କୂଅରୁ ୨ ବର୍ଷର ଶିଶୁକୁ ଉଦ୍ଧାର କଲେ ଛାତ୍ରୀ

ବୀରମିତ୍ରପୁର : ‘ରଖେ ହରି ମାରେ କିଏ’ ଉକ୍ତିର ଯଥାର୍ଥତା ଆଜି ନୂଆଗାଁ ବ୍ଲକ ଅଂଚଳରେ ଦେଖିବାକୁ ମିଳିଛି। ଏକ ଗଭୀର କୂଅରେ ଜଣେ ୨ ବର୍ଷର ଶିଶୁ ପଡ଼ି ଯାଇ ଆଶ୍ଚର୍ଯ୍ୟଜନକ ଭାବେ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଛି। ନୂଆଗାଁ ଉପର ବସ୍ତିରେ କାର୍ଲୁସ୍‌ ସାମାଦଙ୍କ ଘରେ ଭଡ଼ାରେ ରହନ୍ତି ଅନିତା ଡାଙ୍ଗ। ଗତକାଲି ଅପରାହ୍ନରେ ଅନିତାଙ୍କ ଶିଶୁ ପୁତ୍ର ଏରିଙ୍ଗ ଡାଙ୍ଗ(୨) ଖେଳୁ ଖେଳୁ ଘର ଅଗଣାରେ ଥିବା ପ୍ରାୟ ୫୦ ଫୁଟ୍‌ ଗଭୀର ରିଙ୍ଗ କୂଅ ଭିତରେ ଖସି ପଡ଼ିଥିଲା। ଏହା ଦେଖି ପଡ଼ୋଶୀ ଶାନ୍ତି ବୁଡ଼ (୧୭) ତୁରନ୍ତ କୂଅ ଭିତରକୁ ଡେଇଁ ଶିଶୁଟିକୁ ଉଦ୍ଧାର କରିଥିଲେ। ମାତ୍ର କୂଅଟି ଅତି ଅଣଓସାରିଆ ହୋଇଥିବାରୁ ସେ ଉପରକୁ ଉଠି ନ ପାରି ଗୋଟିଏ ହାତରେ ଶିଶୁକୁ ଧରିବା ସହ ଅନ୍ୟ ଏକ ହାତରେ ପାଣି ପମ୍ପର ପାଇପ୍‌କୁ ଧରି କିଛି ସମୟ କୂଅ ଭିତରେ ରହିଥିଲେ। ପରେ ଗାଁ ଲୋକେ ଏକାଠି ହୋଇ ଦଉଡ଼ି ପକାଇ ଉଭୟଙ୍କୁ ଗଭୀର କୂଅରୁ ଉଦ୍ଧାର କରିଥିଲେ। ଅନ୍ୟ ପକ୍ଷରେ ଶାନ୍ତି ବୁଡ଼ଙ୍କ ସାହସିକତା ପାଇଁ ଶିଶୁଟି ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବାରୁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର