ଐତିହାସିକ ସ୍ଥାନକୁ ସର୍ବନିମ୍ନ ଭିତ୍ତିଭୂମି ‌ଯୋଗାଇ ଦିଆଯାଉ : ଗୋହିରାଟିକିରୀର ବିକାଶ ପାଇଁ ଦାବି

ଭୁବନେଶ୍ବର : ବିଧାନସଭାର ପ୍ରଶ୍ନକାଳରେ ଆଜି ଭଦ୍ରକ ଜିଲ୍ଲାର ଗୋହିରାଟିକିରୀର ବିକାଶ ପ୍ରସଙ୍ଗ ଉଠିଥିଲା। ବିଧାୟକ ବିଷ୍ଣୁ ଚରଣ ସେଠୀ ମୂଳ ପ୍ରଶ୍ନ କରିଥିଲେ, ଅବହେଳିତ ଓଡ଼ିଶାର ଶେଷ ସ୍ବାଧୀନ ରାଜା ଗଜପତି ମୁକୁନ୍ଦ ଦେବଙ୍କ ନିହତ ସ୍ଥଳୀ ଗୋହିରାଟିକିରୀ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ଅଛି। ସରକାରଙ୍କ ନିକଟରେ ଏ ସମ୍ପର୍କରେ କିଛି ତଥ୍ୟ ଅଛି କି ? ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଥିଲେ, ଗୋହିରା‌ଟିକିରୀକୁ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛନ୍ତି। ଏଠାରେ ପର୍ଯ୍ୟଟନର ଭିତ୍ତିଭୂମିର ବିକାଶ ପାଇଁ ଏକ ସର୍ବସାଧାରଣ ସୁବିଧା କେନ୍ଦ୍ର ନିର୍ମା‌ଣ ନିମନ୍ତେ ୨୦୧୮-୧୯ ଆର୍ଥିକ ବର୍ଷରେ ୩୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏହି ସର୍ବସାଧାରଣ ସୁବିଧା କେନ୍ଦ୍ରରେ ୨ଟି କୋଠରୀ ସହିତ ଟଏଲେଟ୍‌, ଗୋଟିଏ ହଲ୍‌ ଓ ଗୋଟିଏ କମନ୍ ଟଏଲେଟ୍‌ର ନିର୍ମାଣ କରାଯିବ। ଏହାର କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ।

ଶ୍ରୀ ସେଠୀ କହିଥିଲେ, ଏହି ସ୍ଥାନଟି ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ପଡ଼ିଛି। ମୁକୁନ୍ଦ ଦେବଙ୍କର ଏକ ଛୋଟ ପ୍ରତିମୂର୍ତ୍ତି ନିର୍ମାଣ ହୋଇଛି। ସେଠାରେ ଜମି ଜବରଦଖଲ ହେଲାଣି। ଜଳାଶୟଗୁଡ଼ିକର ପୁନରୁଦ୍ଧାର ହେଉନି। ‌ସେହି ଜାଗାକୁ ସର୍ବନିମ୍ନ ରାସ୍ତା ଖଣ୍ଡେ ବି ନାହିଁ। ୩୦ ଲକ୍ଷ ଟଙ୍କାରେ ସେଠାରେ କି ବିକାଶ ହେବ ? କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ଐତିହାସିକ ଗୁରୁତ୍ବ ବହନ କରୁଥିବା ସ୍ଥାନଗୁଡ଼ିକୁ ରାସ୍ତାଘାଟ ପରି ସର୍ବନିମ୍ନ ଭିତ୍ତିଭୂମି ଯୋଗାଇ ଦିଆଯାଉ। ପ୍ରଫୁଲ୍ଲ ସାମଲ ମଧ୍ୟ ଏ ନେଇ ଅତିରିକ୍ତ ପ୍ରଶ୍ନ କରିଥିଲେ।

ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ, ଆମେ ଏଠାରେ ରାସ୍ତା ନିର୍ମାଣ କରିବା ପାଇଁ ଅନ୍ୟ ବିଭାଗ ସହ ଆଲୋଚନା କରିବୁ। ପର୍ଯ୍ୟଟନ ବିଭାଗର ବଜେଟ୍‌କୁ ଦେଖି ଏଠାରେ ଅଧିକ ସୁବିଧା ସୁଯୋଗ ଦେବା ପାଇଁ ପଦକ୍ଷେପ ନେବୁ।

ସମ୍ବନ୍ଧିତ ଖବର