‘ବୁଲବୁଲ’ ନେଇଯାଇଥାନ୍ତା ୬୦୦ ମତ୍ସ୍ୟଜୀବୀଙ୍କ ଜୀବନ ! ପଶ୍ଚିମବଙ୍ଗ ଓ ଓଡ଼ିଶାର ମିଳିତ ଉଦ୍ୟମ ବଞ୍ଚାଇଦେଲା

ଭଦ୍ରକ: ମାଛ ଧରିବୁ ଆଉ ନିଜ ତେଲେ ଲୁଣ ସଂସାରକୁ ବଞ୍ଚାଇବୁ | କିଛି ଏଭଳି ଭାବି ଗଭୀର ସମୁଦ୍ରକୁ ମାଛ ଧରିବାକୁ ପଶ୍ଚିମବଙ୍ଗ ମେଦିନୀପୁରରୁ ବାହାରିଥିଲେ ପାଖାପାଖି ୬୦୦ ଜଣ ମତ୍ସ୍ୟଜୀବୀ | ନିଜର ୫୦ଟି ବୋଟରେ ଏହି ମତ୍ସ୍ୟଜୀବୀମାନେ ମେଦିନୀପୁର କଣ୍ଟାଇରୁ ବାହାରିଥିଲେ |  କିଛି ବାତ୍ୟା ଆସୁଛି ବୋଲି ଶୁଣିଥିଲେ ବି ଏତେ ଭୟଙ୍କର ହେବ ବୋଲି ଆକଳନ କରିପାରିନଥିଲେ | ଗଭୀର ସମୁଦ୍ରରେ ମାଛ ଧରୁଥିଲେ ବି ବାତ୍ୟାକୁ ନେଇ ତାଜା ସୂଚନା ନଥିଲା |

କେଉଁ ବାଟ ଦେଇ ବାତ୍ୟା ବୁଲବୁଲ ଅତିକ୍ରମ କରିବ ତାହା ଏହି ମତ୍ସ୍ୟଜୀବୀଙ୍କ ଆକଳନରୁ ବାହାରେ ଥିଲା | ଓଡ଼ିଶାର ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟରୁ ଆସିଯାଇଥିଲେ ବି ଏହି ବଙ୍ଗୀୟ ମତ୍ସ୍ୟଜୀବୀମାନେ ଆସିପାରିନଥିଲେ | ପୁଣି ମତ୍ସ୍ୟଜୀବୀଙ୍କ ପାଇଁ କଣ୍ଟାଇ ଉପକୂଳକୁ ଫେରିବା ସୁରକ୍ଷିତ ନଥିଲା | କାରଣ ଏହା ମଧ୍ୟ ଦେଇ ବୁଲବୁଲ ଅତିକ୍ରମ କରିବାକୁ ଥିବାରୁ ଜୀବନ ଚାଲିଯିବାର ଆଶଙ୍କା ପ୍ରକାଶ କରିଥିଲେ ପଶ୍ଚିମବଙ୍ଗ ସରକାର | କିଭଳି ଏମାନଙ୍କ ଜୀବନ ବଞ୍ଚାଇହେବ ସେ ନେଇ ଓଡ଼ିଶା ସରକାରଙ୍କ ସହାୟତା ଲୋଡ଼ିଥିଲେ ପଶ୍ଚିମବଙ୍ଗ ସରକାରଙ୍କ ମୁଖ୍ୟ ଶାସନ ସଚିବ | ଓଡ଼ିଶା ସରକାର ବି ଏହି ମତ୍ସ୍ୟଜୀବୀଙ୍କୁ ସାହାଯ୍ୟ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ |

ଏହାପରେ ଆରମ୍ଭ ହୋଇଥିଲା ଅଭିଯାନ | ଓଡ଼ିଶାର ଭଦ୍ରକରେ ଥିବା ଧାମରା ଜେଟି ଓ କେନ୍ଦ୍ରାପଡାରେ ଥିବା ତାଳଚୁଆ ଜେଟିକୁ ଆସିବାକୁ କୁହାଯାଇଥିଲା | ଏହାପରେ ଏହି ମତ୍ସ୍ୟଜୀବୀମାନେ ଭରସା ପାଇଥିଲେ | ଧାମରା ଜେଟିକୁ ୧୩ଟି ବୋଟରେ ଥିବା ପ୍ରାୟ ୧୫୬ ଜଣ ଆସିଥିବାବେଳେ ତାଳଚୁଆ ଜେଟିକୁ ୩୭ଟି ବୋଟରେ ୪୪୪ ଜଣ ଆସିଛନ୍ତି | ତେବେ ଧାମରା ଜେଟିକୁ ଆସିବାକୁ ଥିବା ମତ୍ସ୍ୟଜୀବୀମାନେ ବର୍ତ୍ତମାନ ଧାମରା ନଦୀରେ ଥିବା ବେଳେ ଖୁବଶୀଘ୍ର ଜେଟିରେ ପହଂଚିବେ | ଏଠାରେ ଏମାନଙ୍କ ପାଇଁ ଖାଦ୍ୟ ଓ ରହଣିର ବ୍ୟବସ୍ଥା କରାଯାଇଛି | ‘ବୁଲବୁଲ’ ଚାଲିଯିବା ପରେ ଏମାନେ ପଶ୍ଚିମବଙ୍ଗ ଫେରିଯିବେ ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର