ବମିଖାଲ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟରୁ ବାଦ୍‌ ପଡିଲା ଠିକା ସଂସ୍ଥା ପଣ୍ଡା ଇନଫ୍ରା !

ଭୁବନେଶ୍ୱର : ବମିଖାଲ ଓଭରବ୍ରିଜ୍‌ ନିର୍ମାଣ କରୁଥିବା ଠିକା ସଂସ୍ଥା ପଣ୍ଡା ଇନଫ୍ରା ଆଉ ଓଭରବ୍ରିଜ୍‌ କାମ କରିବ ନାହିଁ। ଓଭରବ୍ରିଜ ନିର୍ମାଣ ସ୍ଥଳରେ ଦୁଇଥର ଦୁର୍ଘଟଣା ଘଟି ୨ ଜଣ ମୃତ୍ୟୁବରଣ କରିବା ପରେ ଏହି ଠିକା ସଂସ୍ଥାକୁ ବାଦ୍‌ ଦେଇଛି ପୂର୍ତ ବିଭାଗ। ୭ ମାସ ତଳେ ଓଭରବି୍ରଜ ଭୁଷୁଡ଼ି ଜଣେ ସାଧାରଣ ନାଗରିକ ମୃତ୍ୟୁବରଣ କରିଥିଲେ। ଏହାପରେ ଗତ କିଛିଦିନ ତଳେ ପୁଣି ଜଣେ ଶ୍ରମିକଙ୍କ ମୃତ୍ୟୁ ପରେ ଏହି ସଂସ୍ଥାର ଅବହେଳାକୁ ଦାୟୀ କରିବା ସହ ଏପରି ନିଷ୍ପତ୍ତି ନେଇଛି ପୂର୍ତ ବିଭାଗ।

ପୂର୍ତ ବିଭାଗ ସଚିବ କହିଛନ୍ତି, ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ ଦୁଇ ତିନ ଦିନ ଭିତରେ କାହାକୁ କାମ ଦିଆଯିବ, ସେନେଇ ନିଷ୍ପତ୍ତି ନିଆଯିବ। ୨ ମାସ ଭିତରେ ନିର୍ମାଣ କାମ ସରିବ। ତେବେ ବ୍ୟୟବରାଦ ଆହୁରି ୪ରୁ ୫ କୋଟି ବୃଦ୍ଧି ପାଇବ। କାମ ସମ୍ପୂର୍ଣ୍ଣ ହେବା ପରେ ତୃତୀୟ ପକ୍ଷ ପୋଲର ଯାଞ୍ଚ କରିବେ।

ସୂଚନାଯୋଗ୍ୟ ଯେ, ବମିଖାଲ ଓଭରବ୍ରିଜ ସମେତ ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ଏକ ଫ୍ଲାଏଓଭର ନିର୍ମାଣ କରୁଛି ପଣ୍ଡା ଇନଫ୍ରା। ଏହି ବ୍ରିଜ୍‌ କାମ ମଧ୍ୟ ଜାରି ରହିଛି । ସେହିପରି ଜଟଣୀରେ ଏହି ଠିକା ସଂସ୍ଥା ଏକ ଓଭରବ୍ରିଜ ନିର୍ମାଣ କରୁଛି। ସମ୍ବଲପୁରରେ ପଣ୍ଡା ଇନଫ୍ରା କରୁଛି ଆଉ ଏକ ବଡ ବ୍ରିଜ୍‌ ନିର୍ମାଣ। ତେବେ ବ୍ରିଜର ମାନ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ବମିଖାଲ ଓଭରବ୍ରିଜରେ ଦୁଇ ଦୁଇଥର ଦୁର୍ଘଟଣା ପରେ ଏବେ ଏସବୁର ନିର୍ମାଣ ଉପରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର