ୍ଗଲରେ ଡ୍ରାଇଭର ଓ ଛାତ୍ରୀ ଜଣଙ୍କୁ ଛୁରି ଦେଖାଇ ଭୟଭୀତ କରିଥିଲେ। ପରେ ଜଣେ ପରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହିତ ମୋବାଇଲରେ ଏହାର ଭିଡିଓ ସୁଟିଂ କରିଥିଲେ। ଲୋକଲଜ୍ଜା ଆଶଙ୍କାରେ ପୁଲିସରେ ଏହି ଘଟଣାର ଏତଲା ଦେବାକୁ ଡ୍ରାଇଭର ମନା କରିଥିଲେ। ମାତ୍ର ଦୁଷ୍କର୍ମକାରୀମାନେ ଏହି ଘଟଣାର ଭିଡିଓ ଭାଇରାଲ କରି ଦେଇଥିଲେ। ଏହା ଜାଣିବା ପରେ ପୀଡ଼ିତା ଜଣକ ରବିବାର ରାତିରେ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ପ୍ରଭାତ ସେଠୀ ୨୩ ତାରିଖ ‌ଭୋର୍‌ ୩ଟା ୫୦ ମିନିଟରେ ‌ଜୁନାଗଡ଼ ଥାନା କେସ ନଂ ୨୨୪/୧୯ରେ ଏକ ମାମଲା ରୁଜୁ କରିଛନ୍ତି। ସୋମବାର ସକାଳେ ସାଇଣ୍ଟିଫିକ ଟିମ୍‌ ସହିତ କଳାହାଣ୍ଡି ଏସପି ବି. ଗଙ୍ଗାଧର ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏହାପରେ ବସ୍‌ ଡ୍ରାଇଭର ନରେନ୍ଦ୍ର ଶବରଙ୍କୁ ପୁଲିସ ଘଟଣାସ୍ଥଳକୁ ନେଇ ତଦନ୍ତ ଆରମ୍ଭ କରିଛି। ୩ଟି ପୁଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛନ୍ତି। ଏ ସଂପର୍କରେ ଏସ୍‌ପିଙ୍କୁ ପଚାରିବାରୁ ଏହାର ତଦନ୍ତ ଜାରି ରହିଛି ଓ ଘଟଣାରେ ଅଧିକ ତଥ୍ୟ ଆସିଲେ କହିବେ ‌ବୋଲି ସେ ପ୍ରକାଶ କରିଥିଲେ। ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଗଣଦୁଷ୍କର୍ମ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର