ଏଣିକି ଓଡ଼ିଆ ଭାଷାରେ ଉପଲବ୍ଧ ହେବ ଗୁଗୁଲ, ଓଡ଼ିଆରେ ସର୍ଚ୍ଚ କରିହେବ

ଭୁବନେଶ୍ୱର : ଓଡିଆବାସୀଙ୍କ ଓ ଓଡ଼ିଆଭାଷା ପ୍ରେମୀଙ୍କ ପାଇଁ ଖୁସି ଖବର । ଏଣିକି ଓଡ଼ିଶା ଭାଷାକୁ ସପୋର୍ଟ କରିବ ଗୁଗୁଲ । ଓଡ଼ିଶାରେ ସର୍ଚ୍ଚ କରିହେବ , ଭଏସ ସର୍ଚ୍ଚ ମଧ୍ୟ କରିହେବ । ଓଡ଼ିଶା ସରକାରଙ୍କ ପ୍ରଚେଷ୍ଟା ପରେ ଏଥିଲାଗି ଗୁଗୁଲ ରାଜି ହୋଇଛି । ଆସନ୍ତା ମାସରେ ଏ ନେଇ ସରକାର ଓ ଗୁଗୁଲ ମଧ୍ୟରେ ଏକ ଚୁକ୍ତି ହେବ । ଏହା ଫଳରେ ଓଡ଼ିଆ ଭାଷା ପ୍ରସାର ଆହୁରି ଦ୍ରୁତ ହୋଇପାରିବ ବୋଲି ଆଶା କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ଆଗକୁ ଗୁଗୁଲ ପେଜରେ ସ୍ଥାନ ପାଇବ ଓଡିଆ ଭାଷା । ଆଉ ଓଡିଆ ଭାଷାରେ ବିଭିନ୍ନ ସାଇଟକୁ ଲଗ-ଅନ କରିପାରିବେ ବିଶ୍ୱବାସୀ । ଅର୍ଥାତ୍ ବିଶ୍ୱର ଯେକୌଣସି ସ୍ଥାନରେ ବସି ଆପଣ ଗୁଗୁଲକୁ ସର୍ଚ୍ଚ କରି ଓଡ଼ିଆ ସାଇଟକୁ ଯାଇପାରିବେ । ଓଡ଼ିଆ ଭାଷାରେ ସବୁ ତଥ୍ୟ ପାଇପାରିବେ । ହିନ୍ଦି ଓ ଇଂଲିଶକୁ ଛାଡ଼ି ୮ଟି ଆଂଚଳିକ ଭାଷାରେ ଗୁଗୁଲ ଏହି ସେବା ଯୋଗାଇ ଦେଉଛି । ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ହୋଇଥିଲେ ବି ଏପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହୋଇନାର୍ହି । ଏବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଏପ୍ରିଲ ମାସରେ ରାଜ୍ୟ ସରକାର ଓ ଗୁଗୁଲ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେବ ।

ବହୁ ଦିନ ଧରି ଗୁଗୁଲରେ ଓଡିଆ ଭାଷାକୁ ସ୍ଥାନ ପାଇବା ନେଇ ବିଭିନ୍ନ ସଂଗଠନ ଦାବି କରିଆସୁଥିଲେ । ଗୁଗୁଲକୁ ମଧ୍ୟ ଏ ନେଇ ଚିଠି ଲେଖାଯାଇଥିଲା । କିନ୍ତୁ ସରକାରୀ ହେଉନଥିବା ଯୋଗୁଁ ଏହି କ୍ୟାମ୍ପେନିଂ ଅଧା ବାଟରେ ରହିଯାଇଥିଲା । କିନ୍ତୁ ଏ ଦିଗରେ ଏବେ ସରକାର ଅଣ୍ଟା ଭିଡିଛନ୍ତି । ଗତକାଲି ସଚିବାଳୟରେ ଏ ନେଇ ଉନ୍ନୟନ କମିଶନ ଆର. ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବୈଠକ । ଗୁଗୁଲରେ ଓଡ଼ିଆ ଭାଷା ଇଂଟିଗ୍ରେଟ୍ ହେବା ସହିତ ବିରଳ ପୁସ୍ତକ, ଓଡିଆ ଶଦ୍ଦକୋଷ, ବର୍ଣ୍ଣବୋଧ, ଓଡିଆ ବ୍ୟାକରଣ ଓ ଯୁକ୍ତାକ୍ଷର ମଧ୍ୟ ସ୍ଥାନ ପାଇବ । ଏହାକୁ କାର୍ଯ୍ୟକାରୀ ପାଇଁ ନୋଇଡ଼ାର ଏକ ସଂସ୍ଥାକୁ ସେଂଟର ଫର ଡେଭଲପମେଂଟ ଅଫ ଆଡଭାନ୍ସ କମ୍ପ୍ୟୁଟିଂ-ସିଡ଼ାକକୁ ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧିତ ଖବର