ଗୋଲଡେନ୍ ଭ୍ୟୁ ଠକେଇ, ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ଗୋଲଡେନ୍ ଭ୍ୟୁ ଇନ୍‌ଫ୍ରାଷ୍ଟ୍ରକଚର୍‌ ଠକେଇ ଘଟଣାରେ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଆଜି ସଂସ୍ଥାର ନିର୍ଦେଶକକୁ ଗିରଫ କରିଛି। ସେ ହେଲେ, ଶ୍ରୀ ଲିଙ୍ଗରାଜ ଥାନା ଅଧୀନ ସାମନ୍ତରାପୁର ଅଞ୍ଚଳର ଦୁଷ୍ମନ୍ତ କୁମାର ମୁଦୁଲି। ତମାଣ୍ଡୋ ଥାନା ଅଧୀନ ବିଜିପୁର ମୌଜାରେ ଗୋଲଡେନ୍‌ ଆଭେନ୍ୟୁ ନାମକ ଏକ ଆର୍ପାଟମେଣ୍ଟରେ ଫ୍ଲାଟ ଦେବା ନାଁରେ ୪.୩୩ କୋଟି ଟଙ୍କା ଠକେଇ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି। ଆଜି ତାଙ୍କୁ କଟକରେ ଥିବା ସ୍ବତନ୍ତ୍ର ଓପିଆଇଡି କୋର୍ଟକୁ ଚାଲାଣ କରାଯାଇଛି। ଏହା ପୂର୍ବରୁ କ୍ରାଇମ ବ୍ରାଞ୍ଚ ସଂସ୍ଥାର ପରିଚାଳନା ନିର୍ଦେଶକ ପ୍ରେମାନନ୍ଦ ମହାପାତ୍ରଙ୍କୁ ମଧ୍ୟ ଗିରଫ କରିଥିଲା। କ୍ରାଇମ ବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୧୪ ସେପ୍ଟେମ୍ବରରେ କଟକ ରୋଡ୍‌ରେ ଥିବା କାନାରା ବ୍ୟାଙ୍କରେ ସଂସ୍ଥା ପକ୍ଷରୁ ୩୫ ଗ୍ରାହକଙ୍କ ହାଉସିଂଲୋନ୍ କରାଇବାକୁ ଆବେଦନ ହୋଇଥିଲା। ବ୍ୟାଙ୍କ ପକ୍ଷରୁ ୩୫ ଜଣ ଗ୍ରାହକଙ୍କ ନାଁରେ ୪.୩୩ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। କିନ୍ତୁ ସଂସ୍ଥା ଚଞ୍ଚକତା‌ କରି ଗ୍ରାହକମାନଙ୍କ ସବୁତକ ଟଙ୍କା ଆତ୍ମସାତ୍‌ କରି ଦେଇଥିଲା। ପରବର୍ତ୍ତୀ ସମୟରେ ବ୍ୟାଙ୍କ ପକ୍ଷରୁ ଖୋଳତାଡ଼ ବେଳେ ଜଣାପଡ଼ିଥିଲା ଯେ ସଂପୃକ୍ତ ବିଲଡର୍‌ ସଂସ୍ଥା ଗ୍ରାହକଙ୍କ ସମେତ ବ୍ୟାଙ୍କକୁ ମଧ୍ୟ ଠକିଛି। ଏ ନେଇ କାନାରା ବ୍ୟାଙ୍କ ପକ୍ଷରୁ କ୍ରାଇମ ବ୍ରାଞ୍ଚରେ ଅଭିଯୋଗ ହେବା ପରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ମେ ମାସରେ କ୍ରାଇମ ବ୍ରାଞ୍ଚ ପ୍ରଥମେ ପ୍ରେମାନନ୍ଦଙ୍କୁ ଗିରଫ କରିଥିଲା। ସେହିପରି ପରେ ଜଣା ପଡ଼ିଥିଲା ଦୁଷ୍ମନ୍ତ ସଂସ୍ଥାର ଆର୍ଥିକ କାରବାରରେ ମଧ୍ୟ ସଂପୃକ୍ତ। ଏଥିପାଇଁ ତାଙ୍କୁ ଆଜି ଗିରଫ କରାଯାଇଛି ବୋଲି କ୍ରାଇମ ବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର