ଅଭାବୀ ବିକ୍ରି ଉପରେ ଅଙ୍କୁଶ ଚାଷୀଙ୍କଠାରୁ ସରକାର କିଣିବେ ବିରି, ହରଡ଼, ଚିନାବାଦାମ

ଭୁବନେଶ୍ୱର: ଧାନ ସଂଗ୍ରହ କାର୍ଯ୍ୟକ୍ରମ ଭଳି ରାଜ୍ୟ ସରକାର ଚାଷୀଙ୍କଠାରୁ ବିରି, ମୁଗ, ହରଡ଼, ଚିନାବାଦାମ, ସୂର୍ଯ୍ୟମୁଖୀ ମଞ୍ଜି କିଣିବେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଚାଷୀଙ୍କୁ ଦିଆଯିବ। ଏହା ଫଳରେ ଅଭାବୀ ବିକ୍ରି ଉପରେ ଅଙ୍କୁଶ ଲଗାଇହେବ ବୋଲି ଆଶା କରାଯାଉଛି। କୃଷି ବିଭାଗ ସୂଚନା ଅନୁଯାୟୀ ମାର୍କଫେଡ୍‌ ଜରିଆରେ ରବି ଋତୁରେ ରାଜ୍ୟର ଚାଷୀମାନଙ୍କଠାରୁ ବିରି, ମୁଗ, ହରଡ଼, ଚିନାବାଦାମ, ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯିବ। ବଲାଙ୍ଗୀର, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତ୍‌ସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ପୁରୀ ଜିଲ୍ଲାରୁ ମୁଗ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ସେହିପରି ଅନୁଗୁଳ, କଟକ, ଢେଙ୍କାନାଳ, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରୁ ହରଡ଼; ବାଲେଶ୍ୱର, ଢେଙ୍କାନାଳ, ଗଞ୍ଜାମ, କଳାହାଣ୍ଡି, ମୟୂରଭଞ୍ଜ, ପୁରୀ ଜିଲ୍ଲାରୁ ଚିନାବାଦାମ; ଭଦ୍ରକ, ଗଜପତି, ଗଞ୍ଜାମ ଜିଲ୍ଲାରୁ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ ହେବ। ଆବଶ୍ୟକ ସ୍ଥଳେ ଅନ୍ୟ ଜିଲ୍ଲାର ଚାଷୀମାନଙ୍କ ପାଖରେ ବଳକା ଶସ୍ୟ ଥିଲେ ତାକୁ ସଂଗ୍ରହ କରାଯିବ। କେବଳ ହରଡ଼କୁ ଛାଡ଼ିଦେଲେ, ଅନ୍ୟ ସମସ୍ତ ଶସ୍ୟ ଚଳିତ ରବି ଋତୁରେ ସଂଗ୍ରହ କରାଯିବ। ମାର୍କଫେଡ୍‌ ଚାଷୀଙ୍କଠାରୁ ଏସବୁ ଶସ୍ୟ ସଂଗ୍ରହ କରି କେନ୍ଦ୍ରୀୟ ସଂସ୍ଥା ନାଫେଡ୍‌କୁ ହସ୍ତାନ୍ତର କରିବ ବୋଲି ସ୍ଥିର ହୋଇଛି। ଉତ୍ପାଦିତ ଫସଲ ସଂଗ୍ରହ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲା କୃଷି ବିଭାଗ। ଏ ନେଇ କେନ୍ଦ୍ର ସରକାରଙ୍କ ମଞ୍ଜୁରି ମିଳିଛି। ଫସଲ ସଂଗ୍ରହ ସଂକ୍ରାନ୍ତ ବିଜ୍ଞପ୍ତି ଆସନ୍ତା ସାତଦିନ ମଧ୍ୟରେ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର