ଗୁଡ୍‌ନ୍ୟୁଜ ଅନୁଷ୍ଠାନକୁ ପ୍ରଶାସନରୁ ମିଳୁଥିଲା ଚାଉଳ

ବାଲେଶ୍ବର: ଢ଼େଙ୍କାନାଳ ଜିଲ୍ଲା ବେଲଟିକିରି ଠାରେ ଥିବା ‘ଗୁଡ୍‌ ନିଉଜ ଇଣ୍ଡିଆ ଡ୍ରିମ୍‌ସ ସେଣ୍ଟର୍‌’ ସେଲ୍‌ଟର ହୋମ୍‌ରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା ପରେ ବାଲେଶ୍ବର ଜିଲ୍ଲା ରେମୁଣା ସରସ୍ବତୀପୁର ଠାରେ ଥିବା ଏହାର ଶାଖାକୁ ଜିଲ୍ଲା ପ୍ରଶାସନ ତରଫରୁ ସିଲ୍‌ କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧକାରୀ ଓ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ପହଞ୍ଚି ଅନ୍ତେବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଏହି ଅନୁଷ୍ଠାନ ବେଆଇନ୍‌ ଭାବେ ଚାଲିଥିଲା ବୋଲି ଖୋଦ୍‌ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଗତ ୧ ତାରିଖରେ ସ୍ପଷ୍ଟ କରିଛନ୍ତି। କିନ୍ତୁ ଏଭଳି ଏକ ବେଆଇନ୍‌ ଅନୁଷ୍ଠାନକୁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ମଙ୍ଗଳ ଅନୁଷ୍ଠାନ ଓ ଛାତ୍ରାବାସ ଚାଉଳ ଯୋଗାଣ ଯୋଜନାରେ ରେମୁଣା ଗୁଡ୍‌ ନିଉଜ ଇଣ୍ଡିଆ ଡ୍ରିମ୍‌ସ ସେଣ୍ଟର୍‌ର ୮୮ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ୧୫. ୮୪ ମେଟ୍ରିକ୍‌ ଟନ୍‌ ଚାଉଳ ଯୋଗାଇ ଦିଆଯାଉଛି ବୋଲି ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ୱେବ୍‌ ସାଇଟ୍‌ରେ ଦେଖା ଯାଉଛି। ଏ ନେଇ ବାଲେଶ୍ବର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ମୁ ଜାଣି ନାହିଁ ା ଏହାର ତଦନ୍ତ କରାଯିବ। ତେବେ ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଆରଏନ୍‌ ପୃଷ୍ଟିଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, ଆମର ପିଡିଏସ୍‌ରୁ ସେହି ସଂସ୍ଥାକୁ କୌଣସି ଚାଉଳ ଯୋଗାଇ ଦିଆଯାଉ ନାହିଁ।

ସମ୍ବନ୍ଧିତ ଖବର