ନାଲିଫିତା ତଳେ ଆଦିବାସୀଙ୍କ ବିକାଶ : ସ୍ୱାଧୀନତାର ଅନେକ ବର୍ଷ ପରେ ବି ବିକାଶର ସ୍ୱାଦ ଚାଖି ପାରିନି ନୂଆଗାଁ ବ୍ଲକ୍‌ ଜାକେଡ଼ା ପଞ୍ଚାୟତର ଆଦିବାସୀ ଗାଁ ‘ବାଡ଼ିବାରୀ’

ରାସ୍ତାଘାଟ, ଶିକ୍ଷା ମୁଖ୍ୟ ସମସ୍ୟା

ନୂଆଗାଁ : ଆଦିବାସୀଙ୍କ ବିକାଶ ପାଇଁ ସରକାର ଯୋଜନା ପରେ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ସରକାରଙ୍କ ଏହି ଯୋଜନା ପ୍ରକୃତ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଫଳରେ ଆଦିବାସୀଙ୍କ ବିକାଶ ନାଲିଫିତା ତଳେ ଚାପି ହୋଇ ରହିଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଜାକେଡ଼ା ପଞ୍ଚାୟତର ଆଦିବାସୀ ବାଡ଼ିବାରୀ ଗାଁ ଏହାର ଜ୍ୱଳନ୍ତ ଉଦାହରଣ। ସ୍ୱାଧୀନତାର ଅନେକ ବର୍ଷ ପରେ ବି ଏହି ଗାଁ ବିକାଶର ସ୍ୱାଦ ଚାଖି ପାରିନି। କିନ୍ତୁ କାଗଜ କଲମରେ ଏଠି ଯୋଜନା ପ୍ରଣୟନ ହେଉଛି। ଏବେ ସରକାରୀ ଯୋଜନାର ସୁଫଳ ନପାଇ ସ୍ଥାନୀୟ ଆଦିବାସୀମାନେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ଏଠାକୁ ଆଜି ପର୍ଯ୍ୟନ୍ତ ରାସ୍ତା ଖଣ୍ତିଏ ନିର୍ମାଣ ହୋଇନାହିଁ। ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ୪୫ ପରିବାରର ୩ ଶହ ୫୦ ଜଣ ଲୋକଙ୍କୁ ନେଇ ବାଡ଼ିବାରୀ ଗାଁ ଗଠିତ। ସମସ୍ତେ ଆଦିବାସୀ ହୋଇଥିଲେ ହେଁ ଲୋକେ ସମସ୍ତ ସରକାରୀ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି। ଗାଁଟି ନୂଆଗାଁ ବ୍ଲକ୍‌ର ଶେଷ ସୀମାରେ ହୋଇଥିବାରୁ ଏହା ଉପରେ କାହାରି ଆଖି ପଡ଼େନି।

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଜାକେଡ଼ା ରାସ୍ତାରୁ ତିନି କିଲୋମିଟର ଯିବା ପରେ ପଡ଼େ ଏହି ବାଡ଼ିବାରୀ ଗାଁ। ଜଙ୍ଗଲ ପାହାଡ଼ ଘେରା ମଧ୍ୟରେ ଗ୍ରାମଟି ଅବସ୍ଥିତ। ଆଜି ପର୍ଯ୍ୟନ୍ତ ଗାଁ ପାଇଁ ରାସ୍ତା ଖଣ୍ତିଏ ନାହିଁ। ଆବଡ଼ାଖାବଡ଼ା ଅଙ୍କାବଙ୍କା ପାହାଡ଼ିଆ ପାଦଚଲା ରାସ୍ତା ଦେଇ ଲୋକେ ନିତିଦିନ ଯାତାୟାତ କରିଥାନ୍ତି। ଝାଟି ମାଟିର ନୂଆଣିଆ ନଡ଼ା ଛପର ଘରେ ସେମାନେ ବସବାସ କରୁଛନ୍ତି। ଚାଷ କାମ ସହ ଖଲି ସିଇଁବା ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ଏମାନଙ୍କ ମୁଖ୍ୟ ଜୀବିକା ବୋଲି ଗ୍ରାମବାସୀମାନେ କୁହନ୍ତି। ଜଙ୍ଗଲରୁ ମହୁ, ଝୁଣା ଏବଂ ଜାଳେଣି କାଠ ସଂଗ୍ରହ କରି ନିକଟରେ ଥିବା ବାହାଡ଼ାଝୋଲା ହାଟରେ ବିକ୍ରି କରିଥାନ୍ତି। ଦିନକୁ ଦିନ ଜଙ୍ଗଲ ସଂପଦ ଲୋପ ପାଉଥିବାରୁ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ବାଡ଼ିବାରୀ ଗାଁ ଲୋକଙ୍କ ଦୁଃଖ ବଢ଼ିବାରେ ଲାଗିଛି।

ମ୍ୟାଲେରିଆପ୍ରବଣ ଏହି ଗାଁରେ କେବେ ବି ସ୍ୱାସ୍ଥ୍ୟକର୍ମୀଙ୍କ ପାଦ ପଡ଼େ ନାହିଁ। ସ୍ୱାସ୍ଥ୍ୟ ଖରାପ ହେଲେ ଡିମିରିପଲ୍ଲୀ ଉପସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରି ଚଳନ୍ତି। ରାସ୍ତା ନଥିବାରୁ ଲୋକେ ରୋଗୀଙ୍କୁ ଦୋଳାରେ ଡାକ୍ତରଖାନାକୁ ନେଇଥାନ୍ତି। ବେଳେ ବେଳେ ରାସ୍ତାରେ ରୋଗୀର ମୃତ୍ୟୁ ମଧ୍ୟ ଘଟିଥାଏ। ଗାଁର ସୁରେନ୍ଦ୍ର ଯାନୀଙ୍କ ସ୍ତ୍ରୀ ସମ୍ବାରୀ ଯାନୀ ଏବଂ ବଜେନ୍ଦ୍ର ଯାନୀ ମ୍ୟାଲେରିଆ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିବାର ନଜିର ରହିଛି। ରାସ୍ତା ନଥିବାରୁ ଗାଁକୁ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ସେବା ପହଞ୍ଚି ପାରେନାହିଁ। ଗାଁ ସ୍କୁଲ୍‌ରେ ୧୨ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଜଣ ଶିକ୍ଷକ ଥିବା ବେଳେ ସେମାନେ ପାଳିକରି ବିଦ୍ୟାଳୟକୁ ଆସୁଥିବା ଗ୍ରାମବାସୀମାନେ କହିଛନ୍ତି। କେବଳ ସେତିକି ନୁହେଁ ଗୋଟିଏ ଶ୍ରେଣୀଗୃହରେ ସମସ୍ତଙ୍କୁ ବସାଇ ପାଠ ପଢାଯାଉଛି। ଗ୍ରାମବାସୀ ସୁରେନ୍ଦ୍ର ଯାନୀ, ତ୍ରିନାଥ ମଳିକ, ବିଶ୍ବନାଥ ମଳିକ, ଇନ୍ଦ୍ରମଣି ମଳିକ, କମସନ ବେହେରା, ବନମାଳି ମଳିକ ଏବଂ ଧନେଶ୍ବର ମଳିକ ରାସ୍ତା, ଶିକ୍ଷା ଓ ପାନୀୟ ଜଳ ମୁଖ୍ୟ ସମସ୍ୟା ବୋଲି କହିଛନ୍ତି। ଆବାସ ଯୋଜନା ସେମାନଙ୍କ ପାଇଁ ସାତସପନ ହୋଇ ରହିଛି। ଗାଁଠାରୁ ବ୍ଲକ୍ କାର୍ଯ୍ୟାଳୟ ୧୫ କିଲୋମିଟର ଦୂର ହୋଇଥିବାରୁ ଗ୍ରାମବାସୀ ବାରମ୍ବାର ଗୁହାରି କରିବାକୁ ଆସି ନିରାଶ ହୋଇ ଫେରୁଥିବା ଜଣାପଡ଼ିଛି। ଏତେସବୁ ସମସ୍ୟା ଲାଗି ରହିଥିଲେ ମଧ୍ୟ ସରକାରୀ ବାବୁମାନେ ଚିରନିଦ୍ରାରେ ଥିବା ଜଣାଯାଏ। ପ୍ରଶାସନ ଏବଂ ରାଜନେତା ଏହି ଆଦାବାସୀ ଗାଁଟି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର