ବିପିୟୁଟି କୁଳପତିଙ୍କ ବିରୋଧରେ ଅନିୟମିତତା ଅଭିଯୋଗ : ଆର୍ଥିକ ଓ ପ୍ରଶାସନିକ କ୍ଷମତାରୁ ହଟିଲେ, ଭିଜିଲାନ୍ସ ତଦନ୍ତ କରିବାକୁ କୁଳାଧିପତିଙ୍କ ନିର୍ଦେଶ

ଭୁବନେଶ୍ୱର : ବିବାଦରୁ ମୁକୁଳିପାରୁନି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)। ବିପିୟୁଟି କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଏନେଇ କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ ପହଞ୍ଚିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପ୍ରଫେସର ତ୍ରିପାଠୀଙ୍କଠାରୁ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଓ ଆର୍ଥିକ କ୍ଷମତାକୁ କାଢ଼ି ନିଆଯାଇ ଉତ୍ତରାଞ୍ଚଳ ଆର୍‌ଡିସିଙ୍କୁ ଦିଆଯାଇଛି। ଏଥିସହ ଅଭିଯୋଗଗୁଡ଼ିକର ଭିଜିଲାନ୍ସ ତଦନ୍ତ କରି ଦୁଇ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ପଠାଯାଇଛି।

କୁଳପତି ପ୍ରଫେସର ତ୍ରିପାଠୀଙ୍କ ବିରୋଧରେ ଅଭିଯୋଗ ଆସିଛି ଯେ ସେ ଦାୟିତ୍ୱ ଗ୍ରହଣ କରିବା ପରେ ବିପିୟୁଟିର ଷ୍ଟାଚ୍ୟୁଟ୍‌ ୩୧(୩)କୁ ଉଲ୍ଲଂଘନ କରି ପରିଚାଳନା ବୋର୍ଡର ବିନା ଅନୁମୋଦନରେ ୧୪ ଜଣ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି। ପରିଚାଳନା ବୋର୍ଡର ବିନା ଅନୁମୋଦନରେ ନିଯୁକ୍ତି ଫଳ ପ୍ରକାଶ ନ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କୁଳପତିଙ୍କୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ସେ ତାହାକୁ ମାନି ନ ଥିଲେ। ଏପରିକି ଗତ ମେ’ ୧୪ରେ ବସିଥିବା ପରିଚାଳନା ବୋର୍ଡ ବୈଠକରେ ବିଶ୍ୱବିଦ୍ୟାଳୟର ଆର୍ଥିକ ଓ ପ୍ରଶାସନିକ ସମ୍ପର୍କରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ହେଲେ ବୈଠକରେ ବୋର୍ଡରେ ସଦସ୍ୟ ଥିବା କୌଣସି ସରକାରୀ ଅଧିକାରୀଙ୍କୁ ଡକାଯାଇ ନ ଥିବା ଅଭିଯୋଗ କୁଳାଧିପତିଙ୍କ ନିକଟରେ ପହଞ୍ଚିଛି।

ସେହିପରି କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟର ବିନା ଅନୁମତିରେ ବିପିୟୁଟି କୁଳସଚିବଙ୍କୁ ପରିବର୍ତନ କରାଯାଇଛି। କେଉଁ ପରିସ୍ଥିତିରେ ଓ କିଭଳି ଭାବେ କୁଳସଚିବଙ୍କୁ ପରିବର୍ତନ କରାଗଲା ତାହାକୁ ନେଇ ମଧ୍ୟ ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ କୁଳପତି ପ୍ରଫେସର ତ୍ରିପାଠୀଙ୍କୁ ଏନେଇ ଯୋଗାଯୋଗ କରିବାରୁ ସେ ଯେ ଘଟଣାର ଭିଜିଲାନ୍ସ ତଦନ୍ତ ହେବା ନେଇ ମୋ ପାଖରେ କୌଣସି ଖବର ନାହିଁ ବୋଲି କହିଛନ୍ତି। ପ୍ରଫେସର ତ୍ରିପାଠୀ କହିଛନ୍ତି ଯେ, ତଦନ୍ତ ରିପୋର୍ଟ ଆସିବା ପରେ ସତ ପଦାକୁ ଆସିବ। ଅଭିଯୋଗ ଆସିଥିବାରୁ ପ୍ରଶାସନିକ ଓ ଆର୍ଥିକ କ୍ଷମତା କାଢ଼ି ନିଆଯାଇଛି। ତଦନ୍ତ ଲାଗି ଏକ କମିଟି ଗଠନ ହୋଇଛି। ବିଶ୍ୱବିିଦ୍ୟାଳୟର ସମସ୍ତ ନିୟମ ଅନୁଯାୟୀ ନିଯୁକ୍ତି ଓ ବୈଠକ କରାଯାଇଛି। କୌଣସି ଆଇନର ଉଲ୍ଲଂଘନ କରାଯାଇ ନ ଥିବା ସେ ଦୃଢ଼ ଭାବେ କହିଛନ୍ତି।

ସମ୍ବନ୍ଧିତ ଖବର