ସରକାରୀ ଡାକ୍ତରଖାନାକୁ ‘କାୟାକଳ୍ପ’ ସମ୍ମାନ

କ୍ୟାପିଟାଲ ହସ୍ପିଟାଲକୁ ୫୦ଲକ୍ଷ ଟଙ୍କା ପୁରସ୍କାର

ଦ୍ୱିତୀୟ ସ୍ଥାନରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଭୁବନେଶ୍ୱର : ସରକାରୀ ଡାକ୍ତରଖାନାରେ ପରିଷ୍କାର ପରିଚ୍ଛନ୍ନତାକୁ ପ୍ରୋତ୍ସାହିତ କରିବା ଓ ସଂକ୍ରମଣ ନିୟନ୍ତ୍ରଣ ଅଭ୍ୟାସକୁ ନିୟମିତ କରାଇବା ଉଦ୍ଦେଶ୍ୟରେ ‘କାୟାକଳ୍ପ’ ସମ୍ମାନ ପ୍ରଦାନ କରାଯାଉଛି। ୨୦୧୭/୧୮ବର୍ଷ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବର୍ଗରେ ପ୍ରଥମ ସ୍ଥାନ ହାସଲ କରି କ୍ୟାପିଟାଲ ହସ୍ପିଟାଲ ଏହି ପୁରସ୍କାର ହାସଲ କରିଛି। ପୁରସ୍କାର ବାବଦରେ କ୍ୟାପିଟାଲ ହସ୍ପିଟାଲକୁ ୫୦ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। କ୍ୟାପିଟାଲ ହସ୍ପିଟାଲର ଭାରପ୍ରାପ୍ତ ନିର୍ଦେଶକ ଡା.ମନୋରଂଜନ ଦାସ ଏହାକୁ ଗ୍ରହଣ କରିଛନ୍ତି।

ଦ୍ୱିତୀୟ ସ୍ଥାନରେ କଳାହାଣ୍ଡିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରହିଥିବା ବେଳେ ଏହାକୁ ୨୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ମିଳିତ ଭାବେ ତୃତୀୟ ସ୍ଥାନରେ ଥିବା ଆରଜିଏଚ୍‌ ରାଉରକେଲା ମୟୂରଭଞ୍ଜ, ଜଗତସିଂହପୁର, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ସମ୍ବଲପୁର, ଗଜପତି, ପୁରୀ ଓ ବରଗଡ଼କୁ ୩ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।

ସେହିପରି ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟ ବର୍ଗରେ ପ୍ରଥମ ସ୍ଥାନ ମୟୂରଭଞ୍ଜ ଜିଲ୍ଲାର ଏସ୍‌ଡିଏଚ୍‌ ରାଇରାଙ୍ଗପୁର, ଦ୍ୱିତୀୟ ସ୍ଥାନରେ ଯଶୀପୁର ରହିଥିବା ବେଳେ ଯଥାକ୍ରମେ ୧୫ଲକ୍ଷ ଓ ୧୦ଲକ୍ଷ ଟଙ୍କା ପୁରସ୍କାର ପାଇଛନ୍ତି। ତୃତୀୟ ସ୍ଥାନରେ ଥିବା ୩୩ଟି ଏସ୍‌ଡିଏଚ୍‌କୁ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯାଇଥିଲା। ଏହାସହ ୧୩ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବା ପିଏଚ୍‌ସି ଏବଂ ୧୪ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବା ୟୁପିଏଚ୍‌ସିକୁ ପୁରସ୍କାର ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା ଯୋଗଦେଇ କହିଲେ, ଲୋକଙ୍କୁ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ସଂପର୍କରେ ସାମାଜିକ ଗଣମାଧ୍ୟମ ଜରିଆରେ ଲୋକମାନଙ୍କୁ ସଚେତନ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। କାର୍ଯ୍ୟକ୍ରମରେ ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦେଶିକ ଶାଳିନୀ ପଣ୍ଡିତ ଓ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଚଳିତବର୍ଷ ୧୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୩୫ଟି ଉପଖଣ୍ଡ ଚିକିତ୍ସାଳୟ, ୩୦ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୧୪ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାୟାକଳ୍ପ ସମ୍ମାନ ପାଇଁ ମନୋନୀତ କରାଯାଇଥିଲା।

ସମ୍ବନ୍ଧିତ ଖବର