ବିମାନବନ୍ଦରରୁ ପୁଣି ସୁନା ଜବତ : ଗ୍ରାଇଣ୍ଡରରେ ଆସିଥିଲା ୭୦ଭରି ସୁନା

ଦୁବାଇରୁ ଭାୟା ଦିଲ୍ଲୀ ହୋଇ ଆସିଥିଲା

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ପୁଣି ସୁନା ଜବତ ହୋଇଛି। ବିମାନବନ୍ଦରର କଷ୍ଟମ୍‌ସ ବିଭାଗ ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଠାରୁ ୬୯୯.୫ ଗ୍ରାମ୍‌ (ପ୍ରାୟ ୭୦ଭରି)ର ସୁନା ଜବତ କରିଛି। ଏହାର ବଜାର ମୂଲ୍ୟ ୨୨,୦୩,୪୨୫ଟଙ୍କା ହେବ ବୋଲି ଆସିଷ୍ଟାଣ୍ଟ କମିସନର ଅଫ୍‌ କଷ୍ଟମ୍‌ସ ଶଶୀ ଭୂଷଣ କହିଛନ୍ତି।

ଏଥର କିନ୍ତୁ ଚୋରା ଚାଲଣ କରୁଥିବା ବ୍ୟକ୍ତି ଜଣଙ୍କ କ୍ୱାଲାଲମ୍ପୁର କି ବ୍ୟାଙ୍କକ୍‌ରୁ ଆସିନଥିଲେ। ଦୁବାଇରୁ ଭାୟା ଦିଲ୍ଲୀ ହୋଇ ଭୁବନେଶ୍ୱର ଆସିଥିଲେ। ସୁନା ଖଣ୍ଡଗୁଡ଼ିକୁ ସେ ମଳଦ୍ୱାର କି ବ୍ୟାଗ୍‌ରେ ଲୁଚାଇ ଆଣିନଥିଲେ। ଗ୍ରାଇଣ୍ଡର ଭିତରେ ଆଣିଥିଲେ। ଏପରି ସତର୍କତାର ସହ ଆଣିଥିଲେ ଯେ, କଷ୍ଟମ୍‌ସ ବିଭାଗ ଏହାକୁ ଧରିବା ସହଜ ନଥିଲା। କିନ୍ତୁ ବ୍ୟାଗ୍‌ ସ୍କାନିଂ ସମୟରେ ଯାତ୍ରୀଙ୍କ ବ୍ୟାଗରେ ଥିବା ଗ୍ରାଇଣ୍ଡରରେ କିଛି ସନ୍ଦେହଜନକ ସାମଗ୍ରୀ ଥିବା ସିଆଇଏସ୍‌ଏଫ୍‌ ଯବାନ ଜାଣିବା ପରେ କଷ୍ଟମ୍‌ସ ବିଭାଗକୁ ସୂଚନା ଦେଇଥିଲେ। ଏହାପରେ ଗ୍ରାଇଣ୍ଡର ଖୋଲାଯାଇ ଯାଞ୍ଚ କରାଯାଇଥିଲା। ଗ୍ରାଇଣ୍ଡରର କଏଲ୍‌ ଯେଉଁଠି ଥାଏ ସେଥିରୁ ତାର କାଢ଼ି ୬ଟି ବିଦେଶୀ ସୁନା ଖଣ୍ଡକୁ ରଖାଯାଇଥିଲା। ଏହାପରେ ଗ୍ରାଇଣ୍ଡରକୁ ଫିଟିଂ କରାଯାଇଥିଲା।
ସୁନା ଖଣ୍ଡଗୁଡ଼ିକୁ ଜବତ କରିବା ପରେ ବ୍ୟକ୍ତି ଜଣଙ୍କୁ ପଚରାଉଚରା କରାଯାଉଛି ବୋଲି କଷ୍ଟମ୍‌ସ ବିଭାଗ ପକ୍ଷରୁ କୁହାଯାଇଛି।

ଗତ କିଛି ମାସ ମଧ୍ୟରେ ବିମାନବନ୍ଦରରୁ ପ୍ରାୟ ଦେଢ଼କୋଟି ଟଙ୍କାର ସୁନା ଜବତ ହୋଇଥିବାବେଳେ ଏହା କ୍ୱାଲାଲମ୍ପୁର ଓ ବ୍ୟାଙ୍କକ୍‌ରୁ ଆସିଥିଲା। କିନ୍ତୁ ଏଥର ଦୁବାଇରୁ ସୁନା ଆସିଛି। ତାହା ପୁଣି କୌଣସି ଅନ୍ତର୍ଜାତୀୟ ବିମାନରେ ନୁହେଁ। ଘରୋଇ ବିମାନରେ। ଏହାପରେ ବିମାନବନ୍ଦରରର ଟି-୧ ଟର୍ମିନାଲ ଦେଇ ସୁନା ଚୋରାଚାଲାଣ ହେଉଥିବାର ଆଶଙ୍କାକୁ ଏଡ଼ାଇ ହେଉନି।

ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅନ୍ତର୍ଜାତୀୟ ବିମାନ ଏବଂ ଏୟାର ଇଣ୍ଡିଆ ବିମାନଗୁଡ଼ିକ ଟି-୨ ଟର୍ମିନାଲରେ ଲାଗିଥାଏ। ତେଣୁ ଏହି ଟର୍ମିନାଲ ଦେଇ ଆସୁଥିବା ସମସ୍ତ ଯାତ୍ରୀଙ୍କର କଷ୍ଟମ୍‌ସ ଚେକିଂ କରାଯାଏ। ଆଜି ସୁନା ଚୋରା ଚାଲାଣ କରୁଥିବା ବ୍ୟକ୍ତି ଜଣଙ୍କ ଏୟାର ଇଣ୍ଡିଆ ବିମାନରେ ଦୁବାଇରୁ ଦିଲ୍ଲୀ ଆସିବା ପରେ ସେଠାରୁ ଲିଙ୍କ୍‌ ବିମାନରେ ଭୁବନେଶ୍ୱର ଆସିଥିଲେ। ତାଙ୍କର ଦୁବାଇରେ କଷ୍ଟମ୍‌ସ ଚେକିଂ ହୋଇଥିବାରୁ ନୂଆଦିଲ୍ଲୀରେ କିଛି ଚେକିଂ ହୋଇନଥିଲା। ତେଣୁ ଏଠାରୁ ପ୍ରସ୍ଥାନ ସମୟରେ କଷ୍ଟମ୍‌ସ ଚେକିଂ କରାଯାଇଥିଲା। ଯେଉଁଥିରେ ସେ ସୁନା ଚୋରା ଚାଲାଣ କରୁଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର