ଭୁବନେଶ୍ୱର : ନୟାଗଡ଼ ବ୍ଲକ୍ରେ ଚାଲିଛି ଆଖିବୁଜା ଦୁର୍ନୀତି। ସ୍ୱଚ୍ଛ ଭାରତ ମିସନରେ ପାଇଖାନା ନିର୍ମାଣ ହେଉ ବା ଗୃହ ସବୁଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ନଜରକୁ ଆସିଛି। ଗୋଟିଏ ପରିବାର ସ୍ୱାମୀ-ସ୍ତ୍ରୀ, ମା’-ପୁଅ ପାଇଖାନା ହାତେଇବାରେ ସକ୍ଷମ ହୋଇଛନ୍ତି। ନଡ଼ିଆଳି, ହିଞ୍ଚିଳି ଗାଡ଼ିଆ, ଗବନଳ ଓ ପାଟଣା ସାହିରେ ଏଭଳି ହଡ଼ପ ନଜରକୁ ଆସିଛି। ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅଧିକାଂଶ ସ୍ୱଚ୍ଛଳ ବର୍ଗର ଲୋକ ଅସାଧୁ ଉପାୟରେ ସରକାରୀ ସୁବିଧା ସୁଯୋଗ ହାତେଇ ନେଇଛନ୍ତି। ଏନେଇ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ନଡ଼ିଆଳି ଗ୍ରାମ ପଞ୍ଚାୟତରେ ଇନ୍ଦିରା ଆବାସଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡ଼ିଆ ଓ ବିଜୁ ପକ୍କାଘର ଯୋଜନାରେ ୨୦୦୨/୦୩ଠାରୁ ୨୦୧୭ ମସିହା ପର୍ଯ୍ୟନ୍ତ ବ୍ୟାପକ ହେରଫେର ହୋଇଛି। ଗୋଟିଏ ଆର୍ଥିକ ବର୍ଷରେ ସ୍ତ୍ରୀ ନାଁରେ ଘର ମଞ୍ଜୁର ହୋଇଥିବା ବେଳେ ଅନ୍ୟ ଆର୍ଥିକ ବର୍ଷରେ ସ୍ୱାମୀ ନାଁରେ ଘର ମଞ୍ଜୁର ହୋଇଥିବା ନଜରକୁ ଆସିଛି। ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଘର ୨ହଜାର ଟଙ୍କାରୁ ଆରମ୍ଭ କରି ୪୦ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଉଦୟପୁର ଗାଁର ଜଣେ ମହିଳା ୨୦୦୪/୦୫ ମସିହାରେ ଇନ୍ଦିରା ଆବାସ ଯୋଜନାରେ ଘର ପାଇଥିଲେ। ୨୦୦୯/୧୦ରେ ତାଙ୍କ ସ୍ୱାମୀ ଇନ୍ଦିରା ଆବାସ ହାତେଇବାରେ ସକ୍ଷମ ହୋଇଥିଲେ। ଏହି ପରିବାରର ବାପ-ପୁଅ ମଧ୍ୟ ଇନ୍ଦିରା ଆବାସରେ ଘର ପାଇଛନ୍ତି। ସେହିପରି ୨୦୦୭/୦୮ରେ ପଲ୍ଲୀଶାସନ ଗାଁରେ ମୀନା ପ୍ରଧାନ ନାମକ ମହିଳାଙ୍କ ନାଁରେ ଇନ୍ଦିରା ଆବାସ ହଡ଼ପ ହୋଇଛି। ପଲ୍ଲୀ ଶାସନ ଗାଁର କାଳିଆ ମଳିକ ହିଞ୍ଜିଳ ଗାଡ଼ିଆ ଗାଁ ନାଁରେ ଘର ପାଇଛନ୍ତି। ହିଞ୍ଜିଳି ଗାଡ଼ିଆ ଗାଁର ଅର୍ଜ୍ଜୁନ ପ୍ରଧାନ ଓ ଧୋବେଇ ବାରିକଙ୍କୁ ଇନ୍ଦିରା ଆବାସ ମିଳିଥିଲେ ହେଁ ତାଙ୍କର କେଉଁଠି ଘର ତିଆରି ହୋଇଛି ଜଣାନାହିଁ। ନଡ଼ିଆଳି ଗାଁରେ ମଧ୍ୟ ଅନେକ ପରିବାର ଏକାଧିକ ବ୍ୟକ୍ତି ଇନ୍ଦିରା ଆବାସ ହାଇବାରେ ସକ୍ଷମ ହୋଇଛନ୍ତି। ବଢ଼ିଆ ସାହି ଜଣେ ବ୍ୟକ୍ତି ୧୨ବର୍ଷ ତଳୁ ପ୍ରାଣ ହରାଇଥିଲେ ହେଁ ତାଙ୍କ ନାଁରେ ଘର ଆବଣ୍ଟିତ ହୋଇଛି। ଏହିଭଳି ଗୋଟିଏ ପରିବାରର ଅନେକ ବ୍ୟକ୍ତିଙ୍କୁ ଘର ମିଳିପାରିଛି।
ସେହିପରି ସ୍ୱଚ୍ଛ ଭାରତ ମିସନ ଅଧୀନରେ ପାଇଖାନା ନିର୍ମାଣରେ ମଧ୍ୟ ବ୍ୟାପକ ହେରଫେର ହୋଇଛି। ଗୋଟିଏ ପରିବାରକୁ ଏକାଧିକ ବାର ପାଇଖାନା ମଞ୍ଜୁର ହୋଇଛଇ। ପାଇଖାନା ପାଇଁ ୧୨ହଜାର ଟଙ୍କା ଅନୁଦାନ ରାଶି ରହିଥିବା ବେଳେ ହିତାଧିକାରୀଙ୍କୁ ୧୦ହଜାର ଟଙ୍କା ଦିଆଯାଉଛି। ଗୋଟିଏ ଗୋଟିଏ ଗାଁରେ ହିତାଧିକାରୀଙ୍କଠାରୁ ଅଧିକ ସଂଖ୍ୟାରେ ପାଇଖାନା ମଞ୍ଜୁର ହୋଇଥିବା ନଜରକୁ ଆସିଛି। କେଉଁଠି ସ୍ୱାମୀ-ସ୍ତ୍ରୀ ତ ଆଉ କେଉଁଠି ବାପ-ପୁଅ ପାଇଖାନାରେ ହାତେଇବାରେ ସକ୍ଷମ ହୋଇପାରିଛନ୍ତି। ହିଞ୍ଜିଳ ଗାଡ଼ିଆ, ଗବନଳ, ପାଟଣା ସାହି ଓ ନଡ଼ିଆଳି ଗାଁରେ ଏହି ହେରଫେର ସୀମା ଟପିଛି। ପାଟଣାସାହିର ପଲ୍ଲବ ବେହେରା, କୃଷ୍ଣଚନ୍ଦ୍ର, ଦାଶରଥୀ ଓ କବିରାଜଙ୍କ ଭଳି ଅଭୟ ସାହୁ, ଭାସ୍କର ସାହୁ, ରବୀନ୍ଦ୍ର ଓ ରତ୍ନାକରକୁ ମିଶାଇ ୪ ଭାଇ ପାଇଖାନା ହାତେଇଛନ୍ତି। ଗବନଳ ଗାଁର ୪ ଭାଇ ଲଡ଼ୁ ସ୍ୱାଇଁ, ଗୋପୀନାଥ, ଦୂତୀ ଓ ରଘୁନାଥ ପାଇଖାନା ପାଇଥିବା ବେଳେ ୩ ଭାଇ କାନୁ ପ୍ରଧାନ, ମାଧବ ଓ ମାଗି ପ୍ରଧାନ ମଧ୍ୟ ସମାନ ଭାବେ ଉପକୃତ ହୋଇଛନ୍ତି। ନଡ଼ିଆଳି ଗାଁର ଗୋଟିଏ ପରିବାରର ଦାଶରଥୀ ସାଉ, ପ୍ରଦୋଦ କୁମାର ସାଉ ଓ ରବୀନ୍ଦ୍ର ସାଉ, ଈଶ୍ୱର ପ୍ରଧାନ, ସତ୍ୟସୁନ୍ଦର ପ୍ରଧାନ ଓ ଶିବସୁନ୍ଦର ପ୍ରଧାନ ୩ ଭାଇଙ୍କୁ ପାଇଖାନା ମିଳିଛି। ସେହିପରି ନୟାଗଡ଼ କଲେଜରେ ନିଯୁକ୍ତି ପାଇଥିବା ଜଣେ ବ୍ୟକ୍ତି ନିଜର ଏକ ଅନ୍ୟ ଠିକଣା ଦେଇ ପାଇଖାନା ହାତେଇଥିବା ନଜରକୁ ଆସିଛି। ସେହିପରି ହିଞ୍ଜିଳି ଗାଡ଼ିଆ ଗାଁର ୧୮ବର୍ଷ ଛୁଇଁ ନ ଥିବା ଅନେକ ଯୁବକଙ୍କ ନାଁରେ ପାଇଖାନା ମଞ୍ଜୁର ହୋଇଛି। ୧୫ରୁ ଅଧିକ ଏଭଳି ଯୁବକଙ୍କ ସଂପର୍କରେ ନଜରକୁ ଆସିଛି। ତେଣୁ ଗୃହ ନିର୍ମାଣ ଓ ପାଇଖାନାରେ ହୋଇଥିବା ବ୍ୟାପକ ଦୁର୍ନୀତିର ନିରପେକ୍ଷ ତଦନ୍ତ ପାଇଁ ଦାବି ହୋଇଛି।