୪ ବର୍ଷରେ ୬୨,୫୦୦ ପଦବି ପୂରଣ ହୋଇଛି, ୬ ମାସ ମଧ୍ୟରେ ବ୍ୟାପକ ନିଯୁକ୍ତି ଦିଆଯିବ

0 74

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ହେଉଥିବା ନିଯୁକ୍ତି ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷାରୁ ଜଣାପଡ଼ିଛି ଯେ, ଗତ ୪ବର୍ଷରେ ବିଭିନ୍ନ ବିଭାଗର ୬୨,୫୦୦ଟି ପଦବି ପୂରଣ ହୋଇଛି। ୨୦୧୫ ମସିହାରୁ ଓଡ଼ିଶା ଲୋକସେବା ପରୀକ୍ଷା ନିୟମିତ ଭାବେ ହେଉଛି।

ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ବିଭିନ୍ନ ବିଭାଗରେ ବାକି ଥିବା ୭୫୦୦ଟି ଖାଲି ପଦବି ପୂରଣ ପାଇଁ ଜୁନ୍‌ ଶେଷ ସୁଦ୍ଧା ପ୍ରସ୍ତାବ ପଠାଇବେ। ଏହାସହ ବିଭିନ୍ନ ସଂସ୍ଥା ଦ୍ୱାରା ୧୯,୦୦୦ ବିଭାଗୀୟ ପଦବି ପୂରଣ ପାଇଁ ଚାଲିଥିବା ନିଯୁକ୍ତି ପ୍ରକ୍ରିୟା ତୁରନ୍ତ ଶେଷ କରିବେ।

ସେହିପରି ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଖାଲି ପଦବିଗୁଡ଼ିକୁ ପୂରଣ କରିବାକୁ ଏକ ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ କରିବା ପାଇଁ ସମସ୍ତ ବିଭାଗ ନିଯୁକ୍ତି ଏଜେନ୍ସିଗୁଡ଼ିକୁ ଜୁନ୍‌ ମାସ ଶେଷ ସୁଦ୍ଧା ପ୍ରସ୍ତାବ ପଠାଇବେ। ଏହି ପ୍ରକ୍ରିୟା ୬ମାସ ମଧ୍ୟରେ ଶେଷ କରି ନିୟମିତ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ୨୦୧୭ ବର୍ଷ ପାଇଁ ଓଡ଼ିଶା ଲୋକସେବା ପରୀକ୍ଷା ପ୍ରକ୍ରିୟାକୁ ଶୀଘ୍ର ସଂପୂର୍ଣ୍ଣ କରି ଫଳାଫଳ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଓଡ଼ିଶା ଲୋକସେବା ୨୦୧୮ ପାଇଁ ମେ ୩୧ ସୁଦ୍ଧା ବିଜ୍ଞାପନ ପ୍ରକାଶ କରିବାକୁ ସାଧାରଣ ପ୍ରଶାସନ ବିଭାଗ ଓଡ଼ିଶା ଲୋକସେବା ଆୟୋଗକୁ ପ୍ରସ୍ତାବ ପଠାଇବାକୁ କୁହାଯାଇଛି। ସହକାରୀ ଉପବିଭାଗ ଅଧିକାରୀ ପଦବି ପାଇଁ ଚାଲିଥିବା ନିଯୁକ୍ତି ପ୍ରକ୍ରିୟା ୬ମାସ ମଧ୍ୟରେ ଶେଷ ହେବ।

ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସମେତ ଆଡଭୋକେଟ ଜେନେରାଲ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଏବଂ ବିଭିନ୍ନ ନିଯୁକ୍ତି କମିସନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.