ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଶାରୀରିକ ନିର୍ଯାତନା ଘଟଣା : ଅଭି‌ଯୋଗକାରିଣୀ ଓ ଅଭିଯୁକ୍ତଙ୍କ ବଦଳି ହେଲା

ବାଲିଆପାଳ : ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଜାଠିଆ କୃଷ୍ଣଭାନୁ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ ପ୍ରଧାନଶିକ୍ଷକଙ୍କ ଦ୍ବାରା ବାରମ୍ବାର ଦୁର୍ବ୍ୟବହାର, ଶାରୀରିକ ନିର୍ଯାତନାର ଶିକାର ଅଭିଯୋଗ ଆଣିବା ଘଟଣା‌ରେ ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୋଗ ଆଣିଥିବା ଶିକ୍ଷୟିତ୍ରୀ ଓ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ଅନ୍ୟତ୍ର ବଦଳି କରାଯାଇଛି। ଏହି ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ନିଆଯିବ।  ପୀଡ଼ିତା ଗଣମାଧ୍ୟମରେ ତାଙ୍କର ନିର୍ଯାତନାର କାହାଣୀ ବଖାଣିବା ପରେ ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୁଧବାର ବସ୍ତା ଏସ୍‌ଡିପିଓ ରଣଜିତ କୁମାର ପୃଷ୍ଟି ଏବଂ ବାଲିଆପାଳ ଥାନା ଏସ୍‌ଆଇ ସ୍ବର୍ଣ୍ଣପ୍ରଭା ଜେନା ସ୍କୁଲ୍‌ରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ବିଦ୍ୟାଳୟର ଶିକ୍ଷକ, ଗ୍ରାମବାସୀଙ୍କୁ ପଚରାଉଚରା କରି ସେମାନଙ୍କ ବୟାନ ରେକର୍ଡ କରିଥିଲେ।

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଜାଠିଆସ୍ଥିତ କୃଷ୍ଣଭାନୁ ଉଚ୍ଚ ବିଦ୍ୟାଳୟରେ ପୀଡ଼ିତା ଶିକ୍ଷକତା କରନ୍ତି। ତାଙ୍କ ଅଭିଯୋଗ ମୁତାବକ, ବିଦ୍ୟାଳୟର ପ୍ରଧାନଶିକ୍ଷକ ରତିକାନ୍ତ ଜେନା ତାଙ୍କୁ ବିଭିନ୍ନ ସମୟରେ ଅସଦାଚରଣ କରିବା ସହିତ ମାନସିକ ନିର୍ଯାତନା ଦେଉଥିଲେ। ଏମିତି କି ପ୍ରଧାନଶିକ୍ଷକ ଶ୍ରୀ ଜେନାଙ୍କ ପ୍ରରୋଚନାରେ ଶିକ୍ଷକ ସୁଧାଂଶୁ ଶେଖର ଜେନା ଏବଂ ଜାଠିଆ ଗ୍ରାମର କମଳଲୋଚନ ପଣ୍ଡା ନାମକ ଜଣେ ବ୍ୟକ୍ତି ମଧ୍ୟ ତାଙ୍କୁ ଅସଦାଚରଣ କରିବାକୁ ପଛାଉ ନ ଥିଲେ।

ଏ ସଂପର୍କରେ ଶିକ୍ଷୟିତ୍ରୀ ଜଣକ ୨୧.୩.୧୯ରେ ସ୍କୁଲ ପରିଚାଳନା କମିଟି ସଭାପତି ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି ଘଟଣାର ସତ୍ୟତା ଥିବା ଉପଲବ୍‌ଧି କରିଥିଲେ ବି କିଛି ପଦକ୍ଷେପ ନେଲାନି। ସେହିପରି ଜିଲ୍ଲା ଶିକ୍ଷାଧିକାରୀ ମଧ୍ୟ ଚୁପ୍‌ ରହିଗଲେ। ଫଳରେ ଶିକ୍ଷୟିତ୍ରୀ ଜଣକ ୪.୯.୧୯ରେ ପ୍ରଧାନଶିକ୍ଷକ ଶ୍ରୀ ଜେନାଙ୍କ ବିରୋଧରେ ବାଲିଆପାଳ ଥାନାରେ ଏତଲା ଦେଇଥିଲେ। ଏ ନେଇ ପୁଲିସ ୧୭୨/୧୯ରେ ଏକ ମାମଲା ମଧ୍ୟ ରୁଜୁ କରିଥିଲା, କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ। ଫଳରେ ଶିକ୍ଷୟିତ୍ରୀ ଜଣକ ବାଧ୍ୟ ହୋଇ ୧୦.୯.୧୯ରେ ପୁଣି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ପରେ ସେ ବାଲେଶ୍ବର ଜିଲ୍ଲାପାଳ, ଏସ୍‌ପି, ବସ୍ତା ଏସ୍‌ଡିପିଓ, ମହିଳା କମିଶନ, ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଏନ୍‌ଏଚ୍‌ଆର୍‌ସି ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି ତାଙ୍କୁ ନ୍ୟାୟ ଦେବାକୁ ଅନୁରୋଧ କରିଥିଲେ। ଚିଠି ପରେ ଚିଠି ଏବଂ ବ୍ୟକ୍ତିଗତ ଭାବେ ସରକାରୀ ବାବୁମାନଙ୍କୁ ଫେରାଦ ହୋଇଥିଲେ ମଧ୍ୟ ପୀଡ଼ିତାଙ୍କୁ କାହା ପାଖରୁ ଆଶ୍ବାସନା ମିଳିନଥିଲା। ଏହାର ସୁଯୋଗରେ ଅଭିଯୁକ୍ତମାନେ ଧମକଚମକ ଦେବା ବି ଆରମ୍ଭ କରି ଦେଇଥିଲେ।

ଏହି ଘଟଣାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ଘାରି ହେଉଥିବା ଶିକ୍ଷୟିତ୍ରୀ ଜଣକ ଲୋକଲଜ୍ୟାକୁ ପଛ କରି  ଗଣମାଧ୍ୟମର ସାହାରା ନେଇଥିଳେ। ତାଙ୍କ ପ୍ରତି ହୋଇଥିବା ନିର୍ଯାତନାର ସବୁ କଥା ଗୋଟି ଗୋଟି କରି କ୍ୟାମେରା ସାମ୍ନାରେ ବଖାଣିଥିଲେ ।

ସମ୍ବନ୍ଧିତ ଖବର