ଏନ୍‌ସିଟିଇ ନିର୍ଦେଶକୁ ଅଣଦେଖା : ବନ୍ଦ ହୋଇଯିବ ଦୁଇ ସରକାରୀ ଶାରୀରିକ ଶିକ୍ଷା କଲେଜ

ଭୁବନେଶ୍ବର : ରାଜ୍ୟ ସରକାର କ୍ରୀଡ଼ାବିତ୍‌ ଓ କ୍ରୀଡ଼ା‌ ଭିତ୍ତିଭୂମି ପାଇଁ ଅନେକ କିଛି କରୁଛନ୍ତି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରି ବିଶ୍ବ ଦରବାରରୁ ଢେର ପ୍ରଶଂସା ମଧ୍ୟ ସାଉଁଟୁଛନ୍ତି। ରାଜଧାନୀ ଭୁବନେଶ୍ବରକୁ ଦେଶର କ୍ରୀଡ଼ା କ୍ୟାପିଟାଲ କରିବାର ପଣ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଥର ନେଇଛନ୍ତି। ହେଲେ କ୍ରୀଡ଼ାବିତ୍ ସୃଷ୍ଟି କରୁଥିବା କ୍ରୀଡ଼ା ଶିକ୍ଷକ ଏବଂ ପ୍ରଶିକ୍ଷକମାନେ ପୂର୍ବବତ ଅବହେଳିତ ହେଉଛନ୍ତି। ଏହାର ନଗ୍ନ ନମୁନା ହେଉଛି ରାଜ୍ୟରେ ଥିବା ଦୁଇଟି ସରକାରୀ ଶାରୀରିକ ଶିକ୍ଷା କଲେଜ (ଜିସିପିଇ)। ଶହ ଶହ ଶାରୀରିକ ଶିକ୍ଷକ ସୃଷ୍ଟି କରି ନିକଟରେ କଳିଙ୍ଗ ଷ୍ଟାଡିୟମରୁ ଫୁଲନଖରା ସ୍ଥାନାନ୍ତରିତ ହୋଇଥିବା ସରକାରୀ ଶାରୀରିକ ଶିକ୍ଷା କଲେଜ ଏବଂ ସମ୍ବଲପୁରର କୁଲୁଣ୍ଡିଠାରେ ଥିବା ସରକାରୀ ଶାରୀରିକ ଶିକ୍ଷା କଲେଜ ଏବେ ବନ୍ଦ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ ଏନ୍‌ସିଟିଇ (ନ୍ୟାସନାଲ କାଉନସିଲ୍ ଫର ଟିଚର୍ସ ଏଜୁକେସନ୍) ନିୟମ ଏବଂ ମାନଦଣ୍ଡ ପୂରଣ କରି ନଥିବାରୁ ୨୦୨୦-୨୧ ଶିକ୍ଷା ବର୍ଷଠାରୁ ଏହି ଦୁଇ କଲେଜରେ ନାମ ଲେଖା ବନ୍ଦ ହୋଇଯିବ। ଏନ୍‌ସିଟିଇ ଏଥିନେଇ ବିଧିବଦ୍ଧ ନିର୍ଦେଶ ଜାରି କରି ସାରିଛି। ଏହି ସଂସ୍ଥା ଆବଶ୍ୟକ ମାନଦଣ୍ଡ ପୂରଣ ନେଇ ବାରମ୍ବାର ନୋଟିସ୍ ଜାରି କରିବା ପରେ ବାଧ୍ୟ ହୋଇ ଆସନ୍ତାବର୍ଷଠାରୁ ଏଠାକାର ବିପିଇଡି ନାମଲେଖା ସ୍ବୀକୃତି ପ୍ରତ୍ୟାହାର କରି ନେଇଛି। ପତ୍ର ସଂଖ୍ୟା ଓଆରଏସଓ/ଏନ୍ ୧/୨୦୦୦ ଏବଂ ୨/୨୦୦୦ରେ ଏନସିଇଟି ଉଭୟ କଲେଜକୁ ଏହି ବିଷୟରେ ଜଣାଇ ଦେଇଛି। ଅଥଚ ପଶ୍ଚିମବଙ୍ଗ ଏବଂ ଅନ୍ୟରାଜ୍ୟର ଶାରୀରିକ ଶିକ୍ଷା କଲେଜ ଏନସିଟିଇ ମାନଦଣ୍ଡ ପୂରଣ କରି