ବିମାନବନ୍ଦରରୁ ୨୧ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ପୁଣି ବିଦେଶୀ ସୁନା ଜବତ ହୋଇଛି। କ୍ୱାଲାଲମ୍ପୁରରୁ ଆସିଥିବା ୬୯୦.୫୫୦ ଗ୍ରାମର ସୁନାକୁ ବିମାନବନ୍ଦର କଷ୍ଟମ୍‌ସ ଟିମ୍‌ ଜବତ କରିଥିବାବେଳେ ଏହାର ବଜାର ମୂଲ୍ୟ ୨୧ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କ୍ୱାଲାଲମ୍ପୁରରୁ ଭୁବନେଶ୍ୱର ଚାଲୁଥିବା ଏୟାର ଏସିଆ ବିମାନ ଏକେ ୩୧ରେ ଚେନ୍ନାଇର ଜଣେ ଯାତ୍ରୀ ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ତାଙ୍କର ବ୍ୟାଗ୍‌ ଚେକିଂ ସମୟରେ ସେଥିରେ କିଛି ପତଳା ଆଲୁମିନିୟମ ଲାଇନିଂ (ତାର ଭଳି) ଥିବା ଜଣାପଡ଼ିଥିଲା। ବିଦେଶରୁ ଆସିଥିବା ଜଣେ ଯାତ୍ରୀଙ୍କ ବ୍ୟାଗରେ ଆଲୁମିନିୟମ ଲାଇନିଂ ଥିବାରୁ ସିଆଇଏସ୍‌ଏଫ୍‌ ଅଧିକାରୀଙ୍କର ସନ୍ଦେହ ହୋଇଥିଲା। ଏହାପରେ କଷ୍ଟମ୍‌ସ ବିଭାଗକୁ ଜଣାଇବା ପରେ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ କରାଯାଇଥିଲା। ଆଲୁମିନିୟମ ଲାଇନିଂକୁ ଛଡ଼ାଇବା ପରେ ଜଣାପଡ଼ିଥିଲା ଯେ, ଏହା ଆଲୁମିନିୟମ ନୁହେଁ ସୁନାର ଲାଇନିଂ। ଏହାପରେ ଯାତ୍ରୀ ଜଣଙ୍କୁ ବିମାନବନ୍ଦରରେ ଅଟକ ରଖି ପଚରାଉଚରା କରାଯାଉଛି। ଚେନ୍ନାଇ ଯିବାକୁ ଥିବା ଯାତ୍ରୀ ଜଣଙ୍କ କ୍ୱାଲାଲମ୍ପୁରରୁ ଯେଉଁ ସୁନା ଆଣିଥିଲେ ତାହାର ବିଲ୍‌, ସେଠାକର ବିମାନବନ୍ଦରରେ ଦେଇଥିବା କଷ୍ଟମ୍‌ସ ଫି’ ଦେଖାଇବାରେ ଅସମର୍ଥ ହେବାରୁ କଷ୍ଟମ୍‌ସ ବିଭାଗ ଏହି ସୁନାକୁ ଜବତ କରିଛି।

ସମ୍ବନ୍ଧିତ ଖବର