ପୈତୃକ ବାସଭବନ ‘ଆନନ୍ଦ ଭବନ’କୁ ବୁଲି ଦେଖିଲେ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟା ! 

କଟକ : କଟକ ଆନନ୍ଦ ଭବନରେ ପହଁଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟା। ଆସନ୍ତା ୧୭ ତାରିଖରେ ବିଜୁ ବାବୁଙ୍କ ସ୍ମୃତିରେ ଆନନ୍ଦ ଭବନକୁ ସଂଗ୍ରହାଳୟ ଭାବେ ଉଦଘାଟନ କରିବେ ରାଷ୍ଟ୍ରପତି। ଆଉ ତାପୂର୍ବରୁ ଆଜି ପୈତୃକ ବାସଭବନ ବୁଲି ଦେଖିଲେ ଗୀତା ଏବଂ ମନେ ପକାଇଥିଲେ କିଭଳି ସେହିଘରେ କଟିଥିଲା ତାଙ୍କର ପିଲାଦିନ।

ଆସନ୍ତା ୧୭ ତାରିଖ ଦିନ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତିକୁ ନେଇ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ଉଦଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହା ପୂର୍ବରୁ ସଂଗ୍ରହାଳୟର ପ୍ରସ୍ତୁତିକୁ ବୁଲି ଦେଖିଲେ ଗୀତା। ତେବେ ଆନନ୍ଦ ଭବନରେ ପହଁଚିବା ପରେ ଭାବୁକ ହୋଇ ଉଠିଥିଲେ ବିଜୁବାବୁଙ୍କ ଝିଅ। ଦୀର୍ଘ ଦିନ ପରେ ଏହି ଘରକୁ ଦେଖୁଥିବାରୁ ଛୋଟ ବେଳର କଥା ମନେ ପଡିଯାଇଥିଲା। କାରଣ ବାପା ବିଜୁ ପଟ୍ଟନାୟକ, ମାଆ ଜ୍ଞାନ ପଟ୍ଟନାୟକ, ବଡ଼ ଭାଇ ପ୍ରେମ ପଟ୍ଟନାୟକ, ସାନ ଭାଇ ନବୀନ ପଟ୍ଟନାୟକଙ୍କ ସହ ଏଠାରେ ତାଙ୍କର ପିଲାଦିନ କଟିଥିଲା।

ବିଜୁବାବୁଙ୍କ ଆଦ୍ୟ ଜୀବନ ଓ କର୍ମମୟ ଜୀବନର ଅନେକ ସମୟ କଟିଥିଲା ଏହି ଆନନ୍ଦ ଭବନରେ। ବିଜୁବାବୁଙ୍କ ଜୀବନର ଅନେକ କାହାଣୀ ଯୋଡି ହୋଇ ରହିଛି ଏଠାରେ। ଏହିସବୁ ସ୍ମୃତିରାଜିକୁ ନେଇ ଏଠାରେ ହେବାକୁ ଯାଉଛି ସଂଗ୍ରହାଳୟ। ଏହା ସହ ଏକ ପାଠାଗାର ମଧ୍ୟ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଏହାର ଶୁଭ ଉଦଘାଟନ କରିବେ ରାଷ୍ଟ୍ରପତି। ଏବେ ଓଡ଼ିଶାର ଏକ ଦର୍ଶନୀୟ ସ୍ଥାନ ହେବାକୁ ଯାଉଛି ଆନନ୍ଦ ଭବନ।

ସମ୍ବନ୍ଧିତ ଖବର