ବ୍ୟାଡ୍‌ମିଣ୍ଟନ୍‌ ପାଇଁ ଅଣ୍ଟା ଭିଡ଼ିଲେ : କ୍ରୀଡ଼ା ବିଭାଗ-ଗୋପିଚାନ୍ଦ ଫାଉଣ୍ଡେସନ୍‌ ଏମ୍‌ଓୟୁ

0 113

ଭୁବନେଶ୍ୱର : କ୍ରୀଡ଼ା କ୍ଷେତ୍ରରେ ଅଲିମ୍ପିକ୍‌ ମେଡାଲ୍‌ ଜିତିବା ପାଇଁ ଓଡ଼ିଶାର ଆଶା ଆକାଂକ୍ଷା ରହିଛି। ରାଜ୍ୟର ଏହି ସ୍ୱପ୍ନକୁ ପୁଲେଲା ଗୋପିଚାନ୍ଦଙ୍କ ଭଳି ପ୍ରଖ୍ୟାତ କ୍ରୀଡ଼ାବିତ୍‌ ହିଁ ସାକାର କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଓ ପୁଲେଲା ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ଫାଉଣ୍ଡେସନ ମଧ୍ୟରେ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ବ୍ୟାଡ୍‌ମିଣ୍ଟନର କିମ୍ବଦନ୍ତୀ ପୁରୁଷ କୁହାଯାଉଥିବା ପଦ୍ମଭୂଷଣ ପୁଲେଲା ଗୋପିଚାନ୍ଦ ଦେଶ ବିଦେଶର ଅନେକ ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇଛନ୍ତିି। ସେହି କ୍ରୀଡ଼ାବିତ୍‌ମାନେ ଦେଶ ପାଇଁ ଖ୍ୟାତି ଅର୍ଜନ କରିଛନ୍ତି। ଏହି ବୁଝାମଣାପତ୍ର ମାଧ୍ୟମରେ ବିଶ୍ୱସ୍ତରୀୟ ବ୍ୟାଡ୍‌ମିଣ୍ଟନ ତାଲିମ ସୁବିଧା ଏଠାରେ ଉପଲବ୍ଧ ହେବ। ହକି ପରେ ବ୍ୟାଡ୍‌ମିଣ୍ଟନକୁ ଫୋକସ୍‌ କ୍ରୀଡ଼ା ଭାବେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତିି। ଶ୍ରୀ ଗୋପିଚାନ୍ଦ ଓ ତାଙ୍କ ଫାଉଣ୍ଡେସନ୍‌ର ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଉପଲବ୍ଧ ହେବ। ଫଳରେ ଆମ ରାଜ୍ୟରୁ ହିଁ ଆନ୍ତର୍ଜାତିକ ସ୍ତରର ଚାମ୍ପିୟନ ସୃଷ୍ଟି ହୋଇପାରିବେ। ଏଥିପାଇଁ ଗୋପିଚନ୍ଦ ଓ ତାଙ୍କ ଫାଉଣ୍ଡେସନକୁ ରାଜ୍ୟ ସରକାର ସମସ୍ତ ଭିତ୍ତିଭୂମି ସୁବିଧା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

୨୦୧୭ରେ ଆୟୋଜିତ ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନସିପ୍‌ର ସଫଳତା ସଂପର୍କରେ ସ୍ମୃତିଚାରଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ମାତ୍ର ୯୦ ଦିନ ଭିତରେ ଭୁବନେଶ୍ୱରରେ ଏଭଳି ବିଶାଳ କ୍ରୀଡ଼ା ମହାକୁମ୍ଭର ଆୟୋଜନ ହୋଇଥିଲା। ଏଥିରେ ଯୋଗ ଦେଇଥିଲେ ୪୨ଟି ଦେଶର ଏକ ହଜାରରୁ ଅଧିକ ପ୍ରତିଯୋଗୀ। ଏହି ଆନ୍ତର୍ଜାତିକ କ୍ରୀଡ଼ା ମହୋତ୍ସବ ରାଜ୍ୟର ନେତୃତ୍ୱ କ୍ଷମତାକୁ ଜାହିର କରିଥିଲା। ଏପରି କି ଭୁବନେଶ୍ୱର ଦେଶର କ୍ରୀଡ଼ା ରାଜଧାନୀ ଭାବେ ଉଭା ହେବାର ସାମର୍ଥ୍ୟ ପ୍ରଦର୍ଶନ କରିଥିଲା।

Panda Mobile only

ଏହି ଅବସରରେ ଶ୍ରୀ ଗୋପିଚାନ୍ଦ କହିଲେ, ରାଜ୍ୟ ସରକାର କ୍ରୀଡ଼ା କ୍ଷେତ୍ରରେ ବିକାଶ ପାଇଁ ଯେଉଁଭଳି ସହଯୋଗ, ସମର୍ଥନ ଯୋଗାଉଛନ୍ତି ତାହା ଦେଖି ସେ ଅଭିଭୂତ। ବିଶେଷ କରି ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନସିପ୍‌ର ଅଭୂତପୂର୍ବ ସଫଳତା, ଭାରତୀୟ ହକି ଦଳକୁ ପୃଷ୍ଠପୋଷକତା, ରାଜ୍ୟରେ ହାଇ ପର୍‌ଫର୍ମାନ୍ସ ଟ୍ରେନିଂ ସେଣ୍ଟରମାନ ସ୍ଥାପନ ଆଦି ପ୍ରଦର୍ଶନ କରୁଛି ଯେ ଓଡ଼ିଶା ଏକ ମହାନ୍‌ ରାଜ୍ୟ। ଏହି ରାଜ୍ୟର ଏକ ଦୂରଦୃଷ୍ଟିସଂପନ୍ନ ସରକାର ରହିଥିବା ସେ ଅଭିହିତ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ଚ୍ୟାଲେଞ୍ଜ ଟୁ ଅପର୍‌ଚୁନିଟି’ ଶୀର୍ଷକ ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନସିପ୍‌ କଫି ଟେବୁଲ୍‌ ପୁସ୍ତକ ଉନ୍ମୋଚନ କରିଥିଲେ। ଏହି ଅବସରରେ ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନସିପ୍‌, ୨୦୧୭ ଡକ୍ୟୁମେଣ୍ଟାରି ପ୍ରଦର୍ଶନ କରାଯାଇଥିଲା। ଏଭଳି ଆନ୍ତର୍ଜାତିକ କ୍ରୀଡ଼ା ଆୟୋଜନ ଫଳରେ ଓଡ଼ିଶା ପାଇଁ ଆଉ ଏକ ସ୍ୱର୍ଣ୍ଣିମ ଫର୍ଦ ଯୋଡ଼ି ହୋଇଯାଇଥିବା କହିଥିଲେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା। ବିଭାଗୀୟ ସଚିବ ବିଶାଲ୍‌ ଦେବ ଓ ଶ୍ରୀ ଗୋପିଚାନ୍ଦ ଏମ୍‌ଓୟୁ ସ୍ୱାକ୍ଷର କରିଥିଲେ। ଏହି ଉତ୍ସବରେ ମନ୍ତ୍ରୀ ପ୍ରଦୀପ ମହାରଥୀ, ପ୍ରଫୁଲ୍ଲ ସାମଲ, ପ୍ରତାପ ଜେନା, ରମେଶ ଚନ୍ଦ୍ର ମାଝୀ, ଅଶୋକ ଚନ୍ଦ୍ର ପଣ୍ଡା, ଉନ୍ନୟନ କମିସନର ଆର୍‌. ବାଲକ୍ରିଷ୍ଣନଙ୍କ ସମେତ ବହୁ ପଦାଧିକାରୀ, ଫାଉଣ୍ଡେସନ୍‌ର କର୍ମକର୍ତା, ରାଜ୍ୟର କ୍ରୀଡ଼ାବିତ୍‌ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.