ଲକ୍ଷାଧିକ ସରକାରୀ ପଦବି ଖାଲି : ଶିକ୍ଷା, ଗୃହ ଓ ସ୍ବାସ୍ଥ୍ୟ ବିଭାଗରେ ସ୍ଥିତି ଦୟନୀୟ, ୬୭୧୯ରୁ ୨୯୭୮ଡାକ୍ତର ପଦବି ଖାଲି, ୩୯୧ ଗାଏବ

ଭୁବନେଶ୍ବର : ରାଜ୍ୟ ସରକାର ଲୋକଙ୍କ ସୁରକ୍ଷା, ଶିକ୍ଷା ଓ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଉଛନ୍ତି ବୋଲି କହୁଥିଲେ ହେଁ ଏହି ତିନିଟି ବିଭାଗରେ ସବୁଠୁ ଅଧିକ ପଦବି ଖାଲି ପଡ଼ିଛି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସରକାରଙ୍କ ବିଭିନ୍ନ ବିଭାଗରେ କେତେ କେତେ ପଦବି ଖାଲି ପଡ଼ିଛି ସେ ତଥ୍ୟ ରଖିଛନ୍ତି। କହିଛନ୍ତି, ମାର୍ଚ୍ଚ ୩୧, ୨୦୧୮ ସୁଦ୍ଧା ରାଜ୍ୟରେ ମୋଟ୍ ୪,୯୭,୨୫୭ଟି ଅନୁମୋଦିତ ପଦବି ଥିବାବେଳେ ୧,୨୦,୫୧୨ଟି ଖାଲି ପଡ଼ିଥିଲା। ସେହିପରି ୮୫,୭୬୪ଟି ଗ୍ରାଣ୍ଟ-ଇନ୍-ଏଡ୍‌ ପଦବି ଥିବାବେଳେ ୧୧୦୦୬ଟି ପଦବି ଖାଲି ପଡ଼ିଛି। ୧୯୯୯ରୁ ୨୦୦୮ ମଧ୍ୟରେ ୪୧୩୬୫ଟି ପଦବି ଉଚ୍ଛେଦ କରାଯାଇଛି।

ଗୃହ ବିଭାଗରେ ୧୬୭୩୧ଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୨୭୩୦୮ଟି ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୬୦୦୬ଟି ପଦବି ଖାଲି ପଡ଼ିଛି। କୃଷି, ଜଳସମ୍ପଦ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଯଥାକ୍ରମେ ୫୪୬୨, ୫୭୬୩ ଏବଂ ୭୩୯୦ଟି ପଦବି ଖାଲି ପଡ଼ିଛି। ମୋଟ୍‌ ୪୧ଟି ବିଭାଗରୁ ୧୯ଟି ବିଭାଗରେ ହଜାରେରୁ ଅଧିକ ପଦବି ଖାଲି ପଡ଼ିଛି। ସାଧାରଣ ଅଭିଯୋଗ ଏବଂ ପେନସନ୍ ପ୍ରଶାସନ ବିଭାଗରେ ସବୁଠୁ କମ୍ ୭ଟି ପଦବି ଖାଲି ପଡ଼ିଛି। ସେହିପରି ରାଜ୍ୟରେ କେ‌ଉଁ ଗ୍ରେଡ୍‌ରେ କେତେ ପୁଲିସ ଅଧିକାରୀ ଅଛନ୍ତି, କେତେ ପଦବି ଖାଲି ପଡ଼ିଛି ବୋଲି ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚାରିଥିଲେ ହେଁ ଏହି ପ୍ରଶ୍ନର ଉତ୍ତର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଦେଇଥିଲେ। ଶ୍ରୀ ମିଶ୍ର କହିଥିଲେ ଯେ, ଓଡ଼ିଶା ପୁଲିସରେ ମେ’ ୧, ୨୦୧୯ ସୁଦ୍ଧା ଗ୍ରୁପ୍‌-ଏରେ ୧୦୨୮ଟି ପଦବି ଥିବାବେଳେ ଏଥିରେ ୪୮୭ଟି ପଦବି ଖାଲି ପଡ଼ିଛି। ଗ୍ରୁପ୍‌ ବିରେ ୫୯୬୮ଟି ପଦବି ଥିବାବେଳେ ୨୦୫୦ଟି, ଗ୍ରୁପ୍‌ ସିରେ ୬୦୨୪୧ଟି ପଦବିରୁ ୫୭୮୧ଟି ପଦବି ଖାଲି ପଡ଼ିଛି। ଏହିପରି ମୋଟ୍‌ ୬୭୨୩୭ଟି ପଦବିରୁ ୮୩୧୮ଟି ପଦବି ଖାଲି ପଡ଼ିଛି।

ସ୍ବାସ୍ଥ୍ୟ ବିଭାଗରେ ସ୍ଥିତି କେତେ ଦୟନୀୟ ଅଛି ତାହା ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଉତ୍ତରରୁ ଜଣାପଡ଼ିଛି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନ ରାଜ୍ୟର କେଉଁ ଜିଲ୍ଲାରେ କେତେ ଡାକ୍ତର ପଦବି ଖାଲି ପଡ଼ିଛି ତାର ଉତ୍ତର ଦେଇ ମନ୍ତ୍ରୀ କହିଲେ ଯେ, ରାଜ୍ୟରେ ୬୭୧୯ଟି ଡାକ୍ତର ପଦବି ଥିବାବେଳେ ଏବେ ୩୭୪୧ଜଣ ଡାକ୍ତର ଅଛନ୍ତି। ମୋଟି ଅନୁମୋଦିତ ପଦବିର ୪୪.୩୨% ଡାକ୍ତର ପଦବି ଖାଲି ପଡ଼ିଛି। ସବୁଠୁ ଅଧିକ ଡାକ୍ତର ପଦବି ମୟୂରଭଞ୍ଜ ଜିଲ୍ଲାରେ ଖାଲି ପଡ଼ିଛି। ଏଠାରେ ୪୦୭ଟି ପଦବି ଥିବାବେଳେ ୧୯୯ଟି ଖାଲି ପଡ଼ିଛି। କିନ୍ତୁ ମୋଟ୍ ପଦବି ହାରକୁ ଦେଖିଲେ ଭଦ୍ରକରେ ସର୍ବାଧିକ ୫୪.୪୪% ଡାକ୍ତର ପଦବି ଖାଲି ପଡ଼ିଛି। ୧୦ଟି ଜିଲ୍ଲାରେ ୫୦%ରୁ ଅଧିକ ଡାକ୍ତର ପଦବି ଖାଲି ପଡ଼ିଛି। ସବୁଠୁ କମ୍‌ ଡାକ୍ତର ପଦବି କ୍ୟାପିଟାଲ ହସ୍ପିଟାଲରେ ୧୨% ଏବଂ କଟକ ଜିଲ୍ଲାରେ ୧୫.୯୧% ପଡ଼ିଛି।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ୧୮୯ଜଣ ଡାକ୍ତରଙ୍କୁ ରିଲିଭ୍ କରାଯାଇଥିଲେ ସେମାନେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ୨୦୨ଜଣ ଡାକ୍ତର ଲମ୍ବା ଛୁଟିରେ ବା ଅଣଆନୁଷ୍ଠାନିକ ଭାବେ ଅନୁପସ୍ଥିତ ଅଛନ୍ତି। ଏହିପରି ମୋଟ୍‌ ୩୯୧ ଡାକ୍ତର ଗାଏବ ହୋଇଯାଇଛନ୍ତି। ଅପରପକ୍ଷେ ରାଜ୍ୟ ମୁଖ୍ୟାଳୟରେ ବି ପ୍ରଶାସନିକ କାର୍ଯ୍ୟ କରିବାକୁ ଡାକ୍ତର ନାହାନ୍ତି। ଏଠାରେ ୧୦୫ଟି ପଦବି ଥିବାବେଳେ ୬୧ଟି ପଦବି ଖାଲି ପଡ଼ିଛି।

ସମ୍ବନ୍ଧିତ ଖବର