ନିଜାମୁଦ୍ଦିନ ଫେରନ୍ତାଙ୍କୁ ନେଇ ମୁଣ୍ଡବିନ୍ଧା: ଏଯାଏ ୨୧ ନମୁନା ନେ‌ଗେଟିଭ୍, ୪୦ଜଣ ଅନ୍ୟ ୫ ରାଜ୍ୟରେ ଅଟକ

ପଶ୍ଚିମବଙ୍ଗର ୧୦ଜଣ ତାଳଚେର ବୁଲିଥିଲେ, ସଂକ୍ରମଣ ‌ ଲୋକଲଜ୍ଜା ନୁହେଁ: ବାଗଚୀ

ଭୁବନେଶ୍ବର: ନିଜମୁଦ୍ଦିନର ଜମାତରେ ଅଂଶଗ୍ରହଣ କରି ଓଡ଼ିଶା ଫେରିଥିବା ସନ୍ଦିଗ୍ଧମାନଙ୍କୁ ନେଇ ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧା ବଢ଼ି ଯାଇଛି। ବିଶେଷକରି ଆଜି କଟକରେ ଏଭଳି ଜଣେ ସଂକ୍ରିମତଙ୍କୁ ଚିହ୍ନଟ କରାଯିବା ପରେ ଏହାକୁ ସରକାର ଗୁରୁତ୍ବର ସହ ନେଇ ଅନ୍ୟମାନଙ୍କୁ ଖୋଜିବା ଲାଗି ତନାଘନା ଆରମ୍ଭ କରିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବତ୍ର ବାଗ୍‌ଚୀ ନିଜାମୁଦ୍ଦିନ୍‌ରୁ ଫେରିଥିବା ଓଡ଼ିଆଙ୍କ ସଂପର୍କରେ ବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ସେ କହିଥିଲେ, ନିଜାମୁଦ୍ଦିନ୍‌ରୁ ରାଜ୍ୟକୁ ଫେରିଥିବା ୨୭ଜଣଙ୍କ ମଧ୍ୟରେ ୭ଜଣ ବିଦେଶୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କ ନମୁନା ନେଗେଟିଭ୍ ରହିଥିବା ବେଳେ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୫ଟି ନମୁନା ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ। ଏହି ସମସ୍ତ ବ୍ୟକ୍ତି ଓ ସେମାନଙ୍କ ପରିବାରବର୍ଗଙ୍କୁ ସଙ୍ଗରୋଧ ଓ କଡ଼ା ପର୍ଯ୍ୟବେକ୍ଷଣରେ ରଖାଯାଇଛି। ରାଜ୍ୟର ଆହୁରି ୪୦ଜଣ ଲୋକ ଦିଲ୍ଲୀ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଆନ୍ଧ୍ର ଓ ବିହାରରେ ଅଟକି ରହିଛନ୍ତି। ଏପରିକି ପଶ୍ଚିମବଙ୍ଗର ଏହି ଗୋଷ୍ଠୀର ୧୦ଜଣ ସଦସ୍ୟ କିଛି ଦିନ ତଳେ ତାଳଚେର ବୁଲ‌ାବୁଲି କରି ଫେରି ଯାଇଛନ୍ତି। ସେମାନଙ୍କ ସହ ଯେଉଁମାନେ ସଂପର୍କରେ ଆସିଛନ୍ତି, ସେମାନଙ୍କୁ ଠାବ କରାଯିବା ସହ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେହିପରି ନିଜାମୁଦ୍ଦିନ୍ ସମ୍ମିଳନୀରେ ଯୋଗଦେଇ ଫେରିଥିବା କଟକର ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ଶ୍ରୀ ବାଗ୍‌ଚୀ ସୂଚନା ଦେଇଥିଲେ।

ସେ ଆହୁରି କହିଥିଲେ ଯେ ଆଜି ସୁଦ୍ଧା ରାଜ୍ୟରେ ୧୧୧୩ ନମୁନା ପରୀକ୍ଷା ହୋଇଛି। ୩ୟ ଓ ୪ର୍ଥ ପଜିଟିଭଙ୍କ ସଂସ୍ପର୍ଶରେ ୧୨୪ ଜଣ ବ୍ୟକ୍ତି ଆସିଛନ୍ତି, ଗତକାଲି ଏହି ସଂଖ୍ୟା ୧୪୫ ଥିଲା। ସେହିପରି ୫ମ ଆକ୍ରାନ୍ତ ସଂସ୍ପର୍ଶରେ ୩୦ଜଣ ଆସିଛନ୍ତି। କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟ‌ରେ ୬୦ଜଣ ପୃଥକ୍‌ବାସରେ ରହିଥିବା ଶ୍ରୀ ବାଗ୍‌ଚୀ ସୂଚନା ଦେଇଥି‌ଲେ। ଏହି ଅବସରରେ ଶ୍ରୀ ବାଗ୍‌ଚୀ ଆହୁରି କହିଥିଲେ ଯେ ଯେ କୌଣସି ବ୍ୟକ୍ତି କରୋନା ସଂକ୍ରମଣର ଶିକାର ହୋଇପାରନ୍ତି। କରୋନା ସଂକ୍ରମଣ ଲୋକଲଜ୍ଜା ନୁହେଁ। ଯଦି ବି କେହି ସଂକ୍ରମଣ ହୋଇଥିବା ସନ୍ଦେହ କରୁଛନ୍ତି, ସେମାନେ ଏ କଥା ନ ଲୁଚାଇ ପ୍ରକାଶ କରିବା ଦରକାର। ଏହାଦ୍ବାରା ଆପଣ ନିଜର ଓ ଦେଶର ଉପକାର କରିବେ। ସରକାର ସବୁ ସଂକ୍ରମିତଙ୍କ ଚିକିତ୍ସା ଦାୟିତ୍ବ ବହନ କରୁଛନ୍ତି। ଇତିମଧ୍ୟରେ ରାଜ୍ୟର ଦୁଇ ଜଣ ସଂକ୍ରମିତ ଭଲ ମଧ୍ୟ ହୋ‌ଇଗଲେଣି। ତେଣୁ ଏ ଦିଗରେ ସମସ୍ତେ ସହଯୋଗ କରିବା ଦରକାର ବୋଲି ଶ୍ରୀ ବାଗ୍‌ଚୀ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର