କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପର, ଭୋଇମଡା, ପାଟିକୁପା, କାଟିକଣାରେ ଡାକ୍ତରୀ ଟିମ

ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଖୋଲିଲା ୨ଟି ୱାର୍ଡ, ସମସ୍ତ ସତର୍କମୂଳକ ପଦକ୍ଷେପ ନିଆଯାଇଛି: ସିଡିଏମ୍ଓ

ରାୟଗଡ଼ା: କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ। କେରଳ, ବେଙ୍ଗାଲୁରୁ, ତାମିଲନାଡୁ ସମେତ ଅନ୍ୟ ରାଜ୍ୟରୁ ବର୍ତମାନ ଭିଟାମାଟିକୁ ଫେରୁଥିବା ଶ୍ରମିକଙ୍କ ଉପରେ ତୀକ୍ଷଣ୍ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ। ଆଜି କୋଲନରା ବ୍ଲକର ଭୋଇମଡ଼ା, କାଟିକଣା, ପାଟିକୁପା ଗାଁକୁ ଯାଇ ଡାକ୍ତରୀ ଟିମ୍ ଦାଦନ ଖଟିବାକୁ ଯାଇ ଗାଁକୁ ଫେରିଥିବା ଶ୍ରମିକଙ୍କ ନମୁନା ସଂଗ୍ରହ କରିଛି। ଅନ୍ୟପକ୍ଷରେ କରୋନା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨ଟି ସ୍ବତନ୍ତ୍ର ୱାର୍ଡ ଖୋଲାଯିବା ସହ ସମସ୍ତ ସତର୍କମୂଳକ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତବନ୍ଧୁ ନାୟକ।

କେରଳରେ କରୋନା ରୋଗୀ ସଂଖ୍ୟା ଭାରତରେ ଅଧିକା ଥିବାରୁ ରାୟଗଡ ଜିଲ୍ଲାରୁ ବହୁ ଶ୍ରମିକ ଦାଦନ ଖଟିବାକୁ କେରଳ ଯାଇଥିଲେ। ବର୍ତମାନ କରୋନା ଭୟରେ ଶ୍ରମିକମାନେ ଗାଁକୁ ଫେରି ଆସୁଛନ୍ତି। କେରଳରୁ ୪ ଜଣ, ତାମିଲନାଡୁରୁ ୬ ଜଣ ଏବଂ ବେଙ୍ଗାଲୁରୁରୁ ୫ ଶ୍ରମିକ ଭୋଇମଡ଼ା, କାଟିକଣା, ପାଟିକୁପା ଗାଁକୁ ଫେରିବା ସୂଚନା ପରେ ସିଡିଏମଓ ନିର୍ଦେଶରେ କୋଲନରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ୍ ଆଜି ଉକ୍ତ ଗାଁକୁ ଯାଇ ଫେରନ୍ତା ଶ୍ରମିକଙ୍କ ରକ୍ତ ନମୁନା ସଂଗ୍ରହ ସହ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏଥି ସହିତ କରୋନାରୁ ବର୍ତ୍ତିବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି। ସେହିପରି ରାୟଗଡ଼ା ବ୍ଲକର ପିପିଲିଗୁଡା, ଜେମାଦେଇପେଣ୍ଠ, କୋଲନରା ବ୍ଲକର ଅଣ୍ଟାମଡ଼ା ସମେତ ପଦ୍ମପୁର, ମୁନିଗୁଡା, ଗୁଣପୁର, ରାମନାଗୁଡା, କାଶୀପୁର ବ୍ଲକର ବିଭିନ୍ନ ଗ୍ରାମର ଲୋକ ଦାଦନ ଖଟିବାକୁ କେରଳ ଯାଇଛନ୍ତି। କରୋନା ବ୍ୟାପିବା ପରେ ଶ୍ରମିକମାନେ ଭୟରେ ଗାଁ ମୁହାଁ ହେବା ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ସ୍ବରୂପ ସନ୍ଦିଗ୍ଧ ଦାଦନ ଫେରନ୍ତା ଶ୍ରମିକଙ୍କ ଉପରେ ନଜର ରଖିଛି।

ସମ୍ବନ୍ଧିତ ଖବର