୧୯୭୫ ଜରୁରୀକାଳୀନ ପରିସ୍ଥିତିକୁ ସ୍ମରଣ କଲେ ରାଜ୍ୟପାଳ : ଭାରତୀୟ ଗଣତନ୍ତ୍ରକୁ ଲାଇନ୍‌ଚ୍ୟୁତ କରିଥିଲା

0 138

୧୯୭୫ ମସିହା ଜୁନ୍‌ ୨୫ ତାରିଖକୁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ନିମନ୍ତେ ସ୍ମରଣ କରାଯାଉଛି। ଜରୁରୀକାଳୀନ ପରିସ୍ଥିତି ଜାରି ହେବା ଦ୍ୱାରା ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଭୁଶୁଡ଼ି ପଡ଼ିଥିଲା। ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ନାଗରିକ ଅଧିକାର ଉଲ୍ଲଂଘନ ହେବା ସହିତ ପ୍ରେସ୍‌ ସ୍ୱାଧୀନତା ଓ ନାଗରିକଙ୍କ ସ୍ୱାଧୀନତା ମଧ୍ୟ ବ୍ୟାହତ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜାଲ୍‌ ଗଣତନ୍ତ୍ର ଆଳରେ ଦେଶକୁ ବିଭ୍ରାନ୍ତ କରିଥିଲେ। ସଂପୂର୍ଣ୍ଣ ବ୍ୟକ୍ତିଗତ ଓ ରାଜନୈତିକ ପ୍ରତିହିଂସା ଆଧାରରେ ସେ ଏଭଳି ଏକ କଡ଼ା ନିଷ୍ପତ୍ତି ନେଇଥିଲେ। ‘ଇନ୍ଦିରା ହିଁ ଭାରତ’ ନାମରେ ସ୍ଲୋଗାନ୍‌ର ସ୍ୱର ଉଠିଥିଲା। ଏହା କେବଳ ଅଗଣତାନ୍ତ୍ରିକ ନୁହେଁ, ଭାରତ ଭଳି ଦେଶରେ ଏହା ମାତ୍ରାଧିକ। କେହି ବ୍ୟକ୍ତି ଦେଶର ସମକକ୍ଷ କି ଊର୍ଦ୍ଧ୍ୱରେ ନୁହେଁ। ଭାରତର ପ୍ରକୃତ ଶକ୍ତି ହେଉଛି ଏହାର ସମ୍ବିଧାନ ଏବଂ ଏହାର ନାଗରିକ। ଇତିମଧ୍ୟରେ ୪୩ ବର୍ଷ ବିତିଯାଇଛି। ତଥାପି ଜରୁରୀକାଳୀନ ପରିସ୍ଥିତି ବେଳର ୨୧ ମାସର ଦୁଃସ୍ୱପ୍ନ ଓ ଏକଛତ୍ରବାଦୀ ଶାସନ ସେମାନଙ୍କୁ ଏବେ ବି କ୍ଷତାକ୍ତ କରୁଛି, ଯେଉଁମାନେ ପୁଲିସ ବାହିନୀର ପାଶବିକତାର ଶିକାର ହେବା ସହିତ ମାସ ମାସ ଧରି ସମଗ୍ର ଦେଶରେ ଜେଲ୍‌ରେ ସଢ଼ିଛନ୍ତି।

ଜୟପ୍ରକାଶ ନାରାୟଣ, ମୋରାରଜୀ ଦେଶାଇ, ଅଟଳ ବିହାରୀ ବାଜପେୟୀ, ଏଲ୍‌କେ ଆଡଭାନି, ଚରଣ ସିଂ, ଚନ୍ଦ୍ରଶେଖର, ଜର୍ଜ ଫର୍ଣ୍ଣାଣ୍ଡିଜ୍‌, ନାନାଜି ଦେଶମୁଖ, ଅରୁଣ ଜେଟଲି ଓ ଆହୁରି ଅନେକ ନେତାଙ୍କୁ ଜେଲ୍‌ରେ ପୂରାଇ ଦିଆଗଲା। ଅନେକ ନେତା ମଧ୍ୟ ଲୁଚିଗଲେ। ଏପରିକି ସାଧାରଣ ଲୋକଙ୍କୁ ମଧ୍ୟ ଛଡ଼ାଗଲା ନାହିଁ। ବିନା ବିଚାରରେ ଅନେକଙ୍କୁ ଗିରଫ କରାଗଲା, ଏପରି କି ଅନେକଙ୍କୁ ନିର୍ଦୟ ଭାବେ ଅତ୍ୟାଚାର କରାଗଲା। ମିସା ଆଇନ୍‌ର ଅପବ୍ୟବହାର କରାଗଲା।

ହରିଆଣା ହେଉଛି ସେହି ରାଜ୍ୟ ଯେଉଁଠାକୁ ବହୁ ବଡ଼ ନେତାଙ୍କୁ ଆଣି ଜେଲ୍‌ରେ ରଖାଗଲା। ଓଡ଼ିଶାର ଏବେକାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ଯେ କି ସେତେବେଳେ ହରିଆଣାର ନ୍ୟାସନାଲ୍‌ କଲେଜରେ ଅଧ୍ୟାପକ ଥିଲେ, ତାଙ୍କୁ ମଧ୍ୟ ସ୍ପଷ୍ଟ ଦିବାଲୋକରେ ରାଜରାସ୍ତାରେ ପୁଲିସ୍‌ ବାଡ଼େଇ ଅତ୍ୟାଚାର କଲା। ଜରୁରୀ ପରିସ୍ଥିତିକୁ ବିରୋଧ କରିବା ଯୋଗୁ ତାଙ୍କ ସମେତ ବହୁ ଲୋକଙ୍କୁ ଜେଲ୍‌ରେ ରଖାଗଲା। ପ୍ରଫେସର ଲାଲ୍‌ଙ୍କ ସମେତ ସେହି ସମସ୍ତଙ୍କ ପାଇଁ ୧୯ ମାସର ଜରୁରୀ ପରିସ୍ଥିତି ଏପରି ଦୁଃସ୍ୱପ୍ନ ଓ ଗଣତନ୍ତ୍ରର ହତ୍ୟା ଥିଲା, ଯାହାକୁ ଭବିଷ୍ୟତରେ ଆଉ କେବେ ସେମାନେ ଦେଶରେ ଦେଖିବାକୁ ଚାହିଁବେ ନାହିଁ।

୧୯୭୫ ଜାତୀୟ ଜରୁରୀ ପରିସ୍ଥିତି ଦେଶ ପାଇଁ ଏକ ବଡ଼ ଶିକ୍ଷା। ସବୁ ସମୟରେ ଏହା ମନେ ରହିବ। ଭାରତର ଆଧୁନିକ ଗଣତାନ୍ତ୍ରିକ ଇତିହାସରେ ଏହି କଳା ଅଧ୍ୟାୟକୁ ସ୍ମରଣ କରି ସତର୍କତା ଓ ସଚେତନତାର ସ୍ୱର ଉଠାଇବାକୁ ପଡ଼ିବ। ଯେମିତି କି ଭବିଷ୍ୟତରେ ନାଗରିକର ସ୍ୱାଧୀନତା ଉଲ୍ଲଂଘନ ନ ହୁଏ ଓ ମୌଳିକ ମାନବିକ ଅଧିକାର ସମ୍ପୂର୍ଣ୍ଣ ସୁରକ୍ଷିତ ରହେ। ଆଜିର ଦିନରେ ଦେଶର ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକ ୧୯୭୫ ମସିହା ପରେ ଜନ୍ମ ହୋଇଛି। ସେମାନେ ଜରୁରୀକାଳୀନ ସ୍ଥିତି ସମ୍ପର୍କରେ କମ୍‌ ଅବଗତ ଥିବେ। ସେତେବେଳେ କ’ଣ ଘଟିଥିଲା, ଜରୁରୀକାଳୀନ ସ୍ଥିତିର ତ୍ରୁଟି କ’ଣ ଥିଲା ଏବଂ ସାରା ଦେଶ ଓ ଏହାର ନାଗରିକ କିପରି କ୍ଷତିଗ୍ରସ୍ତ ହୋଇଥିଲେ, ସେ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଇବାକୁ ପଡ଼ିବ। ଫଳରେ ଦେଶର ଭବିଷ୍ୟତ ନେତୃବୃନ୍ଦ ଦେଶକୁ ଠିକଣା ବାଟରେ ନେବାକୁ ପ୍ରୟାସ କରିବେ।

କେବଳ ଦେଶର ନାଗରିକ ନୁହଁନ୍ତି, ସରକାର ମଧ୍ୟ ଭାରତୀୟ ଗଣତନ୍ତ୍ର ଓ ସମ୍ବିଧାନକୁ ଅନୁସରଣ କରିବା ଉଚିତ। ସରକାରଙ୍କୁ ସବୁବେଳେ ଗଣତନ୍ତ୍ରର ନୀତି ଓ ଆଦର୍ଶ ପ୍ରତି ନିଷ୍ଠାବାନ ହେବାକୁ ପଡ଼ିବ। ଗଣମାଧ୍ୟମର ସ୍ୱାଧୀନତା ଓ ନାଗରିକର ସ୍ୱାଧୀନତା ଅକ୍ଷୂର୍ଣ୍ଣ ରଖିବାକୁ ପଡ଼ିବ ଏବଂ ଆମର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ନାଗରିକଙ୍କ ସ୍ୱାର୍ଥ ପାଇଁ କାମ କରିବାକୁ ସୁଯୋଗ ଦେବାକୁ ପଡ଼ିବ। ଏହା ଦ୍ୱାରା ଗଣତନ୍ତ୍ରର ସୌଧ ଆହୁରି ଦୃଢ଼ ହେବ ଓ ଜାତୀୟ ଗଣତାନ୍ତ୍ରିକ ନୈତିକତା ବଜାୟ ରହିବ।
(ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଜନ ସମ୍ପର୍କ ଅଧିକାରୀଙ୍କ ଦ୍ୱାରା ଜାରି ପ୍ରେସ୍‌ ବିବୃତି)

ସମ୍ବନ୍ଧିତ ଖବର

Leave A Reply

Your email address will not be published.