ଗୋଲ୍‌ଡେନ୍‌ ବାବାକୁ ଝଟ୍‌କା: ୧୬ କୋଟିର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ

ଦୁଇଟି ମାମଲା ରୁଜୁ, ଇନ୍‌ସ୍ପେକ୍ଟରଙ୍କୁ ଦାୟିତ୍ବ ଓଡ଼ିଶା ବାହାରକୁ ଯିବ ଏସ୍‌ଆଇଟି

କଟକ: ଗୋଲଡେନ୍‌ ବାବାକୁ ପୁଣି ବଡ଼ ଝଟ୍‌କା ଲାଗିଛି। ତା’ ବିରୋଧରେ କମିସନରେଟ୍‌ ପୁଲିସରେ ରୁଜୁ ହୋଇଥିବା ମୋଟ ୪ଟି ଠକେଇ ମାମଲାରୁ ଦୁଇଟିର ତଦନ୍ତ ଦାୟିତ୍ବ କ୍ରାଇମ୍‌ବ୍ରାଞ୍ଚ ଗ୍ରହଣ କରିଛି। ଦୁଇଟି ମାମଲାରେ ମୋଟ ୧୬ କୋଟି ୫ ଲକ୍ଷ ୪୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। କ୍ରାଇମ୍‌ବ୍ରାଞ୍ଚ ଆଜି ଦୁଇଟି ପୃଥକ ମାମଲା ରୁଜୁ କରିଥିବା ବେଳେ ଇଓଡବ୍ଲୁର ଜଣେ ଇନ୍‌ସ୍ପେକ୍ଟରଙ୍କୁ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଥିବା କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ଏବେ ଗୋଲ୍‌ଡେନ୍‌ ବାବାର ଠକେଇ ସମେତ ଗୋରୁ ଚାଲାଣ, ଦାଦାବଟି ଭଳି ୧୯ରୁ ଅଧିକ ସ˚ଗୀନ ମାମଲା ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଜାଲ ଭିତରକୁ ଆସିଛି। ଓଡ଼ିଶା ବାହାରେ ଗୋଲ୍‌ଡେନ୍‌ ବାବାର ଅପରାଧିକ ନେଟକ୍‌ଵାର୍କ ଲମ୍ବିଥିବାରୁ କ୍ରାଇମ୍‌ବ୍ରାଞ୍ଚ ରାଜ୍ୟ ବାହାରକୁ ଯାଇ ଖୋଳତାଡ଼ କରିବାକୁ ଯୋଜନା ପ୍ରସ୍ତୁତ କରିଛି। କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ଜ୍ୟୋତିରଞ୍ଜନ ବେଉରା ଓରଫ ବାପୁ ଓରଫ ଗୋଲ୍‌ଡେନ୍‌ ବାବା ଭୁବନେଶ୍ବର ନୀଳାଦ୍ରିବିହାର ଅଞ୍ଚଳରେ ରହୁଥିଲା। ସେ ବଡ଼ବିଲ୍‌ରେ ଥିବା ଏମ୍‌ଏସ୍‌ ନ୍ୟାସନାଲ ଏଣ୍ଟରପ୍ରାଇଜେସ୍‌ ନାମକ ଏକ ଖଣି କମ୍ପାନିକୁ ୧୧୦ କୋଟି ଟଙ୍କା ଋଣ କରାଇଦେବାକୁ ସ˚ସ୍ଥାର ମାଲିକ ଚରଣଜିତ୍‌ ସି˚ହ ଗ୍ରେଵାଲଙ୍କ ସହିତ ଚୁକ୍ତି କରିଥିଲା। ଚରଣଜିତ୍‌ ୧୧ଟି ସିକ୍ୟୁରିଟି ଚେକ୍‌ ବାବାକୁ ଦେଇଥିଲେ। ଟଙ୍କା ଉଠାଣ ସମୟ ୨୦୨୦ ଏପ୍ରିଲ୍‌ରୁ ୨୦୩୦ ଏପ୍ରିଲ୍‌ ଯାଏ ଅବଧି ରହିଥିଲା। ମାତ୍ର ଗୋଲ୍‌ଡେନ୍‌ ବାବା ୨୦୧୮ ସେପ୍ଟେମ୍ବରରେ ଗୋଟିଏ ଚେକ୍‌ ଜାଲିଆତି କରି ଦିଲ୍ଲୀସ୍ଥିତି ଏକ ବ୍ୟାଙ୍କ ଶାଖାରୁ ୧୨ କୋଟି ଟଙ୍କା ଉଠାଇ ନେଇଥିଲା। ଚନ୍ଦ୍ରଶେଖରପୁର ଥାନାରେ ଏ ସ˚କ୍ରାନ୍ତରେ ଏତଲା ହେବାରୁ ଗତ ଡିସେମ୍ବର ୩୧ ରେ ପୁଲିସ ତାକୁ ଗିରଫ କରିଥିଲା। ପୁଲିସ ତାକୁ ରିମାଣ୍ତରେ ଆଣି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ କରିଥିଲା। କିନ୍ତୁ ମାମଲାକୁ ଗୁରୁତ୍ବକୁ ଦୃଷ୍ଟିରେ ରଖାଯାଇ ଘଟଣାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ଗ୍ରହଣ କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଡିଜି ଡାକ୍ତର ଆର‌୍‌.ପି. ଶର୍ମାଙ୍କୁ ଚିଠି ଲେଖାଯାଇଥିଲା। ସେହି ଆଧାରରେ କ୍ରାଇମ୍‌ବ୍ରାଞ୍ଚ ଚନ୍ଦ୍ରଶେଖରପୁର ଥାନାରେ ଡିସେମ୍ବର ୭ ତାରିଖରେ ରୁଜୁ ହୋଇଥିବା ମାମଲା(କେସ୍‌ ନ˚ ୫୦୩/୧୮) ଦଫା ୪୬୭, ୪୬୮, ୪୭୧, ୪୨୦, ୫୧୧କୁ ଆଜି ଗ୍ରହଣ କରିଛି। ଏହି ମାମଲାରେ ୧୨ କୋଟି ୪୦ ହଜାର ଟଙ୍କା ଠକେଇ ହୋଇଥିଲା। କ୍ରାଇମ୍‌ବ୍ରାଞ୍ଚ ଏକ ମାମଲା(କେସ୍‌ ନ˚୧/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେହିପରି ଗୋଲ୍‌ଡେନ୍‌ ବାବା ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଗତ ଜାନୁଆରୀ ୯ ତାରିଖରେ ଆଉ ଏକ ମାମଲା(କେସ୍‌ ନ˚ ୧୩/୧୮)ରେ ଦଫା ୪୧୭, ୪୨୦, ୨୯୪, ୫୦୬, ୩୪ରେ ରୁଜୁ ହୋଇଥିଲା। ଏଥିରେ ୪ କୋଟି ୫ ଲକ୍ଷ ଟଙ୍କା ଠକେଇ ହୋଇଥିଲା। ସେହି ମାମଲାକୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲୁ(କେସ୍‌ ନ˚ ୨/୧୯)ରେ ରୁଜୁ କରିଛି।

ସହିଦନଗର ଥାନାରେ ରୁଜୁ ହୋଇଥିବା ଠକେଇ ମାମଲାଗୁଡ଼ିକ ୧ କୋଟି ଟଙ୍କାରୁ କମ୍‌ ହୋଇଥିବାରୁ କମିସନରେଟ୍‌ ପୁଲିସ ତାକୁ ତଦନ୍ତ କରିବ। କ୍ରାଇମ୍‌ବ୍ରାଞ୍ଚ ଉକ୍ତ ମାମଲାଗୁଡ଼ିକ କେବଳ ପରିଚାଳନା କରିବ ବୋଲି ଏଡିଜି ଶ୍ରୀ ଉପାଧ୍ୟାୟ କହିଛନ୍ତି। ଗୋଲ୍‌ଡେନ୍‌ ବାବାର ଅନ୍ତରାଜ୍ୟ ଲିଙ୍କ ଥିବା ଜଣାପଡ଼ିଛି। ଚନ୍ଦ୍ରଶେଖରପୁର ଏବ˚ ଲକ୍ଷ୍ମୀସାଗର ଥାନାରେ ରୁଜୁ ହୋଇଥିବା ଦୁଇଟି ମାମଲାର ଏତଲା ନକଲ କ୍ରାଇମ୍‌ବ୍ରାଞ୍ଚ ଗ୍ରହଣ କରିଥିବା ବେଳେ ଠକେଇ ସମେତ ଅନ୍ୟାନ୍ୟ ଅପରାଧିକ ଦିଗଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରାଯିବା ସମ୍ପର୍କରେ ଏଡିଜି ଶ୍ରୀ ଉପାଧ୍ୟାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର