ବିମାନବନ୍ଦରରୁ ୯ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ଦୁଇ ଜଣ ଯାତ୍ରୀଙ୍କ ଠାରୁ ୨୭୮.୮୩ ଗ୍ରାମର ସୁନା ରିଙ୍ଗ ଜବତ ହୋଇଛି। ବିମାନ ବନ୍ଦରର କଷ୍ଟମ୍‌ସ ବିଭାଗ ଏହି ସୁନା ଜବତ କରିଥିବାବେଳେ ଏହାର ବଜାର ମୂଲ୍ୟ ୯ଲକ୍ଷ ୮ହଜାର ୭୦୬ଟଙ୍କା ହେବ ବୋଲି କହିଛି।

କଷ୍ଟମ୍‌ସ ବିଭାଗର ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରୁ ଆସିଥିବା ଦୁଇ ଜଣ ଯାତ୍ରୀ ମଙ୍ଗଳବାର ବିଳମ୍ବିତ ରାତିରେ ଏୟାର ଏସିଆ ବିମାନରେ ବ୍ୟାଙ୍କକ୍‌ରୁ ଆସିଥିଲେ। ସେମାନଙ୍କର ବ୍ୟାଗ୍ ଚେକିଂ ସମୟରେ ସେଥିରେ ଥିବା ପୋଷାକ ଉପରେ ସନ୍ଦେହ ହୋଇଥିଲା। ବ୍ୟାଗ୍‌ରେ ଥିବା ପ୍ୟାଣ୍ଟ ଓ ସାର୍ଟରେ ବୋତାମ ଉପରେ ଧଳା ରଙ୍ଗର ରିଙ୍ଗ୍‌ ଲାଗିଥିବାରୁ ସନ୍ଦେହ ଘନୀଭୂତ ହୋଇଥିଲା। ଏହାପ‌େର ସାର୍ଟ ଓ ପ୍ୟାଣ୍ଟ ବାହାରକୁ କାଢ଼ି ଝାଡ଼ିବା ସମୟରେ ଜଣାପଡ଼ିଥିଲା ଯେ, ଏହି ସୁନା ରିଙ୍ଗ୍‌ ଉପରେ ଧଳା ଷ୍ଟିକର ଲାଗିଛି। ୯୯.୯% ଶୁଦ୍ଧ ବିଦେଶୀ ସୁନା ଆଣିବା ପାଇଁ ଯାତ୍ରୀଙ୍କ ନିକଟରେ ଆବଶ୍ୟକୀୟ ବିଲ୍‌ ନଥିବାରୁ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ଏହି ଦୁଇ ଯାତ୍ରୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଯିବାକୁ ଥିବାବେଳେ ଭୁବନେଶ୍ବରରେ କାହିଁକି ଆସିଥିଲେ। ଏତେ ସୁନା କାହିଁକି ଆଣିଥିଲେ ସେନେଇ ପଚରାଉଚରା କରାଯାଉଛି ବୋଲି କଷ୍ଟମ୍‌ସ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର