କେନ୍ଦୁଝର ଜିଲ୍ଲା ତେଲକୋଇ ବଜାରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର : ରାସ୍ତା କଡ଼ରେ ରୋଗୀଙ୍କୁ ସାଲାଇନ

କେନ୍ଦୁଝର : ରାସ୍ତା କଡ଼ ଦୋକାନ ବାରଣ୍ଡାରେ ରୋଗୀଙ୍କୁ ଦିଆଯାଉଛି ସାଲାଇନ। ଦୋକାନ ସଟରରେ ଟଙ୍ଗାଯାଇଥିବା ଆମ୍ବପତ୍ର ତୋରଣ ଦଉଡ଼ିରେ ଝୁଲାଇ ଦିଆଯାଇଛି ସାଲାଇନ ବୋତଲ। ତଳେ ପଡ଼ିଥିବା ବେଞ୍ଚ୍‌ ଉପରେ ଶୋଇଛନ୍ତି ରୋଗୀ। ପାଖରେ ସଂପର୍କୀୟ। ଏମିତି ଚାଲିଛି ରୋଗୀ ଚିକିତ୍ସା। କେନ୍ଦୁଝର ଜିଲ୍ଲା ତେଲକୋଇ ବଜାରରେ ସ୍ବାସ୍ଥ୍ୟସେବାର ଏଭଳି ବିକଳ ଚିତ୍ର ସାମନାକୁ ଆସିଛି।

ଗତ ଗୁରୁବାର ଦିନ କମଳାଙ୍ଗ ଗ୍ରାମର ନବ ମୁଣ୍ଡା ଅସୁସ୍ଥ ଥିବାରୁ ତେଲକୋଇ ଆସିଥିଲେ। ଡାକ୍ତରଖାନାରେ ଡାକ୍ତର ନ ଥିବାରୁ ଚିକିତ୍ସା ହୋଇପାରି ନଥିଲେ। ଶେଷରେ ସେ ନିକଟସ୍ଥ ଜଣେ ବ୍ୟକ୍ତିଙ୍କ ଦୋକାନରୁ ଔଷଧ ନେଇଥିଲେ। ସଂପୃକ୍ତ ଦୋକାନୀ (କ୍ବାକ୍‌) ତାଙ୍କୁ ରାସ୍ତା କଡ଼ ଦୋକାନ ପିଣ୍ଡାରେ ଶୁଆଇ ସାଲାଇନ ଲଗାଇ ଦେଇଥିଲେ। ଦୀର୍ଘ ସମୟ ଧରି ଏଭଳି ଚିକିତ୍ସା ଚାଲିଥିଲା। ଖାଲି ନବ ମୁଣ୍ଡା ନୁହନ୍ତି, ବରଂ ତେଲକୋଇର ଏହା ଏକ ସବୁଦିନିଆ କଥା। ଡାକ୍ତରଖାନାରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଅଭାବରୁ ଗ୍ରାମାଞ୍ଚଳରୁ ଆସୁଥିବା ଗରିବ ରୋଗୀମାନେ ବିଭିନ୍ନ ମେଡିସିନ ଷ୍ଟୋର‌ରେ ଅନଭିଜ୍ଞ ବ୍ୟକ୍ତିଙ୍କ ହାତରେ ଚିକିତ୍ସିତ ହୋଇ ଫେରୁଥିବା ଅଭିଯୋଗ ହେଉଛି। ଚିକିତ୍ସା କରୁଥିବା ବ୍ୟକ୍ତିଙ୍କୁ ଏ ବିଷୟରେ ସ୍ଥାନୀୟ ଲୋକେ ପଚାରିବାରୁ ସେ ଓଲଟା ଧମକଚମକ ଦେଇଥିଲେ।

ସମ୍ବନ୍ଧିତ ଖବର