ଗୋପାଳପୁର ବେଳାଭୂମି ମହୋତ୍ସବ-୨୦୧୭ ଉଦ୍‌ଘାଟିତ

ବ୍ରହ୍ମପୁର: ଆଜି ଗୋପାଳପୁର ବେଳାଭୂମି ମହୋତ୍ସବ-୨୦୧୭ ଉଦ୍‌ଘାଟିତ ହୋଇଛି। ଏଥିରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ପାତ୍ର କହିଥିଲେ ପର୍ଯ୍ୟଟନ ସ୍ଥଳୀର ବିକାଶ ଉପରେ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ଫଳସ୍ୱରୂପ ରାଜ୍ୟର ବିଭିନ୍ନ ସ୍ଥାନରେ ଏମିତି ମହୋତ୍ସବ ଆୟୋଜନ କରାଯାଉଛି। ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବର ପ୍ରଥମ ସଂଧ୍ୟାରେ ଆଜି ପ୍ରବଳ ଜନସମାଗମ ହୋଇଥିଲା। ରବିବାର ଥିବାରୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଅପରାହ୍ନରେ ଜଳକ୍ରୀଡ଼ା, ବାକୁକା କଳାକୃତି, ଟୁରିଜିମ୍‌ ଷ୍ଟଲ୍‌, ପଲ୍ଲିଶ୍ରୀ ମେଳା, ଫୁଡ୍‌ କୋର୍ଟ ଉଦ୍‌ଘାଟିତ ହୋଇଥିବା ବେଳେ ଅପରାହ୍ନ ସାଢ଼େ ୪ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ସଂଧ୍ୟାରେ ଗୋପାଳପୁର ବେଳାଭୂମି ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଆସିକା ବିଧାୟକ ଦେବରାଜ ମହାନ୍ତି, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ, ଡିଆର୍‌ଡିଏ ପିଡି ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ପ୍ରଥମ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମରେ ଇଣ୍ଡିଆନ୍‌ ଆଇଡଲ୍‌(ଜୁନିୟର୍‌) ବିଜେତା ଅନନ୍ୟା ଶ୍ରୀତମ ମୁଖ୍ୟ ଆକର୍ଷଣ ପାଲଟିଥିଲେ। ସେ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ରର ସଂଗୀତ ପରିବେଷଣ କରିଥିଲେ। ଦର୍ଶକ ମାନେ ଅନନ୍ୟାଙ୍କ ସଂଗୀତରେ ଝୁମି ଉଠିଥିଲେ। ଏହା ସହିତ ବ୍ରହ୍ମପୁର, ଛତ୍ରପୁର, ଭଞ୍ଜନଗର ପ୍ରଭୃତି ଅଞ୍ଚଳର ଡ୍ୟାନ୍ସ ଗ୍ରୁପ୍‌ ତରଫରୁ ଆଧୁନିକ ନୃତ୍ୟ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର