ସିଂହଦ୍ବାରରୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର ହେବ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି

ପୁରୀ : ଶ୍ରୀମନ୍ଦିର ସିଂହଦ୍ବାରରେ ସ୍ଥାପିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ। ବଡ଼ଛତା ମଠ ଓ ରାମଦୟା ପରିଷଦ ମଝିରେ ଥିବା ଫାଣ୍ଡି ଜାଗାରେ ଅସ୍ଥାୟୀ ଭାବେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ମେଘନାଦ ପାଚେରି ସଂଲଗ୍ନ ଜବରଦଖଲ ଉଚ୍ଛେଦ ପରେ ପୁରୀ ଜିଲ୍ଲା ପ୍ରଶାସନ ଆଜି ଏହି ନିଷ୍ପତ୍ତି ନେଇଛି।

ମିଳିଥିବା ସୂଚନା ମୁତାବକ, ସ୍ବାଧୀନତା ସଂଗ୍ରାମ ସମୟରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଅତି ଘନିଷ୍ଠ ଥିଲେ ଗୋପବନ୍ଧୁ। ଗୋପବନ୍ଧୁଙ୍କ ଦେହାନ୍ତ ପରେ ତାଙ୍କ ସ୍ମୃତିକୁ ଉଦ୍‌ଜୀବିତ କରି ରଖିବା ଲକ୍ଷ୍ୟରେ ସେ ସମୟରେ ବଡ଼ଦାଣ୍ଡରେ ଗୋପବନ୍ଧୁଙ୍କ ପ୍ରତିମୂର୍ତି ସ୍ଥାପନ କରାଯାଇଥିଲା। ନିଜେ ମହାତ୍ମାଗାନ୍ଧୀ ଏହାର ଶୁଭ ଉନ୍କୋଚନ କରିଥିଲେ। କାଳକ୍ରମେ ଏହାକୁ ବଡ଼ଦାଣ୍ଡରୁ ହଟାଯାଇ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପାଖରେ ରଖାଯାଇଥିଲା। କିନ୍ତୁ ଶ୍ରୀମନ୍ଦିର ମେଘନାଦ ପାଚେରି ସଂଲଗ୍ନ ସରକାରୀ, ବେସରକାରୀ କୋଠା, ଦୋକାନ ଘର ଉଚ୍ଛେଦ ଯୋଗୁଁ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ବି ଭାଙ୍ଗି ଦିଆଯାଇଛି। କିନ୍ତୁ ଗୋପବନ୍ଧୁଙ୍କ ପ୍ରତିମୂର୍ତି ରହିବାରୁ ଉଚ୍ଛେଦ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଏହାର ବିକଳ୍ପ ବ୍ୟବସ୍ଥା ଚିନ୍ତା କରିବାକୁ ଯାଇ ଜିଲ୍ଲା ପ୍ରଶାସନ ପ୍ରଥମେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ପୂର୍ବରୁ ମେଘନାଦ ପାଚେରିକୁ ଲାଗି ଥିବା ସିଂହଦ୍ବାର ଫାଣ୍ଡି ଜାଗାରେ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଛି। ସ୍ଥାୟୀ ବ୍ୟବସ୍ଥା ପରେ ସେଠାରୁ ପୁନର୍ବାର ଗୋପବନ୍ଧୁ ପ୍ରତିମୂର୍ତ୍ତିକୁ ଘୁଞ୍ଚାଇ ଅଣାଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର