ଏହା ମୋ ବିରୋଧରେ ଏକ ଷଡଯନ୍ତ୍ର, ପୁଲିସ ଦେଇଥିବା କଲ ରେକର୍ଡ ମିଥ୍ୟା: ଗୋଲକ ମହାପାତ୍ର

ଭୁବନେଶ୍ୱର: ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୁଲିସ କଲ ଡିଟେଲସ ଜାରି ପରେ ସୋମବାର ପୁଣି ଥରେ ମୁହଁ ଖୋଲିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ମାମଲାରେ ସେ ସିଧାସଳଖ ଗଞ୍ଜାମ ଏସପିଙ୍କୁ ଟାର୍ଗେଟ କରିଛନ୍ତି, ଗଞ୍ଜାମ ଏସପି ଭୟର ବାତାବରଣ ସୃଷ୍ଟି କରୁଛନ୍ତି । ଯେଉଁ କଲ ରେକର୍ଡ କଥା କୁହାଯାଉଛି ତାହା ଜାଲ କାଗଜ । ତେଣୁ କାଗଜ କିଏ ଦେଲା ଓ କେଉଁଠୁ ଆସିଲା ତାହା ସ୍ପଷ୍ଟ କରାଯାଉ ବୋଲି ଦାବି କରିଛନ୍ତି ଗୋଲକ । ଏ ଘଟଣାରେ ତାଙ୍କୁ ଫସାଇବାକୁ ଷଡ଼ଯନ୍ତ୍ର କରାଯାଉଛି। ଯେ କୌଣସି ଯାଞ୍ଚ ପାଇଁ ସେ ପ୍ରସ୍ତୁତ ଅଛନ୍ତି।

ଏଥିସହିତ ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି, ଅନ୍ୟ ଗିରଫ ବ୍ୟକ୍ତିଙ୍କ ମଧ୍ୟ କଲ ରେକର୍ଡର ଯାଞ୍ଚ କରାଯାଉ। କୌଣସି ଆସାମୀକୁ ଲୁଚାଇ ରଖା ନଯାଉ ଏବଂ ବିଜେପିରେ ମିଶିବାକୁ ଚାହୁଁଥିବା ଲୋକଙ୍କୁ ଭୟଭୀତ କରିବା ଭଳି ଅଭିଯୋଗ ସାମ୍ବାଦିକ ସମ୍ମିଳନୀରେ କରିଛନ୍ତି ଗୋଲକ ।

ରବିବାର ଗିରଫ ଅଭିଯୁକ୍ତଙ୍କ କଲ ଡିଟେଲ ଜାରି କରିଥିଲା ପୁଲିସ। ଏଥିରେ ଅଭିଯୁକ୍ତଙ୍କ ସହ ଗୋଲକ ୨୬ ଥର କଥାହୋଇଥିବା ସ୍ପଷ୍ଟ ହୋଇଥିଲା। ପୁଲିସ ସମସ୍ତ କଲ ରେକର୍ଡ ସାମନାକୁ ଆଣିବା ପାଇଁ ଗୋଲାକ ଦାବି କରିଛନ୍ତି କି, ତିନିଜଣ ବିଜେପିନେତାଙ୍କୁ ହତ୍ୟା କରାଯାଇଥିବା ବେଳେ ଏସପି କ’ଣ କରୁଥିଲେ ?

ଅନ୍ୟପକ୍ଷରେ ଗଞ୍ଜାମ ଏସପି ରାଜନୀତି କରୁଥିବା କହିଛନ୍ତି ବିଜେପିି ନେତା ଗୋଲକ ମହାପାତ୍ର । ଏଥିସହ ଗଞ୍ଜାମ ଏସପିଙ୍କୁ ପାଞ୍ଚଟି ପ୍ରଶ୍ନ କରିଛନ୍ତି ଗୋଲକ ମହାପାତ୍ର । ଲକ୍ଷ୍ମୀଙ୍କ ମା କହିଥିବା ବ୍ୟକ୍ତିଙ୍କୁ ତଦନ୍ତ ପରିସର କରାଯାଉନାହିଁ କାହିଁକି ? ତା’ସହ ହେପାଜତରେ ଥିବା ବ୍ୟକ୍ତିଙ୍କର କଲ ରେକର୍ଡ କେମିତି ହେଲା ? ବୋଲି ଗଞ୍ଜାମ ଏସପିଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର ।

ସେହିପରି ଏହି ଘଟଣାକୁ ନେଇ ବିଜେପି ରାଜ୍ୟପାଳଙ୍କୁ ଭେଟିବ ବୋଲି ସମୀର ମହାନ୍ତି କହିଛନ୍ତି । ଡିଜିପିଙ୍କୁ ଭେଟି ନିରପେକ୍ଷ ତଦନ୍ତ ଦାବି କରିବା ସହ ସାଇବର ଥାନାରେ ଅଭିଯୋଗ ହେବ । ସେପଟେ ବିଜେପି ନେତା ଗୋଲକ ମହାପାତ୍ରଙ୍କ ସଂପୃକ୍ତି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର । ଗୋଲକ ମହାପାତ୍ର, ଅମିତ ଶାହା କି କେନ୍ଦ୍ରମନ୍ତ୍ରୀ ନୁହଁନ୍ତି ଯେ ତାଙ୍କ ବିରୋଧରେ ବିଜେଡି ଷଡଯନ୍ତ୍ର କରିବ । ବିଜେଡିର ଏଥିରେ କୌଣସି ହାତ ନାହିଁ । ସେ ପପୁଲାର ହେଲେ କି ନହେଲେ ବିଜେଡିର ଭୋଟ ବ୍ୟାଙ୍କରେ କୌଣସି ପ୍ରଭାବ ପଡିବନି ବୋଲି ସୂର୍ଯ୍ୟପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର