ବିକି ଦେଲେ ଦେବୋତ୍ତର ସଂପତ୍ତି

କୋର୍ଟଙ୍କ ଦ୍ଵାରସ୍ଥ ହେଲେ ମାର୍ଫତଦାର

ଅମିତ୍‌ ଶାହା, ଜଗନ୍ନାଥ ସାମଲ ଓ ସୁଦର୍ଶନ ଗୋଏଲଙ୍କ ନାମରେ ସମନ

ଯାଜପୁର : ୬୨ ଲକ୍ଷ ଟଙ୍କାରେ ବିକିଦେଲେ ଦେବୋତ୍ତର ସଂପତ୍ତି। ସମ୍ପତ୍ତିର ମାର୍ଫତଦାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏବେ ଏହାକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଯାଜପୁର ବିଜେପି ନେତା ଜଗନ୍ନାଥ ସାମଲ ଓ ଶ୍ରୀ ଶାହଙ୍କ ପ୍ରତିନିଧି ସୁଦର୍ଶନ ଗୋଏଲଙ୍କ ନାମରେ ଯାଜପୁରରୋଡ଼ ସିଭିଲ୍‌ ଜଜ୍‌ ସିନିୟର୍‌ ଡ଼ିଭିଜନ ଗତ ୨୯ତାରିଖରେ ସମନ ଜାରି କରିଛନ୍ତି।

ପ୍ରକାଶ ଥାଉକି ବ୍ୟାସନଗର ତହସିଲ ଅନ୍ତର୍ଗତ ମଣିପୁର ମୌଜାର ପାଣିକୋଇଲି ନିକଟ ଜାତୀୟ ରାଜପଥ କଡ଼ରେ ଥିବା ଗୌରାଙ୍ଗ ମହାପ୍ରଭୁଙ୍କ ନାମରେ ୩.୫୪ଏକର ବହୁ ମୂଲ୍ୟବାନ ଜମିକୁ କିଣାବିକାକୁ ନେଇ ବିବାଦ ଘନେଇଛି। ଏହି ଜମି ବିଭିନ୍ନ ସମୟରେ ହସ୍ତାନ୍ତର ହୋଇଚାଲିଥିବା ବେଳେ ଏହି ଦେବୋତ୍ତର ସଂପତ୍ତିର ମାର୍ଫତଦାର କୁନ୍ତଳା ଦାଶ କରିଥିବା କେସ୍‌ ଏବେ ଭିନ୍ନ ମୋଡ଼ ନେଇଛି। ଏହି ଜମି ମଧ୍ୟରୁ ଓଏଫଏସ୍‌ସି ନିଲାମ ନେଇଥିବା ବିଜେପି ନେତା ଜଗନ୍ନାଥ ସାମଲ ଗତ ଜାନୁଆରି ମାସ ୨୯ତାରିଖରେ ୬୨ଲକ୍ଷ ଟଙ୍କା ବିନିମୟରେ ୯୩ ଡ଼ିସିିମିଲ୍‌ ଜମି ବିଜେପିଙ୍କୁ ବିକ୍ରୟ କରିଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପାୱାର ଅଫ୍‌ ଆଟର୍ନି ପାଇଥିବା ସୁଦର୍ଶନ ଗୋଏଲଙ୍କୁ ଶ୍ରୀ ସାମଲ ବିକ୍ରି କରିଛନ୍ତି। ଏହି ଜମିକୁ ନେଇ କୋର୍ଟରେ କେସ୍‌ ଚାଲିଥିବା ବେଳେ ଜମି ବିକ୍ରି ହୋଇଥିବା ନେଇ କୁନ୍ତଳା ଦାଶ ଯାଜପୁରରୋଡ଼ କୋର୍ଟର ନୋଟିସ୍‌କୁ ଆଣିଥିଲେ। ମାନ୍ୟବର କୋର୍ଟ ଶ୍ରୀମତୀ ଦାଶଙ୍କ ପ୍ରାର୍ଥନାକୁ ବିଚାରକୁ ନେଇ ଗତ ୨୯ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହ, ଶ୍ରୀ ଗୋଏଲ ଓ ଶ୍ରୀ ସାମଲଙ୍କ ନାମରେ ସମନ ଜାରି କରିଛନ୍ତି ବୋଲି ଆଇନ୍‌ଜୀବୀ ନାରାୟଣ ପତି କହିଛନ୍ତି।

ଗୌରାଙ୍ଗ ମହାପ୍ରଭୁଙ୍କ ନାମରେ ଥିବା ଏହି ଦେବୋତ୍ତର ଜମିରେ ଏବେ ମଧ୍ୟ ମନ୍ଦିରରେ ତ୍ରିମୂର୍ତ୍ତିି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରଙ୍କୁ ଶ୍ରୀମତୀ ଦାଶଙ୍କ ପରିବାର ପୂଜାର୍ଚ୍ଚନା କରୁଛନ୍ତି।

ସମ୍ବନ୍ଧିତ ଖବର