ସ୍ବୀକୃତିପ୍ରାପ୍ତ ଶାରୀରିକ ଶିକ୍ଷା କଲେଜ ତାଲିକାରେ ପୂର୍ବବତ୍ ରହିଛନ୍ତି। ବାଲେଶ୍ବରର ବାଲିଆପାଳ ଏବଂ ଆଠଗଡ଼ର ତିଗିରିଆଠାରେ ଥିବା ରାଜ୍ୟର ଦୁଇ ଘରୋଇ ଶାରୀରିକ ଶିକ୍ଷା କଲେଜ ସମସ୍ତ ମାନଦଣ୍ଡ ପୂରଣ କରି ସ୍ବୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ ତାଲିକାରେ ଅଛନ୍ତି। ଶିକ୍ଷକ ତାଲିକାରେ ତ୍ରୁଟି, ନିଜସ୍ବ ଖେଳ ପଡ଼ିଆର ଅଭାବ, ଛାତ୍ରଛାତ୍ରୀ ଓ ଶିକ୍ଷକ ଅନୁପାତରେ ବ୍ୟତିକ୍ରମ, ନିଜସ୍ବ ବିଲଡିଂର ପ୍ଲାନ୍ ଏବଂ ବିଲଡିଂ ନିର୍ମାଣ ଶେଷ ପ୍ରମାଣପତ୍ର ଦାଖଲ କରିବାକୁ ଏନ୍‌ସିଟିଇ ଉଭୟ କଲେଜକୁ ୨୦୧୮ ଏପ୍ରିଲ ୨୦ରେ ନୋଟିସ୍ ଜାରି କରିଥିଲା। ହେଲେ କୌଣସି ସନ୍ତୋଷଜନକ ଉତ୍ତର ଏହି ଦୁଇ କଲେଜ ଦାୟିତ୍ବରେ ଥିବା ରାଜ୍ୟ କ୍ରୀଡ଼ା ବିଭାଗରୁ ପାଇ ନ ଥିଲା। ଏଥିନେଇ ଏନସିଟିଇ ୨୮-୧୧-୨୦୧୮ରେ ଅନ୍ତିମ ନୋଟିସ୍ ଜାରି କରିଥିଲା। ତଥାପି କୌଣସି ଉତ୍ତର ଦିଆଯାଇ ନଥିଲା। ବାଧ୍ୟ ହୋଇ ଏନସିଟିଇ ‘ଏନସିଟିଇ ଆଇନ ୧୯୯୩ର ଧାରା ୧୭(୧)’ ଅନୁସାରେ ବିପିଇଡି ନାମଲେଖା ପାଇଁ ଦେଇଥିବା ସ୍ବୀକୃତିପତ୍ର ପ୍ରତ୍ୟା‌ହାର କରି ନେଇଛି। ଫଳରେ ଉଭୟ କଲେଜରେ ନାମ ଲେଖାଇବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀ ଏବଂ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଭବିଷ୍ୟତ ଆଶଙ୍କା ଘେରକୁ ଚାଲି ଯାଇଛି।

୧୯୫୭ରେ ଖୋଲିଥିଲା, ଏଯା‌ଏ ଭିତ୍ତିଭୂମି ନାହିଁ

କଳିଙ୍ଗ ଷ୍ଟାଡିୟମରୁ ଫୁଲନଖରା ସ୍ଥାନାନ୍ତରିତ ହୋଇଥିବା ସରକାରୀ ଶାରୀରିକ ଶିକ୍ଷା କଲେଜ ୧୯୫୭ରେ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଥମେ ଏହା ଏକ ଭଡ଼ାଘରେ ଚାଲୁଥିଲା। ୧୯୯୫ ମସିହାରେ ଏହାକୁ କଳିଙ୍ଗ ଷ୍ଟାଡିୟମକୁ ଉଠାଇ ନିଆଯାଇଥିଲା। ହେଲେ କଲେଜର ନିଜସ୍ବ ବିଲଡିଂ କିମ୍ବା ‌ଖେଳପଡ଼ିଆ ଆଜି ଯାଏଁ ନିର୍ମାଣ ହୋଇନାହିଁ। ଛାତ୍ରଛାତ୍ରୀମାନେ କଳିଙ୍ଗ ଷ୍ଟାଡିୟମ ଭିତ୍ତିଭୂମିକୁ ଉପଯୋଗ କରି ଆସୁଥିଲେ। ଅନ୍ୟପକ୍ଷରେ ସମ୍ବଲପୁର ଶାରୀରିକ ଶିକ୍ଷା କଲେଜ ବହୁ ପରେ ଆରମ୍ଭ ହୋଇଥିଲେ ମଧ୍ୟ ଉଭୟ କଲେଜରେ ୧୦୦ ଲେଖାଏଁ ବିପିଇଡି ଏବଂ ୧୬ ଟି ଲେଖାଏଁ ଏମପିଇଡି ସିଟ୍ ଥିଲା। ସରକାରୀ ଶାରୀରିକ ଶିକ୍ଷା କଲେଜର ଏଭଳି ଅବସ୍ଥା ନେଇ ଏହି କଲେଜର ପୂର୍ବତନ ଛାତ୍ର ତଥା କିଟ୍ ବିଶ୍ବବିଦ୍ୟାଳୟର କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାସ ଦୁଃଖ ପ୍ରକାଣ କରିଛନ୍ତି। ସେ କହିଛନ୍ତି; ଓଡ଼ିଶାର କ୍ରୀଡ଼ା ପ୍ରତି ଏହି ଶିକ୍ଷାନୁଷ୍ଠାନର ବଳିଷ୍ଠ ଯୋଗଦାନ ରହିଛି। ଆମେ ଖେଳ ଓ ଖେଳାଳିଙ୍କ ପାଇଁ ଅନେକ କିଛି କରୁଛୁ। ହେଲେ ଶାରୀରିକ ଶିକ୍ଷକଙ୍କ ପାଇଁ କିଛି ନାହିଁ। ଘରୋଇ ଅନୁଷ୍ଠାନ ଏନସିଟିଇର ମାନଦଣ୍ଡ ପୂରଣ କରୁଛନ୍ତି। ସରକାରୀ ଅନୁଷ୍ଠାନ କାହିଁକି ମାନଦଣ୍ଡ ପୂରଣ କରିପାରିବେ ନାହିଁ? ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବଞ୍ଚାଇବାକୁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି। ବାଲିଆପାଳ ଶାରୀରିକ ଶିକ୍ଷା କଲେଜର ପୂର୍ବତନ ଅଧ୍ୟକ୍ଷ ଶକ୍ତି ରଞ୍ଜନ ମିଶ୍ର କହିଛନ୍ତି ଯେ ଯୋଗାଯୋଗର ଅଭାବ ହିଁ ଏହି ସମସ୍ୟାର ମୂଳ କାରଣ। ଉଭୟ କଲେଜର ଅଧିକାରୀ ସମ୍ଭବତଃ ଏହି ବିଷୟରେ ଠିକ୍ ସମୟରେ ରାଜ୍ୟସରକାରଙ୍କ ଧ୍ୟାନ ଆକର୍ଷଣ କରି ନାହାନ୍ତି। ରାଜ୍ୟ ସରକାର ଏବେ ଏହି ବିଷୟରେ ଧ୍ୟାନ ନ ଦେଲେ ଆଗକୁ ଏହି ଦୁଇ କଲେଜ ବନ୍ଦ ହେବା ନିଶ୍ଚିତ। ଶାରୀରିକ ଶିକ୍ଷକମାନେ ଶିକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ବିଦ୍ୟାଳୟସ୍ତରରୁ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ସେମାନେ ନିର୍ଣ୍ଣାୟକ ଭୂମିକା ନିଅନ୍ତି। ଏଣୁ ତୁରନ୍ତ ଏଥିନେଇ ପଦକ୍ଷେପ ନେବାକୁ ମୁଁ ଭାରପ୍ରାପ୍ତ ଅଧିକାରୀମାନଙ୍କୁ ଅନୁରୋଧ କରୁଛି।

ସମ୍ବନ୍ଧିତ ଖବର