ଭଲ ଖବର, ଟଙ୍କା ଭର୍ତ୍ତି ପର୍ସ ପାଇ ପୁଲିସକୁ ଦେଲେ ଯୁବକ

ପୁରୀ: ଟଙ୍କା ଭର୍ତ୍ତି ପର୍ସଟିଏ ରାସ୍ତାରୁ ପାଇଲେ, ହେଲେ ତାକୁ ନଖୋଲି ସିଧା ପୁଲିସ ଜିମା ‌ଦେଲେ। ପୁଲିସ ଆଗରେ ପର୍ସରୁ ଡ୍ରାଇଭିଂ ଲାଇସେନ୍ସ ବାହାର କରି ସେଥିରେ ଥିବା ଠିକଣାରେ ‌ସମ୍ପୃକ୍ତ ବ୍ୟକ୍ତିଙ୍କୁ ‌ଖୋଜିଥିଲେ। ହେଲେ ପାଇଲେ ନାହିଁ। ପର୍ସଟି ଏବେ ପୁଲିସ ଜିମାରେ ରହିଛି। ରାସ୍ତାରେ ପର୍ସଟିଏ ବା କିଛି ସାମଗ୍ରୀ ଅଜାଣତରେ ପଡ଼ିଗଲେ, କଥା ସରିଲା। ପର୍ସର ଟଙ୍କା କ’ଣ କାଗଜପତ୍ର ବି ମିଳିବା କଷ୍ଟକର ହୋଇଯାଏ। ଲୁଟିବା ପାଇଁ ସବୁଠି ଘୁରି ବୁଲୁଛି ଆଖି। ଏହା ସତ୍ତ୍ବେ ଦୁନିଆରେ ଭଲ ଲୋକ ଅଛନ୍ତି, ମାନବିକତା ବଞ୍ଚିଛି।  ଏହାର ଉଦାହରଣ ହେଉଛନ୍ତି ‘ସୂର୍ଯ୍ୟ’ ନାମକ ଜଣେ ଯୁବକ। ପୁରୀ ଡାକ୍ତରଖାନା ଛକଠାରୁ ଟିକିଏ ଆଗକୁ ଯିବା ବେଳେ ସୂର୍ଯ୍ୟ ଓ ତାଙ୍କ ବନ୍ଧୁ ପାଇଥିଲେ ଗୋଟିଏ ପର୍ସ। ଯେଉଁଥିରେ ୫୦୦ ଓ ୨ ଶହ ଟଙ୍କିଆ ନୋଟ୍‌ ଭରି ରହିଥିଲା। ତାହା ସହ ଥିଲା କିଛି କାଗଜପତ୍ର। ଏତେ ଟଙ୍କା ଦେଖି ସୂର୍ଯ୍ୟ ଓ ତାଙ୍କ ବନ୍ଧୁ ତତ୍କାଳ ପର୍ସଟିକୁ ନେଇ ଡାକ୍ତରଖାନା ଛକସ୍ଥିତ ପୁଲିସ ଫାଣ୍ଡିରେ ଜିମା ଦେଲେ। ପୁଲିସ ଉପସ୍ଥିତିରେ ସେମାନେ ପର୍ସରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଏକ ଗାଡ଼ି ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ ବାହାର କଲେ। ସେଥିରେ ରବି ନାରାୟଣ ପଣ୍ଡା, ପିତା ହରିହର ପଣ୍ଡା, ଜମ୍ବେଶ୍ବର ‌ଲେନ୍‌ ବୋଲି ଲେଖା ଯାଇଥିଲା। ସୂର୍ଯ୍ୟ ଏବଂ ତାଙ୍କ ସହଯୋଗୀ ସେହି ଠିକଣାରେ ଯାଇ ପଚରାଉଚରା କଲେ। ମାତ୍ର ସେପରି ଲୋକଙ୍କ ସୂଚନା ପାଇଲେନି। ଏବେ ସେହି ପର୍ସଟି ପୁଲିସ ହେପାଜତରେ ରହିଛି।

ସମ୍ବନ୍ଧିତ ଖବର