ଶିକ୍ଷା ଟ୍ରିବ୍ୟୁନାଲ୍‌ରୁ ସରକାରୀ ଓକିଲଙ୍କ ଇସ୍ତଫା, ଉଚ୍ଚଶିକ୍ଷା ବିଭାଗର ଅତ୍ୟଧିକ ହସ୍ତକ୍ଷେପ ଅଭିଯୋଗ

ଭୁବନେଶ୍ବର : ରାଜ୍ୟ ଶିକ୍ଷା ଟ୍ରିବ୍ୟୁନାଲ୍‌ର ସରକାରୀ ଓକିଲ ଗୋବିନ୍ଦ ଚନ୍ଦ୍ର ନାୟକ ଆଜି ତାଙ୍କ ପଦବିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଆଇନ ବିଭାଗକୁ ପଠାଇ ଦେଇଛନ୍ତି। ଇସ୍ତଫାର କାରଣ ଭାବେ ଉଚ୍ଚଶିକ୍ଷା ବିଭାଗକୁ ସେ ଅଙ୍ଗୁଳି ଉଠାଇଛନ୍ତି। ସରକାରୀ ଓକିଲଙ୍କ କାର୍ଯ୍ୟାଳୟର ପ୍ରଶାସନିକ ବ୍ୟାପାରରେ ଉଚ୍ଚଶିକ୍ଷା ବିଭାଗ ଅତ୍ୟଧିକ ହସ୍ତକ୍ଷେପ କରୁଛି ବୋଲି ଶ୍ରୀ ନାୟକ ଅଭିଯୋଗ ଆଣିଛନ୍ତି। ଏହି ପରିସ୍ଥିତିରେ ସରକାରୀ ଓକିଲ ଭାବେ କାର୍ଯ୍ୟ କରିବା ସମ୍ଭବ ହେଉ ନାହିଁ ବୋଲି ସେ ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ଗତ ବର୍ଷ ମାର୍ଚ୍ଚ ମାସରେ ଶ୍ରୀ ନାୟକଙ୍କୁ ରାଜ୍ୟ ଶିକ୍ଷା ଟ୍ରିବ୍ୟୁନାଲ୍‌ରେ ସରକାରୀ ଓକିଲ ଭାବେ ନିଯୁକ୍ତି ଦିଆଯାଇଥିଲା। ଗତ ୯ ମାସ ଭିତରେ ‌େସ ତାଙ୍କ କାର୍ଯ୍ୟ ଠିକ୍ ଭାବେ ତୁଲାଇଥିଲେ, ଯାହା କି କେସ୍‌ ରେକର୍ଡରୁ ଜଣାପଡ଼ିବ ବୋଲି ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।

ଗତ ନଭେମ୍ବର ୨୭ ତାରିଖରେ ଶିକ୍ଷା ଟ୍ରିବ୍ୟୁନାଲ୍‌ରେ କାର୍ଯ୍ୟରତ ଜଣେ ଅତିରିକ୍ତ ସରକାରୀ ଓକିଲଙ୍କୁ ବହିଷ୍କାର କରାଯାଇଥିଲା। ସରକାରୀ ଓକିଲ ଗୋବିନ୍ଦ ଚନ୍ଦ୍ର ନାୟକ ଅତିରିକ୍ତ ସରକାରୀ ଓକିଲଙ୍କ ବିରୋଧରେ ଆସିଥିବା ଅନିୟମିତତା ଅଭିଯୋଗର ତଦନ୍ତ କରିଥିଲେ। କିନ୍ତୁ ବହିଷ୍କାରର କିଛି ଦିନ ଭିତରେ ତାଙ୍କୁ ପୁଣି ନିଯୁକ୍ତି ଦିଆଯାଇଥିଲା, ଯାହା କି ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା। ତେଣୁ ଏହି ଘଟଣା ସହ ଶ୍ରୀ ନାୟକଙ୍କ ଇସ୍ତଫାର ସମ୍ପର୍କ ଥାଇପାରେ ବୋଲି ଆଲୋଚନା ଚାଲିଛି।

ସମ୍ବନ୍ଧିତ ଖବର