୨୪ରୁ ଅ‌ାରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ

ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ ଆସନ୍ତା ୨୪ରୁ ଆରମ୍ଭ ହେବ ଗୋପାଳପୁର ମହୋତ୍ସବ। ଏହି ମହୋତ୍ସବ ୫ଦିନ ଧରି ଅର୍ଥାତ  ୨୮ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଚଳିତ ବର୍ଷ ମହୋତ୍ସବର ଆକର୍ଷଣ ସାଜିବେ ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମ୍,ସାନ୍‌ ଓ ବଲିଉଡ୍‌ର ହାସ୍ୟ ଅଭିନେତା ସଙ୍କିତ୍ ଭୋସଲେ ।ଏଥିସହ ରୁଷିଆରୁ ଏକ ନୃତ୍ୟଶିଳ୍ପୀ ଦଳ ଏହି ମହୋତ୍ସବରେ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ଋଷିକୁଲ୍ୟ ସମ୍ମିଳନୀ କକ୍ଷରେ ଆଜି ଗୋପାଳପୁର ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାରେ  ଅନୁଷ୍ଠିତ ବୈଠକରେ ମହୋତ୍ସବର ଲୋଗୋକୁ ଉନ୍ମୋଚିତ ହୋଇଛି। ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ ଲ‌ୋଗୋକୁ ଉନ୍ମୋଚନ କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରତିଦିନ ମହୋତ୍ସବରେ ଦେଢରୁ ଦୁଇ ଲକ୍ଷ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବନ୍ଦୋବସ୍ତର ବ୍ୟବସ୍ଥା କରାଯିବ। ମହୋତ୍ସବରେ ସ୍ଥାନୀୟ କଳାକାରଙ୍କ ସମେତ ଲୋକକଳା ଓ ଲୋକ ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବ। ବଲିଉଡ୍ର ସୁନାମଧନ୍ୟ କଣ୍ଠଶିଳ୍ପୀ ସୋନୁ ନିଗମ୍,ବଲିଉଡ଼ର ହାସ୍ୟ କଳାକାର ତଥା କପିଲ ସୋର ଜଣାସୁଆ ହାସ୍ୟ ଅଭିନେତା ସଙ୍କିତ୍ ଭୋସଲେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।   ଏହି ମହୋତ୍ସବରେ ଓଲିଉଡ୍‌ ଅଭିନେତା ଅନୁଭବ, ବର୍ଷା, ସବ୍ୟସାଚୀ, ଅଚ୍ଚିର୍ତା,  ଏଲିନା, ହରିହର ଦାସ, କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ସମେତ ବ୍ରହ୍ମପୁର ପ୍ରିନ୍ସ ଡ଼୍ୟାନ୍ସ ଗ୍ରୁପ୍ ଏବଂ ଜାତୀୟ ଓ ଅନ୍ତର୍ଜାତୀୟସ୍ତର କଳାକାରମାନେ ଯୋଗ ଦେଇ ସେମାନଙ୍କ କଳା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି।  ଗଞ୍ଜାମ ଜିଲ୍ଲା ପ୍ରତି ନିର୍ବାଚନମଣ୍ତଳୀରୁ ୧୫୦ ରୁ ୨୦୦ ସ୍ବେଚ୍ଛାସେବୀଙ୍କୁ ମହୋତ୍ସବ କାର୍ଯ୍ୟକ୍ରମରେ ନିୟୋଜିତ କରିବା ଲାଗି ଗୋପାଳପୁର ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରସ୍ତାବ ରଖିଥିଲେ। ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତି ଏବଂ ପରମ୍ପରାକୁ ତ୍ବରାନ୍ବିତ କରିବା ପାଇଁ ପ୍ରତି ନିର୍ବାଚନମଣ୍ତଳୀରେ ମହୋତ୍ସବ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ସେହିପରି ମହୋତ୍ସବରେ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯିବାକୁ ବୈଠକରେ ଆଲୋଚନା ହୋଇଛି।  ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ସୁବିଧା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ସୁଯୋଗ ସମ୍ବନ୍ଧରେ  ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର କହିଛନ୍ତି। ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ,  ପୂର୍ବତନ ମନ୍ତ୍ରୀ ତଥା ଚିକିଟି ବିଧାୟିକା ଉଷା ଦେବୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ତା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଖଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ସୋରାଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ୍ ପଲାଇ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ସମେତ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର