ଓଡ଼ିଶାର ୮ଟି ସ୍ଥାନରୁ ମିଳିଲା ସୁନାଖଣିର ସନ୍ଧାନ : ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ରହିଛି ଏହି ସୁନା ଖଣି

ଭୁବନେଶ୍ୱର : ଦିନକୁ ଦିନ ହୁ ହୁ ହୋଇ ବଢୁଛି ସୁନା ଦର। ଗୋଟିଏ ପଟେ ସୁନାର ଦର ବଢୁଥିବା ବେଳେ ଏବେ ରାଜ୍ୟବାସୀଙ୍କ ପାଇଁ ଆସିଛି ଏକ ଖୁସିଖବର । ଓଡିଶାରେ ମଧ୍ୟ ରହିଛି ସୁନାଖଣି । ଗୋଟିଏ କି ଦୁଇଟି ନୁହେଁ ୮ଟି ସ୍ଥାନରେ ସୁନା ଥିବାର ସନ୍ଧାନ ମିଳିଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ରାଜ୍ୟରେ ସୁନା ଖଣିର ସନ୍ଧାନ ମିଳିଛି କି, ଯଦି ମିଳିଛି ତାର ଉତ୍ପାଦନ କାର୍ଯ୍ୟ ଆରମ୍ଭ ହେଲାଣି କି? ଏହି ପ୍ରଶ୍ନର ଉତ୍ତରରେ ମାନ୍ୟବର ମନ୍ତ୍ରୀ ଲିଖିିତ ଭାବେ ଜଣାଇଛନ୍ତି ଯେ, ରାଜ୍ୟ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ ଭାରତୀୟ ସର୍ବେକ୍ଷଣ ସଂସ୍ଥା ମାଧ୍ୟମରେ କରାଯାଇଥିବା ଅନୁସନ୍ଧାନ ଦ୍ୱାରା ରାଜ୍ୟର ୮ଟି ସ୍ଥାନରେ ସୁନା ଥିବା ସୂଚନା ମିଳିଛି ।

କେଉଁଝରର ଗୋପୁର,ଗାଜିପୁର, କୁଶକଳା, ଅଡାଳ ଏବଂ ତେଲକୋଇର ସଲେଇକନା, ଡିମିରିମୁଣ୍ଡା ଓ କରଡଙ୍ଗା ଅଞ୍ଚଳରେ ସୁନା ଥିବାର ଆକଳନ କରାଯାଇଛି । ସେହିଭଳି ମୟୁରଭଞ୍ଜର ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଳକୁଚା, ମାରେଡିହି ଓ ସୁଲେଇପାଟ ଓ ବାଦାମ ପାହାଡ ଅଞ୍ଚଳରେ ଥିବା ସୁବାବାହୀ ପଥରରେ ସୁନା ଥିବାର ଆକଳନ କରାଯାଇଛି। ତେବେ ଏଠାରେ କେତେ ମାତ୍ରାରେ ସୁନା ରହିଛି ତାହା ସ୍ପଷ୍ଟ ଜଣାପଡିନାହିଁ ।

ସେହିଭଳି ସୁନ୍ଦରଗଡ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ସୁନା ଥିବା ଆକଳନ କରାଯାଇଛି । ତେବେ ସ୍ୱଳ୍ପ ପରିମାଣରେ ଓ ବିକ୍ଷିପ୍ତ ଭାବରେ ମିଳୁଥିବାରୁ ଏହାର ସବିଶେଷ ଆକଳନ କରାଯାଇନାହିଁ । ଖାସକରି ନଦୀ ପଠା ଅଞ୍ଚଳରେ ସୁନା ଥିବା ଆକଳନ କରାଯାଇଛି । ତେବେ ଅର୍ଥନୈତିକ ଦୃଷ୍ଟି କୋଣରୁ ଏ ଗୁଡିକର ଉତ୍ତୋଳନ ଲାଭଜନକ ନ ହେବା କାରଣରୁ ସୁନା ଖଣି କାର୍ଯ୍ୟ ଆରମ୍ଭ ହେଉନାହିଁ ବୋଲି ମନ୍ତ୍ରୀ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ।

ସମ୍ବନ୍ଧିତ ଖବର