‘କର୍ମଚାରୀଙ୍କ ଧୈର୍ଯ୍ୟ ପରୀକ୍ଷା କରାନଯାଉ’

ଅନୁଗୁଳ : କର୍ମଚାରୀମାନଙ୍କୁ ଜୁଲାଇ ୨୦୧୯ରୁ ୫ ପ୍ରତିଶତ ମହଙ୍ଗା ଭତ୍ତା ଦିଆଯିବା କଥା। କିନ୍ତୁ, ରାଜ୍ୟ ସରକାର ଗତ ୧୪ ତାରିଖ ଦିନ ଚଳିତବର୍ଷ ଜାନୁଆରି ମାସ ଠାରୁ ଏହା ମଞ୍ଜୁର କରିଛନ୍ତି। ଏହାଦ୍ବାରା ୧୯୮୦ ଗୃହୀତ ନୀତିକୁ ରାଜ୍ୟ ସରକାର ଅବମାନନା କରିଛନ୍ତି ବୋଲି ଓଡ଼ିଶା ରାଜ୍ୟ ଅଣଗେଜେଟେ‌ଡ୍‌ କର୍ମଚାରୀ ସମନ୍ବୟ ସମିତିର ପ୍ରାକ୍ତନ ରାଜ୍ୟ ସଭାପତି ପ୍ରଭାସ ସ‌ାହୁ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି।

ଶ୍ରୀ ସାହୁ କହିଛନ୍ତି ଯେ, ରାଜ୍ୟର ବିକାଶ ସହିତ କର୍ମଚାରୀମାନେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ମାତ୍ର, ପଞ୍ଚମ ପାଳିରେ ସରକାର ଶପଥ ଗ୍ରହଣ ପରଠାରୁ କର୍ମଚାରୀ ମାରଣନୀତିକୁ ଏକ ନମ୍ବର ଏଜେଣ୍ଡା ଭାବେ ଗ୍ରହଣ କରିଛନ୍ତି। ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବୁନାଲ୍‌ ବିଲୋପ, ସପ୍ତମ ବେତନ କମିଶନର ବକେୟା ଷାଠିଏ ଭାଗ ପ୍ରଦାନ ନକରିବା, କର୍ମଚାରୀମାନଙ୍କ ଅକାଳ ମୃତ୍ୟୁଜନିତ ଅନୁକମ୍ପାମୂଳକ ନିଯୁକ୍ତିରେ କେବଳ ଚତୁର୍ଥ ଶ୍ରେଣୀରେ ନିଯୁକ୍ତି ପ୍ରଦାନ ଓ ପରିଶେଷରେ ଜୁଲାଇ ୨୦୧୯ରୁ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ୬ ମାସର ମହଙ୍ଗା ଭତ୍ତାକୁ ଚଳୁ କରିବା କର୍ମଚାରୀ ମାରଣନୀତିର ଗୋଟିଏ ଗୋଟିଏ ଉଦାହରଣ। ଅନ୍ୟପକ୍ଷରେ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଏକମାତ୍ର ସମ୍ବଳ ହୋଇଥିବାବେଳେ ସରକାର ସେମାନଙ୍କ ପେଟକୁ ମଧ୍ୟ ଲାତ ମାରିଛନ୍ତି।

୧୯୯୨ ମସିହାରେ ଏହିଭଳି ଘଟଣା ପାଇଁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କର୍ମଚାରୀଙ୍କ ଆକ୍ରୋଶର ଶିକାର ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ନେଇ ପ୍ରାକ୍ତନ ସଭାପତି ଶ୍ରୀ ସାହୁ ସତର୍କ କରାଇ ଦେବା ସହିତ କର୍ମଚାରୀମାନଙ୍କ ଆଉ ଅଧିକ ଧୈର୍ଯ୍ୟ ପରୀକ୍ଷା କରାନଯାଉ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର