ଗୁଗଲ୍‌ କୋଡ୍‌ ଅନ୍‌ଲାଇନ ପରୀକ୍ଷାରେ ଓଡ଼ିଆ ଛାତ୍ରୀଙ୍କ କମାଲ୍‌ : ଶ୍ରେଷ୍ଠ ୫୦ରେ ଡିଏଭି ଚନ୍ଦ୍ରଶେଖରପୁରର ଓମ୍‌ସି ସାମଲ

ଚନ୍ଦ୍ରଶେଖରପୁର : ବିଶ୍ୱର ସବୁଠାରୁ ବଡ଼ ସର୍ଚ୍ଚ ଇଂଜିନ୍‌ ‘ଗୁଗଲ’ ଦ୍ୱାରା ପରିଚାଳିତ ‘ଗୁଗଲ କୋଡ୍‌’ ଅନ୍‌ଲାଇନ ପରୀକ୍ଷାରେ ଓଡ଼ିଆ ଛାତ୍ରୀ ସଫଳତା ଅର୍ଜନ କରିଛନ୍ତି। ଡିଏଭି ପବ୍ଲିକ୍‌ ସ୍କୁଲ୍‌ ଚନ୍ଦ୍ରଶେଖରପୁରର ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଓମ୍‌ସି ସାମଲ ଏହି ପରୀକ୍ଷାରେ ଶ୍ରେଷ୍ଠ ୫୦ରେ ସ୍ଥାନ ପାଇଛନ୍ତି। ଲିକ୍ୱିଡ୍‌ ଗାଲାକ୍ସି ଶୀର୍ଷକ ବିଷୟରେ ପ୍ରସ୍ତୁତ ତାଙ୍କ ସ୍ୱତନ୍ତ୍ର ପ୍ରକଳ୍ପକୁ ପ୍ରଥମ ପୁରସ୍କାର ମିଳିଛି। ଜୁନ୍‌ ପ୍ରଥମ ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଗୁଗଲ୍‌ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ସମ୍ବର୍ଧିତ କରାଯିବ। ଏହାସହ ଗୁଗଲ୍‌ ପକ୍ଷରୁ ଓମ୍‌ସି ଓ ତାଙ୍କ ଅଭିଭାବକଙ୍କ ପାଇଁ ଆମେରିକାରେ ଏକ ସପ୍ତାହ ରହଣି ଓ ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଦଶମ ବାର୍ଷିକ ପରୀକ୍ଷାରେ ୯୬ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଓମ୍‌ସି ଜଣେ ମେଧାବୀ ଛାତ୍ରୀ। ଓମ୍‌ସିଙ୍କ ପିତା ସୌମ୍ୟରଂଜନ ସାମଲ ଜଣେ ବ୍ୟାଙ୍କ ଅଧିକାରୀ ଓ ମା’ କଲ୍ୟାଣୀ ସାମଲ ଗୃହିଣୀ। ଗୁଗଲ୍‌ ପରୀକ୍ଷାରେ ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଡ. କେ ସି ଶତପଥୀ ଓ ସୁପରଭାଇଜର୍‌ ନିରଞ୍ଜନ ସ୍ୱାଇଁ ପ୍ରମୁଖ ଓମ୍‌ସିଙ୍କୁ ସମ୍ବର୍ଧିତ କରିଥିଲେ। ଏହି ଅବସରରେ ଓମ୍‌ସିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର