ବ୍ୟାଙ୍କ ଲକରରୁ ଅଳଙ୍କାର ଚୋରି ମାମଲା : ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ଖଣ୍ଡଗିରି ପୁଲିସକୁ ନିର୍ଦ୍ଦେଶ

କଟକ : ବ୍ୟାଙ୍କ ଲକରରୁ ସୁନା, ରୁପା ଅଳଙ୍କାର ଚୋରି ଯିବା ଘଟଣାରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ଭୁବନେଶ୍ୱର ଖଣ୍ଡଗିରି ଥାନା ପୁଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଏହି ମାମଲାର ତଦନ୍ତର ସାନି ସ୍ଥିତି ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ କେ.ଆର୍‌.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ନିବେଦିତା ରାଉତଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମେ’ ୧୪ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରମାକାନ୍ତ ଷଡଙ୍ଗୀ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସର ଭୁବନେଶ୍ୱର ସିଜୁଆ ଶାଖାରେ ଆବେଦନକାରିଣୀଙ୍କ ସେଭିଂସ୍‌ ଆକାଉଣ୍ଟ ରହିିଥିବା ବେଳେ ତାଙ୍କୁ ଲକର ସୁବିଧା ମଧ୍ୟ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା। ଆବେଦନକାରିଣୀ ବ୍ୟାଙ୍କ ଲକରରେ ପ୍ରାୟ ୩୦ ଭରି ସୁନା ଓ ୪୦ ଭରି ରୁପା ଅଳଙ୍କାର ରଖିଥିଲେ। ୨୦୧୭, ସେପ୍ଟେମ୍ବର ୭ରେ ବ୍ୟାଙ୍କର ସହକରୀ ପରିଚାଳକଙ୍କ ଉପସ୍ଥିତିରେ ଲକର ଖୋଲିବା ପରେ ଆବେଦନକାରିଣୀ ଦେଖିବାକୁ ପାଇଥିଲେ ଯେ ତାଙ୍କ ସୁନା ଓ ରୁପା ଗହଣା ନାହିଁ। ଲକରରୁ ସୁନା ଓ ରୁପା ଗହଣା ଚୋରି ହେବା ସଂପର୍କରେ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ତୁରନ୍ତ ଅଭିଯୋଗ କରିଥିଲେ ମଧ୍ୟ କିଛି ଫଳ ମିଳି ପାରି ନଥିଲେ। ଏହାପରେ ଆବେଦନକାରିଣୀ ଏ ନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ। ପୁଲିସ ଏତଲା ପଞ୍ଜୀକରଣ କରିଥିଲେ ମଧ୍ୟ ଆବେଦନକାରିଣୀଙ୍କ ଗହଣା ଉଦ୍ଧାର ପାଇଁ କିଛି ପଦକ୍ଷେପ ଗ୍ରହଣ କରି ନଥିଲା। ପୁଲିସ ନିଷ୍କ୍ରିୟତା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର