ବେଲଟିକିରି ସେଲ୍‌ଟର‌୍‌ ହୋମ୍‌ ଅସଦାଚରଣ ଘଟଣା : ‌ଢେଙ୍କାନାଳ ପରେ ଚେତିଲେ

ଆଶ୍ରୟସ୍ଥଳୀ ସଂପର୍କରେ ତଥ୍ୟ ମାଗିଲେ ଡିଜି, ଏସପି ଓ କମିସନରେଟ୍ ପୁଲିସ ପାଇଁ ମାର୍ଗଦର୍ଶିକା ଜାରି

ଭୁବନେଶ୍ବର : ଢେଙ୍କାନାଳ ସଦର ବ୍ଲକ ବେଲଟିକିରିସ୍ଥିତ ଗୁଡ୍‌ ନିଉଜ ଇଣ୍ଡିଆ ଡ୍ରିମ୍‌ସ ସେଣ୍ଟର୍‌ ନାମକ ସେଲଟର ହୋମରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ପରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି ସମସ୍ତ ଜିଲ୍ଲା ଏସ୍‌ପି ଓ କମିସନରେଟ ପୁଲିସର ଦୁଇ ଡିସିପିଙ୍କ ଉଦ୍ଦେଶ୍ୟ‌ରେ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ଡିଜି କହିଛନ୍ତି, ବିଭିନ୍ନ ଜିଲ୍ଲା ଓ କମିସନରେଟ୍ ଅଞ୍ଚଳରେ ଥିବା କେତେ ଆଶ୍ରୟସ୍ଥଳ ରହିଛି, ସେମାନେ ସରକାରଙ୍କ ଠାରୁ ଅନୁମତି େନଇଛନ୍ତି ନା ନାହିଁ, ଅଥବା େବଆଇନ ଭାବେ ଚାଲିଛି, ସେଠାରେ କି କି କାର୍ଯ୍ୟ ଚାଲିଛି, ସେ ସଂପର୍କରେ ସେମାନେ ତୁରନ୍ତ ଅବଗତ କରାନ୍ତୁ। ଆବଶ୍ୟସ୍ଥଳେ ସେସବୁ ଅଞ୍ଚଳକୁ ଯାଇ ପ୍ରତ୍ୟକ୍ଷ ଭାବେ ଯାଞ୍ଚ କରିବା ଲାଗି କୁହାଯାଇଛି।

ଢେଙ୍କାନାଳ ଘଟଣା ପଦାକୁ ଆସିବା ପରେ ଆଶ୍ରୟସ୍ଥଳୀଗୁଡ଼ିକ କେତେ ସୁରକ୍ଷିତ ତାକୁ ନେଇ ସନ୍ଦେହ ଉପୁଜିଛି। କାରଣ ବିଗତ ଦିନରେ ଫୁଲବାଣୀ, ମାଲାକାନଗିରି, କୋରାପୁଟ, ମୟୂରଭଞ୍ଜ ଭଳି ଅନେକ ଜିଲ୍ଲାରେ ଥିବା ଆଶ୍ରୟସ୍ଥଳରେ ନାବାଳିକା, ଯୁବତୀ ଓ ମହିଳାମାନଙ୍କୁ ଦୁଷ୍କର୍ମ, ଅସଦାଚରଣ ଭଳି ଅଭିଯୋଗ ହୋଇଛି। ପୁଲିସ ଏ ନେଇ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିନ୍ତୁ ରାଜ୍ୟରେ ଗଣଦୁଷ୍କର୍ମ ଭଳି ଘଟଣା ଆଦୌ ଘଟି ନ ଥିଲେ ମଧୢ ପୁଲିସ ଏ ଦିଗରେ ସତର୍କ ରହିବାକୁ ଜିଲ୍ଲା ପୁଲିସକୁ କୁହାଯାଇଛି ବୋଲି ଡିଜି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।

ଡିଜି ଶ୍ରୀ ଶର୍ମା କହିଛନ୍ତି, କେଉଁ ଆଶ୍ରୟ ସ୍ଥଳ କାହା ଦାୟିତ୍ବରେ ଅଛି। ରାତିବେଳା ଆଶ୍ରୟ ସ୍ଥଳରେ କେଉଁମାନେ କାର୍ଯ୍ୟ କରୁଛନ୍ତି। ମହିଳା କର୍ମଚାରୀମାନେ ଅଛନ୍ତି ନା ନାହିଁ ତାହାର ବି ଯାଞ୍ଚ କରାଯିବ। ନାବାଳିକାମାନଙ୍କ ସୁରକ୍ଷା ବ୍ୟତୀତ, ଆଶ୍ରୟସ୍ଥଳରେ ନିଶା କାରବାର ଉପରେ ନଜର ରଖିବାକୁ ମଧୢ ନିର୍ଦେଶ ହୋଇଛି। କେଉଁଠି ନକାରାତ୍ମକ ତଥ୍ୟ ମିଳିଲେ ତୁରନ୍ତ ଏ ନେଇ ଜିଲ୍ଲାପାଳମାନଙ୍କୁ ଅବଗତ କରାଇବାକୁ କୁହାଯାଇଛି।

ପ୍ରକାଶଥାଉକି, ରାଜ୍ୟରେ ଏବେ ୩୦୪ଟି ଆଶ୍ରୟସ୍ଥଳ ରହିଛି। ଏଥି ମଧୢରୁ କେବଳ ଭୁବନେଶ୍ବରରେ ୧୭ଟି ଆଶ୍ରୟ ସ୍ଥଳ ରହିଛି। ବିଭିନ୍ନ ସମୟରେ ଏହି ଆଶ୍ରୟସ୍ଥଳଗୁଡ଼ିକରେ ନାବାଳିକାମାନଙ୍କୁ ବିଭିନ୍ନ ପ୍ରକାରର ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇ ଆସିଛି। ଏହି କାରଣରୁ ଅନେକ ଆଶ୍ରୟସ୍ଥଳକୁ ବନ୍ଦ କରି ଦିଆଯାଇଛି ବୋଲି ଖୋର୍ଧା ଜିଲ୍ଲା ଶିଶୁ କଲ୍ୟାଣ ସମିତି ସଦସ୍ୟ ବେଣୁଧର ସେନାପତି କହିଛନ୍ତି। ଖୋର୍ଧା ଜିଲ୍ଲାରେ ଥିବା ସମସ୍ତ ଆଶ୍ରୟସ୍ଥଳରେ ଯାଞ୍ଚ କରାଯାଉଛି। ପ୍ରତ୍ୟେକ ନାବାଳିକାଙ୍କୁ ଅଲଗା ଅଲଗା କରି ପଚରାଉଚରା କରାଯାଉଛି। କେଉଁଠି ବି ଏଭଳି ଅଭିଯୋଗ ଆସିନାହିଁ।

ବିହାରର ମୁଜାଫରନଗର ଓ ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ଏକ ଆଶ୍ରୟସ୍ଥଳରେ ନାବାଳିକାମାନଙ୍କୁ ଗଣଦୁଷ୍କର୍ମ କରାଯାଉଥିବା ଭଳି ଘଟଣା ପଦାକୁ ଆସିବା ପରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସତର୍କ ଦୃଷ୍ଟି ରଖିବାକୁ ନିର୍ଦେଶ ହୋଇଥିଲା। ଏହା ସତ୍ତ୍ବେ ଢେଙ୍କାନାଳରେ ସେଲଟର୍‌ ହୋମ କେଳେଙ୍କାରୀ ପଦାକୁ ଆସିଛି।

ସମ୍ବନ୍ଧିତ ଖବର