ଚାଷୀଙ୍କ ପାଇଁ ଖୁସି ଖବର : ମଣ୍ଡିରେ ଧାନ ବିକ୍ରି କରିବାକୁ ଚାଷୀଙ୍କୁ ମିଳିବ ଆଗୁଆ ଟୋକନ୍, ଏସଏମ୍ଏସରେ ଆସିବ ସଂପୂର୍ଣ୍ଣ ସୂଚନା

ଭୁବନେଶ୍ବର: ଚାଷୀଙ୍କ ପାଇଁ ଖୁସି ଖବର । ଧାନ ବିକ୍ରି କରିବାକୁ ଚାଷୀଙ୍କୁ ଆଗୁଆ ଟୋକନ ଦେବେ ସରକାର । ଖରିଫ୍ ଧାନ ସଂଗ୍ରହ ନେଇ ଚାଷୀଙ୍କୁ ଟୋକନ ଦେବାକୁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଧାନ ସଂଗ୍ରହର ଧାର୍ଯ୍ୟ ଦିବସ ପୂର୍ବରୁ ଚାଷୀମାନଙ୍କୁ ବିକ୍ରି ଯୋଗ୍ୟ ଧାନ ସହ ମଣ୍ଡିରେ ଉପସ୍ଥିତ ରହିବାକୁ ଏସଏମଏସ ମାଧ୍ୟମରେ ଜଣାଯାଉଛି । ଅଗ୍ରୀମ ଟୋକନର ତାଲିକା କ୍ରୟକାରୀ ସୋସାଇଟିରୁ ପାଇପାରିବେ ଚାଷୀ । ଏସଏସଏସ ବାର୍ତ୍ତା ଅନୁସାରେ ଟୋକନ ସଂଗ୍ରହ କରି ଚାଷୀ ମଣ୍ଡିକୁ ଧାନ ଆଣିପାରିବେ ।

ଏହାଛଡା ଚଳିତଥର ପ୍ରଥମ ଥର ପାଇଁ ଟୋକନ ପ୍ରକ୍ରିୟା ମାନବ ହସ୍ତକ୍ଷେପରୁ ମୁକ୍ତ କରାଯାଇ କମ୍ପ୍ୟୁଟର ମାଧ୍ୟମରେ କରାଯାଉଛି । ଟୋକନ ପ୍ରଦାନରେ ଅନିୟମିତତା ରୋକିବାକୁ ଏଭଳି ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଲାଗୁ ହୋଇଥିବା ନୂତନ ବ୍ୟବସ୍ଥାରେ ପୂର୍ବ ନିର୍ଦ୍ଧାରିତ ମାପକାଠି ଅନୁସାରେ ଧାନ ବିକ୍ରି କରିବାକୁ ସୁଯୋଗ ପାଇବେ ଚାଷୀ । ଏପରିକି ନିର୍ଦ୍ଧାରିତ ତାରିଖରେ ମଣ୍ଡିକୁ ଧାନ ନ ଆଣି ପାରିଲେ ପରବର୍ତ୍ତୀ ସମୟରେ ମଧ୍ୟ ଚାଷୀଙ୍କୁ ଧାନ ବିକିବାକୁ ସୁଯୋଗ ଦିଆଯିବ ।

ଏହାଛଡା ବୃଦ୍ଧ, ରୋଗଗ୍ରସ୍ତ, ଅକ୍ଷମ ବ୍ୟକ୍ତିମାନେ ପ୍ରମାଣୀକରଣ ପାଇଁ ମଣ୍ଡିରେ ଉପସ୍ଥିତ ନ ରହିପାରିଲେ ମଧ୍ୟ ସେମାନଙ୍କ ଠାରୁ ଧାନ କ୍ରୟ କରାଯିବ । ଏହି ଟୋକନ ବ୍ୟବସ୍ଥା ଚାଷୀମାନଙ୍କ ହିତ ଉଦ୍ଦେଶ୍ୟରେ ଲାଗୁ କରାଯାଇଛି । ଏହା ମଣ୍ଡିରେ ଧାନ କ୍ରୟ ଓ ବିକ୍ରୟ କାର୍ଯ୍ୟକୁ ଶୃଙ୍ଖଳିତ କରିବ । ମଣ୍ଡିରେ ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବାକୁ ଏହି ଟୋକନ ବ୍ୟବସ୍ଥା ଆରମ୍ଭ ହୋଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର