୯୨୨ କୋଟି ଟଙ୍କା ପଡ଼ିରହିଛି, ଟଙ୍କା ଖର୍ଚ୍ଚ ହୋଇପାରୁନି କାହିଁକି?

ରାଜ୍ୟ ଅର୍ଥ କମିସନ ଅନୁଦାନ ସ୍ଥିତି ତଦ୍ରୁପ, ନଭେମ୍ବର ସୁଦ୍ଧା ଖର୍ଚ୍ଚ ମାତ୍ର ୨୮%

0

ଭୁବନେଶ୍ବର: ସରକାରୀ ବ୍ୟବସ୍ଥାରେ ସ୍ଥାଣୁତା ରାଜ୍ୟରେ ବିଚିତ୍ର ସ୍ଥିତି ସୃଷ୍ଟି କଲାଣି। ସଚିବାଳୟରେ ଯୋଜନା ହେଉଛି, କିନ୍ତୁ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ ସେ ତଦାରଖ କରିବାରେ ଅବହଳା ଏମିତି େଯ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଣ୍ଠି ଲୋକଙ୍କ କାମରେ ଲାଗିପାରୁନି। ଚତୁର୍ଦ୍ଦଶ ଅର୍ଥ କମିସନ ପାଣ୍ଠି ଖର୍ଚ୍ଚ କରିବାରେ ଯେତିକି ଅବହେଳା ହୋଇଛି, ରାଜ୍ୟ ସରକାରଙ୍କ ଚତୁର୍ଥ ଅର୍ଥ କମିସନ ଟଙ୍କା ଖର୍ଚ୍ଚ କରିବାରେ ତା ଠାରୁ ଅଧିକ ସାଂଘାତିକ ସ୍ଥିତି ଉପୁଜିଛି। ଆର୍ଥିକ ବର୍ଷ ସରିବାକୁ ବସିଲାଣି ଅଥଚ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣଠାରୁ ଆରମ୍ଭ କରି ରାସ୍ତା ଓ ଆଲୋକୀକରଣ ପାଇଁ ଉଦ୍ଦିଷ୍ଟ ରାଜ୍ୟ ଅର୍ଥ କମିସନଙ୍କ ସୁପାରିସ ଅର୍ଥ ଖର୍ଚ୍ଚ କରିବାରେ ସରକାରୀ କର୍ମଚାରୀଙ୍କ ଆନ୍ତରିକତା ନଥିବା ଭଳି ଲାଗୁଛି। ସରକାରୀ ହିସାବ କହୁଛି ୨୦୧୮-୧୯ ଆର୍ଥିକ ବର୍ଷ ନଭେମ୍ବର ସୁଦ୍ଧା ବାବୁ ମାନେ ଅର୍ଥ କମିସନ ପାଣ୍ଠିର ମାତ୍ର ୨୮% ଅର୍ଥ ଖର୍ଚ୍ଚ କରିପାରିଛନ୍ତି। ପଞ୍ଚାୟତିରାଜ ବିଭାଗର ତଥ୍ୟ ଅନୁଯାୟୀ, ୨୦୧୮-୧୯ ଆର୍ଥିକ ବର୍ଷ ଆରମ୍ଭରେ ଓପନିଂ ବାଲାନ୍ସ, ଅନୁଦାନ ଓ ସୁଧ ବାବଦରେ ମିଳିଥିଲା ୧୨ ଶହ ୭୮ କୋଟି ୩ ଲକ୍ଷ ୧୦ ହଜାର ଟଙ୍କା। କିନ୍ତୁ ନଭେମ୍ବର ସୁଦ୍ଧା ୩୫୫ କୋଟି ୨୨ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଖାଲି ସେତିକି ନୁହେଁ, ଆର୍ଥିକ ବର୍ଷର ୮ ମାସ ପରେ ବି ୩୦ଟି ଜିଲ୍ଲା ଭିତରୁ ରାଜ୍ୟ ଅର୍ଥ କମିସନ ପାଣ୍ଠି ଖର୍ଚ୍ଚ ନେଇ ଗୋଟିଏ ବି ଜିଲ୍ଲା ବିନିଯୋଗ ପ୍ରମାଣ ପତ୍ର ଦେଇନାହାନ୍ତି।

ଅର୍ଥ କମିସନଙ୍କ ଟଙ୍କା ଖର୍ଚ୍ଚ ହିସାବ ଦେଖିଲେ, ବାଲେଶ୍ବର, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲା ପାଇଁ ମିଳିଥିବା ପାଣ୍ଠିରୁ ୧୦ ପ୍ରତିଶତ ବି ଖର୍ଚ୍ଚ ହୋଇପାରିନି। ଅର୍ଥ ଖର୍ଚ୍ଚ କରିବାରେ ବାଲେଶ୍ବର ଜିଲ୍ଲା ସବୁଠୁ ପଛରେ ଥିବା ବେଳେ ସବୁଠୁ ଆଗରେ ଅଛି, ବୌଦ୍ଧ ଜିଲ୍ଲା। ଚଳିତ ଆର୍ଥିକ ବର୍ଷରେ ବାଲେଶ୍ବର ପାଇଁ ମିଳିଥିଲା ୮୫ କୋଟି ୮୧ ଲକ୍ଷ ୧୮ ହଜାର। ଆଉ ସେ ଜିଲ୍ଲାରେ ନଭେମ୍ବର ସୁଦ୍ଧା ଖର୍ଚ୍ଚ ହୋଇଛି ୨ କୋଟି ୯୬ ଲକ୍ଷ ୧ ହଜାର ଟଙ୍କା ଅର୍ଥାତ ମୋଟ ଅନୁଦାନର ମାତ୍ର ୩%। ନୟାଗଡ଼ ପାଇଁ ମିଳିଥିଲା ୪୯ କୋଟି ୩୫ ଲକ୍ଷ ୯୪ ହଜାର ଟଙ୍କା। ଏହି ସମୟ ଭିତରେ ଜିଲ୍ଲାରେ ବିଭିନ୍ନ ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହୋଇଛି ୩ କୋଟି ୫୭ ଲକ୍ଷ ୬ ହଜାର ଟଙ୍କା। ଏହାର ଅର୍ଥ ଜିଲ୍ଲାକୁ ଚଳିତ ଆର୍ଥିକ ବର୍ଷ ପାଇଁ ମିଳିଥିବା ଅନୁଦାନର ମାତ୍ର ୭ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିଛି। ସେହିପରି ରାୟଗଡ଼ା ପାଇଁ ଦିଆଯାଇଥିଲା ୨୮କୋଟି ୭୫ ଲକ୍ଷ ୫୫ ହଜାର ଟଙ୍କା। ସେ ଜିଲ୍ଲାରେ କିନ୍ତୁ ଖର୍ଚ୍ଚ ହୋଇପାରିଛି ମିଳିଥିବା ପାଣ୍ଠିର ମାତ୍ର ୯% ଅର୍ଥ। ଅର୍ଥାତ୍ ୨ କୋଟି ୬୯ ଲକ୍ଷ ୪୯ ହଜାର ଟଙ୍କା ସରକାରୀ ବାବୁ ଜିଲ୍ଲାର ବିକାଶ କାମରେ ଲଗାଇଛନ୍ତି। ଏହିଭଳି ଦେଖିଲେ ୭ଟି ଜିଲ୍ଲା ମିଳିଥିବା ଅନୁଦାନର ପାଖାପାଖି ୨୦ ପ୍ରତିଶତ ଖର୍ଚ୍ଚ କରିବାରେ ସକ୍ଷମ ହୋଇଛନ୍ତି। ବୌଦ୍ଧ ଜିଲ୍ଲା ମିଳିଥିବା ଅର୍ଥର ୭୬% ଖର୍ଚ୍ଚ କରି ସବୁଠୁ ଆଗରେ ରହିଛି।

ସରକାରୀ ତଥ୍ୟରୁ ଗୋଟିଏ କଥା ସ୍ପଷ୍ଟ ବାରି ହୋଇପଡ଼ୁଛି, ଚଳିତ ଆର୍ଥିକ ବର୍ଷରେ ଯେଉଁ ସବୁ ଜିଲ୍ଲାକୁ ଅଧିକ ଅର୍ଥ ଯାଇଛି ସେସବୁ ଜିଲ୍ଲା ଗୁଡ଼ିକରେ ଟଙ୍କା ଖର୍ଚ୍ଚ ୨୦ରୁ ୩୦ ପ୍ରତିଶତ ଭିତରେ ସୀମିତ ଅଛି। ରାଜ୍ୟର ସବୁ ଜିଲ୍ଲାର ମୋଟ ୨୪ ହଜାର ୧୫୦ଟି ପ୍ରକଳ୍ପ ରାଜ୍ୟ ଅର୍ଥ କମିସନଙ୍କ ପାଣ୍ଠିରେ ହାତକୁ ନିଆଯାଇଥିବା ବେଳେ ୮ ହଜାର ୯୯୩ ଟି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଛି ଓ ଆଉ ୧୫ ହଜାର ୧୫୭ଟି ପ୍ରକଳ୍ପ କାମ ଚାଲୁ ରହିଥିବା ସରକାର ଦର୍ଶାଇଛନ୍ତି। ଚଳିତ ଆର୍ଥିକ ବର୍ଷରେ ବାଲେଶ୍ବର, ଗଞ୍ଜାମ, ଝାରସୁଗୁଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ବି ପ୍ରକଳ୍ପ କାମ ହାତକୁ ନିଆଯାଇନି। ରାଜ୍ୟର ପଞ୍ଚାୟତ ସ୍ତରରେ ଥିବା ଅସମାନତା ଓ ପଞ୍ଚାୟତର ଆର୍ଥିକ ବିକାଶ କରିବା ସହ ଗ୍ରାମାଞ୍ଚଳର ଲୋକଙ୍କ ଆର୍ଥିକ ବିକାଶ ପାଇଁ ୨୦୧୩ ଅକ୍ଟୋବରେ ତତ୍କାଳୀନ ପ୍ରାଶାସନିକ ଅଧିକାରୀ ଚିନ୍ମୟ ବସୁଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ଅର୍ଥ କମିସନ ଗଠନ କରାଯାଇଥିଲା। ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ କାର୍ଯ୍ୟକାଳଥିବା ଏହି କମିସନଙ୍କ ସୁପାରିସକୁ ସର୍ବାନ୍ତକରଣରେ ପାଳନ କରିବା ପାଇଁ ୨୦୧୫ରୁ ସରକାର ଲାଗୁ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.