ସତ ହେବ ବସ୍ତିବାସିନ୍ଦାଙ୍କ ‘ସ୍ୱପ୍ନର ଘର’, ୨ ହଜାର ହିତାଧିକାରୀଙ୍କୁ ଜମି ଅଧିକାର ସାର୍ଟିଫିକେଟ୍‌ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଛତ୍ରପୁର : ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ‘ସ୍ୱପ୍ନର ଘର’ ଏବେ ସତ ହେବାକୁ ଯାଉଛି। ଓଡିଶା ଜମି ଅଧିକାର ଆଇନ-୨୦୧୭ (ବସ୍ତିବାସିନ୍ଦାଙ୍କୁ ଥଇଥାନ)ରେ ସହରାଞ୍ଚଳ ବସ୍ତିକୁ ବିସ୍ଥାପନ କରା ନଯାଇ ସେହିଠାରେ ଥଇଥାନ କରାଯିବ। ଏନେଇ ପାଇଲଟ୍‌ ପ୍ରକଳ୍ପକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ସଦରମହକୁମାରେ ୨ହଜାର ଜମି ଅଧିକାରୀ ପ୍ରମାଣପତ୍ର ଦେଇ ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ଛତ୍ରପୁର ଚଳଚଞ୍ଚଳ ହୋଇଉଠିଛି। ସ୍ଥାନୀୟ ଷ୍ଟାଡିୟମ୍‌ଠାରେ ଏକ ବିରାଟ ସାଧାରଣ ସଭା ଆୟୋଜନ କରାଯାଇଛି। ଏହି ସଭାରେ  ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ଜମି ଅଧିକାର ସାର୍ଟିଫିକେଟ୍‌ ବଣ୍ଟନ କରାଯିବ। ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଗଞ୍ଜାମ ଜିଲ୍ଲାର ୮ ଟି ଏନ୍‌ଏସି ସମେତ ପୁରୀ ଜିଲ୍ଲା କୋଣାର୍କ ଏନ୍‌ଏସିର ମୋଟ ୨୦୦୦ ଝୁମ୍ପୁଡି ବସ୍ତିବାସିନ୍ଦାଙ୍କୁ ହିତାଧିକାରୀଙ୍କୁ ଜମି ଅଧିକାର ସାର୍ଟିଫିକେଟ୍‌ ପ୍ରଦାନ କରିବେ। ଏଥିସହିତ  ରାଜ୍ୟ ସରକାର  ‘ଉପଯୋଗୀ ବସତି ମିସନ୍‌’ର ଶୁଭାରମ୍ଭ କରିବେ ।

ଆଜି ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଛତ୍ରପୁର, ଖଲ୍ଲିକୋଟ, ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର, ଚିକିଟି, ଦିଗପହଣ୍ଡି, ଗୋପାଳପୁର ଏନ୍‌ଏସି ଏବଂ ହିଞ୍ଜିଳି ମ୍ୟୁନିସିପାଲଟିର ହିତାଧିକାରୀଙ୍କୁ ଜମି ସାର୍ଟିଫିକେଟ୍‌ ପ୍ରଦାନ କରାଯିବ । ଯେଉଁମାନେ ଉକ୍ତ ଜମିରେ ପକ୍କା ଘର କରିଛନ୍ତି ସେମାନଙ୍କ ପାଇଁ ପାନୀୟ ଜଳ ଏବଂ ବିଦ୍ୟୁତ୍‌ ବ୍ୟବସ୍ଥା କରାଯିବ। ସେହିପରି ବାକି ଏନ୍‌ଏସି ଗୁଡ଼ିକରେ ଡ୍ରୋନ୍‌ ସର୍ଭେ ସରିଛି । ଗଞ୍ଜାମ ଜିଲ୍ଲାରେ ଡୁଡା ନୋଡାଲ୍‌ ଏଜେନ୍ସି ଭାବରେ କାର୍ଯ୍ୟ କରୁଛି । ଟାଟା ଟ୍ରଷ୍ଟ ସହ ରାଜ୍ୟ ସରକାରଙ୍କ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାସ୍ତରୀୟ କମିଟି ପଦକ୍ଷେପ ନେଉଛି।

ଆସନ୍ତାକାଲିର କାର୍ଯ୍ୟକ୍ରମ ଅନୁସାରେ, ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ ଘଣ୍ଟା ୨୭ ମିନିଟ୍‌ରେ ଛତ୍ରପୁର ପୁଲିସ ଗ୍ରାଉଣ୍ଡ୍‌ରେ ହେଲିପ୍ୟାଡ୍‌ରେ ଓହ୍ଲାଇବେ। ସାଢ଼େ ୧୧ ଘଣ୍ଟାରେ ଷ୍ଟାଡ଼ିୟମରେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗଦେବେ । ସଭା କାର୍ଯ୍ୟକ୍ରମ ୧ ଘଣ୍ଟା ଚାଲିବ। ଏହା ପରେ ସାଢ଼େ ୧୨ ଘଣ୍ଟାରେ କାର୍ଯ୍ୟକ୍ରମ ଶେଷ ହେବା ପରେ ୧୨ ଘଣ୍ଟା ୩୨ ମିନିଟ୍‌ରେ ପୁଲିସ ଗ୍ରାଉଣ୍ଡ୍‌ ହେଲିପେଡ୍‌ ଜରିଆରେ ଭୁବନେଶ୍ୱର ଫେରିବେ। ସାର୍ଟିଫିକେଟ୍‌ ପ୍ରଦାନ କରିବାକୁ ଥିବା ୨୦୦୦ ହିତାଧିକାରୀଙ୍କ ପତ୍ନୀ ଓ ପରିବାରର ଦୁଇଜଣ ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇ ସଭାସ୍ଥଳକୁ ପ୍ରବେଶ ନିମନ୍ତେ ପରିଚୟ ପତ୍ର ପ୍ରଦାନ କରାଯାଇଛି ।

ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁରକୁ ଗସ୍ତ କରୁଥିବା ବେଳେ ଗଞ୍ଜାମ ପୁଲିସ ପକ୍ଷରୁ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି ବୋଲି ଗଞ୍ଜାମ ଏସ୍‌ପି ବ୍ରିଜେଶ୍‌ କୁମାର ରାଏ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।

ସମ୍ବନ୍ଧିତ ଖବର