ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ସରକାରୀ ଜମି ହସ୍ତାନ୍ତର

ସୋନପୁର : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ଶନିବାର ସୁବର୍ଣ୍ଣପୁର ଜିଲ୍ଲାରେ ସରକାରୀ ଜମି ରେଳ ବିଭାଗକୁ ହସ୍ତାନ୍ତର ହୋଇଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ହଲରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜଳସମ୍ପଦ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ସୋନପୁର ତହସିଲର ୮୧ ଏକର ୧୪୫ ଡିସିମିଲ ଏବଂ ତରଭା ତହସିଲର ୨୩ ଏକର ୨୦ ଡିସିମିଲ ସରକାରୀ ଜମିର ପଟ୍ଟା ରେଳ ବିଭାଗକୁ ହସ୍ତାନ୍ତର କରିଥିଲେ। ଏହିପରି ଭାବରେ ୧୦୪ ଏକର ୩୪୫ ଡିସିମିଲ ସରକାରୀ ଜମି ଆଜି ହସ୍ତାନ୍ତର ହୋଇଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସମସ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ସରିବ ବୋଲି ସୂଚନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ଦେବୀ ପ୍ରସାଦ ଦାଶ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି ଡିଆରଡିଏ ସୂର୍ଯ୍ୟନାରାୟଣ ଦାଶ, ଇଷ୍ଟକୋଷ୍ଟ ରେଲୱେ ଉପ ମୁଖ୍ୟଯନ୍ତ୍ରୀ ନିର୍ମାଣ ଏମ.ଭି.ସତ୍ୟନାରାୟଣ, ଜମି ଅଧିଗ୍ରହଣ ଅଧିକାରୀ ପ୍ରମୋଦ ଦାଶ, ପୂର୍ବ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ସୋନପୁର ପୌରାଧ୍ୟକ୍ଷା ସିମନ୍ତିନୀ ନାଏକ, ସୋନପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ନାଗ, ସୋନପୁର ବିଡିଓ ନିରଞ୍ଜନ ନାଏକ, ଡିଆଇପିଆରଓ ଅଶୋକ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହାଛଡ଼ା ସୋନପୁର କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ତଥା ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର