ଆଗୁଆ ମୌସୁମୀ ପାଇଁ ପାଗ ଅନୁକୂଳ

ଭୁବନେଶ୍ୱର : ଜୁନ୍‌ ୫ ଓ ୬ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓ ଉତ୍ତରରେ ବର୍ଷିବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ପ୍ରକାଶ କରିଛି ଭାରତୀୟ ପାଣିପାଗ ବିଭାଗ। କୁହାଯାଇଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ପାଇଁ ପାଗ ଅନୁକୂଳ ରହିଛି। ତାମିଲନାଡ଼ୁ ସମେତ ତ୍ରିପୁରା, ନାଗାଲାଣ୍ଡ, ମଣିପୁର, ମିଜୋରାମ, ଆସାମ ଓ ଅରୁଣାଞ୍ଚଳ ପ୍ରଦେଶରେ ମୌସୁମୀ ବର୍ଷ ଜାରି ରହିଛି। ମେ’ ୪ରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଉପକୂଳ, ରୟାଲସୀମା, କେରଳ ସମେତ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ। ୫ ତାରିଖ ବେଳକୁ ଓଡ଼ିଶା ସମେତ ଉପକୂଳ ଆନ୍ଧ୍ର, କର୍ଣ୍ଣାଟକ, କେରଳ, କୋଙ୍କଣରେ ପ୍ରବଳ ବର୍ଷା ହେବ। ଦୁଇ ଦିନ ଧରି ପ୍ରବଳ ବର୍ଷା ଲାଗି ରହିବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ କହୁଛି, ସୋମବାର ଉପକୂଳ ଓ ଉତ୍ତର ଓଡ଼ିଶାରେ ଝଡ଼ବର୍ଷା ସହ ବଜ୍ରପାତର ଆଶଙ୍କା ରହୁଛି। ୫ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ଅନୁଗୁଳ, ପୁରୀ, କଟକ, ଖୋର୍ଧାରେ କାଳବୈଶାଖୀ ହୋଇପାରେ। ମେ’ ୬ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଞ୍ଜାମ, ଗଜପତି, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୭ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷିବ। ଏହାପରେ ପାଗରେ କିଛିଟା ପରିବର୍ତନ ଆସିବ ବୋଲି କେନ୍ଦ୍ରର ଭାରପ୍ରାପ୍ତ ନିର୍ଦେଶକ ଏଲ୍‌.ଡି. ମହାପାତ୍ର କହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଦାରିଙ୍ଗବାଡ଼ିରେ ସର୍ବାଧିକ ୨୩ ମି.ମି. ବର୍ଷା ହୋଇଥିବା ବେଳେ ଫୁଲବାଣୀରେ ୨୧.୮, ଢ଼େଙ୍କାନାଳରେ ୧୪, କେନ୍ଦୁଝରରେ ୧୨.୪, ତାଳଚେରରେ ୧୦, କଟକରେ ୮.୨, କୋରାପୁଟରେ ୭.୪ ମି.ମି. ବର୍ଷା ହୋଇଛି। ଭୁବନେଶ୍ୱର ସମେତ ଝାରସୁଗୁଡ଼ାରେ ବି ହାଲକା ବର୍ଷା ରେକର୍ଡ କରାଯାଇଛି। ଏହାରି ଭିତରେ ଆଜି ବଲାଙ୍ଗୀର ତାପମାତ୍ରା ୪୦.୫ ଡିଗ୍ର୍ରି ରହିଥିବା ବେଳେ ସୋନପୁରରେ ୪୦.୪, ଭବାନୀପାଟଣାରେ ୪୦.୨ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର