ଖାତା ଦେଖାକୁ ବର୍ଜନ କରିଥିବା ଅଧ୍ୟାପକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ ସରକାର

ଭୁବନେଶ୍ୱର : ସରକାରଙ୍କର ସବୁ କୌଶଳ ଫେଲ୍‌ ମାରିଲା ପରେ ଯୁକ୍ତ୨ ପରୀକ୍ଷା ଖାତା ଦେଖାକୁ ବର୍ଜନ କରିଥିବା ଅଧ୍ୟାପକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଦେଖାଇଛି ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ। ନଅଦିନ ବିତି ଯାଇଥିଲେ ମଧ୍ୟ ୪୦ ପ୍ରତିଶତ ଖାତା ମୂଲ୍ୟାୟନ ଶେଷ ହୋଇ ନ ଥିବାରୁ ଶେଷରେ ଗତକାଲି ନିଲମ୍ବନ ପାଇଁ ନାଲିଆଖି ଦେଖାଇଥିଲେ ସରକାର। ଆଜି କିଛି କଲେଜ କର୍ତ୍ତୃପକ୍ଷକୁ ଦିଆଯାଇଛି ଅଧ୍ୟାପକଙ୍କୁ ସସପେଣ୍ଡ୍‌ କରିବା ପାଇଁ ନିର୍ଦ୍ଦେଶ। ଏଥିରେ ଢେଙ୍କାନାଳ ଆଞ୍ଚଳିକ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ମାୟାଧର ସାହୁଙ୍କୁ ନିଲମ୍ବନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ। ଖାତା ଦେଖିବା ପାଇଁ କଲେଜରୁ ରିଲିଭ୍‌ ହେବା ପରେ ଅଧ୍ୟାପକ ମାୟାଧର ସାହୁ ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେଇନଥିବାରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ।

ଗୋଟିଏ ପଟେ ନିଲମ୍ବନ ପାଇଁ ଆଦେଶ ଦେଇଥିବା ବେଳେ ଅନ୍ୟପଟେ ପ୍ରାୟ ୨୦୦୦ ଅଧ୍ୟାପକଙ୍କଠାରୁ ଜବାବ ତଲବ କରିଛନ୍ତି ସରକାର। ମୂଲ୍ୟାୟନରେ କାହିଁକି ଯୋଗ ଦେଉନାହାନ୍ତି, ସେଥିପାଇଁ ତୁରନ୍ତ ଉପରସ୍ଥ ଅଧିକାରୀଙ୍କୁ ଜଣାଇବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସରକାର। ସରକାର କଡ଼ା ଆଭିମୁଖ୍ୟ ଦେଖାଉଥିବା ବେଳେ ଅଧ୍ୟାପକ ସଂଘ ମଧ୍ୟ ନିଜ ଜିଦ୍‌ରେ ଅଟଳ ରହିଛି। ପ୍ରଥମେ ଦାବି ପୂରଣ କର, ପରେ ଖାତା ଦେଖା ହେବ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ମିଳିତ ମଂଚ। ଏଥିସହ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଖାତାଦେଖା ସ୍ୱାଭାବିକ କରାଇ ଦିଆଯିବ ନାହିଁ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଧମକ ଦେଇଛି।

ସରକାର ଓ ବ୍ଳକଗ୍ରାଣ୍ଟ ଅଧ୍ୟାପକଙ୍କ ଲଢେଇ ଜୋର ଧରିଥିବା ବେଳେ ଝୁଲି ରହିଛି ପିଲାମାନଙ୍କ ଭାଗ୍ୟ । ପ୍ରଥମ ପର୍ଯ୍ୟାୟର ଖାତା ଦେଖା ନବମ ଦିନରେ ପହଁଚିଛି । ହେଲେ ଏବେ ସୁଦ୍ଧା ମାତ୍ର ୪୦ ପ୍ରତିଶତରୁ କମ୍‌ ଖାତା ଦେଖାଯାଇଥିବା ସୂଚନା ମିଳିଛି। ପ୍ରାୟ ୫୮୦୦ ଅଧ୍ୟାପକଙ୍କୁ ଖାତା ଦେଖିବାକୁ ପାଇଁ ନିଯୁକ୍ତି କରିଥିଲେ ସରକାର। ସେଥିମଧ୍ୟରୁ ପ୍ରାୟ ୩୦୦୦ ବ୍ଳକ୍‌ ଗ୍ରାଣ୍ଟ ଅଧ୍ୟାପକ ଅଛନ୍ତି। ତେବେ ଏହି ଅଧ୍ୟାପକମାନେ ୬ ଦଫା ଦାବି ପୂରଣ ନହେଲେ ଖାତା ଦେଖିବେ ନାହିଁ ବୋଲି ଜିଦ୍‌ ଧରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେଥିରେ ରହିଛି ସତ୍ୟପାଠ ବ୍ୟବସ୍ଥାର ଉଚ୍ଛେଦ ଦାବି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ ବୋଲି ଶୁଣାଇଦେଇଛି ମିଳିତ ମଞ୍ଚ।

ଅନ୍ୟପଟେ ମେ’ ୨୦ ତାରିଖ ପରୀକ୍ଷା ଫଳ ପ୍ରକାଶ କରିବାକୁ ଧାର୍ଯ୍ୟ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଯଦି ଅଧ୍ୟାପକମାନେ ନିଜ ଦାବିରେ ଅଟଳ ରୁହନ୍ତି ତେବେ ମୂଲ୍ୟାୟନ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ସାଢେ ତିନି ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯିବାର ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର