ଚାରିଧାମରୁ ଅନ୍ୟତମ ଶ୍ରେଷ୍ଠ ଧାମ ‘ପୁରୀ’ର ବିକାଶ ପାଇଁ ସମସ୍ତେ ତତ୍ପର। ଏଥି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁଦାନ ଦେବାରେ କେବେ ବି ଊଣା କରିନାହାନ୍ତି। ବିଗତ ଦିନମାନଙ୍କରେ ସହରର ବିକାଶ ପାଇଁ ଶହ ଶହ କୋଟି ଟଙ୍କାର ମାଳମାଳ ପ୍ରକଳ୍ପ ଅଜାଡ଼ି ଦେଇଛନ୍ତି। ପରିମାଣ ପାଖାପାଖି ୫୦୦ କୋଟିରୁ ଅଧିକ। ଏବେ ପୁଣି ଥରେ ରାଜ୍ୟ ସରକାର ୨୬୫ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଟଙ୍କାରେ ପୁରୀ ସହରର ନବକଳେବର କଥା ଚିନ୍ତା କରାଯାଇଛି। ଶ୍ରୀମନ୍ଦିର ନିକଟରୁ ୭୫ ମିଟର ଯାଏ ମୁକ୍ତ ଅଞ୍ଚଳ ହେବ। ଏହାକୁ ନେଇ ବିଭିନ୍ନ ମହଲରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇଛି। ମାତ୍ର ଅତୀତର ଅନେକ ପ୍ରକଳ୍ପ ଭଳି ସରକାରଙ୍କ ଏହି ମହତ୍ବାକାଂକ୍ଷୀ ଯୋଜନାରେ ଘୁଣ ଲାଗିଯିବନି ତ… ଏମିତି କିଛି ପ୍ରଶ୍ନ ଏବେ ପୁରୀ ସହରବାସୀଙ୍କ ମନରେ ଉଙ୍କି ମାରିଛି। କାରଣ ପୁରୀ ପାଇଁ ସରକାର ଦେଉଥିବା ଅର୍ଥ କିପରି ବିନିଯୋଗ ହେଉଛି, ପ୍ରକଳ୍ପର କାମ କେମିତି ଚାଲିଛି, ଯେଉଁ ପ୍ରକଳ୍ପର କାମ ସରିଛି ତାହା କିପରି ଉପଯୋଗୀ ସାବ୍ୟସ୍ତ ହୋଇଛି, ସେସବୁର ହିସାବ କେହି ରଖୁନାହାନ୍ତି। ଫଳସ୍ବରୂପ ପ୍ରସାଦ, ହୃଦୟ ଓ ଅମୃତ ଭଳି ଯୋଜନା ବାଟବଣା ହୋଇସାରିଛି। ଖାଲି ସେତିକି ନୁହେଁ, ନବକଳେବର ସମୟରେ ଆସିଥିବା ହଜାର କୋଟି ଟଙ୍କାର ଅନୁଦାନ ମଧ୍ୟ ପୁରୀ ସହରର ଚିତ୍ର ବଦଳାଇ ପାରିନାହିଁ। ଆଇକନିକ୍ ସିଟି ଯୋଜନା ଓ ହେରିଟେଜ୍ କରିଡର୍ ଯୋଜନା ସରକାରୀ ଫାଇଲ ତଳେ ଚାପି ହୋଇ ରହିଯାଇଛି। କିଛି ମହତ୍ବାକାଂକ୍ଷୀ ପ୍ରକଳ୍ପର ବାସ୍ତବ ସ୍ଥିତି ସଂପର୍କରେ ‘ସମ୍ବାଦ’ର ବିଶେଷ ଉପସ୍ଥାପନା।
ହୃଦୟ ଯୋଜନା
ହୃଦୟ ଯୋଜନା ଅବଧି ସରିଲାଣି, ହେଲେ ବହୁ ପ୍ରକଳ୍ପ ଆରମ୍ଭ ହୋଇନି। କେନ୍ଦ୍ର ସରକାର ୨୦୧୫ରେ ହୃଦୟ ଯୋଜନା (ହେରିଟେଜ୍ ସିଟି ଡେଭଲପ୍ମେଣ୍ଟ ଆଣ୍ଡ ଆଗ୍ୟୁମେଣ୍ଟସନ୍)ରେ ପୁରୀ ସହରର ବିକାଶ ପାଇଁ ୨୨ କୋଟି ୧୯ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ। ସେଥିମଧ୍ୟରୁ ୬ଟି ପ୍ରକଳ୍ପ ପାଇଁ ୨୦ କୋଟି ୪୩ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବା ବେଳେ ତନ୍ମଧ୍ୟରୁ ୧୬ କୋଟି ଟଙ୍କା ଦିଆଯାଇଛି। ମାତ୍ର ଏ ଯୋଜନା ପାଦେ ବି ଆଗେଇନି। ୭ଟି ଜାଗା ଘର ଓ ପୁଷ୍କରିଣୀର ବିକାଶ ପାଇଁ ୭୯ ଲକ୍ଷ ୫୭ ହଜାର, ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପାଇଁ ୧ କୋଟି ୬୮ଲକ୍ଷ, ଅଠରନଳା ସୌନ୍ଦର୍ଯ୍ୟକରଣ ପାଇଁ ୫ କୋଟି, ଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ପାଇଁ ୬ କୋଟି ୫୭ ଲକ୍ଷ ୮୬ ହଜାର, ବଡ ଓଡ଼ିଆ ଓ ଗଙ୍ଗାମାତା ମଠ ପାଇଁ ୧ କୋଟି ୮୨ ଲକ୍ଷ, ବାଙ୍କୀ ମୁହାଣ ପାର୍କ ପାଇଁ ୩ କୋଟି ୮୪ ଲକ୍ଷ ଟଙ୍କା ଦିଆଯାଇଛି। ଏହି ସମସ୍ତ ପ୍ରକଳ୍ପରୁ ଅଧା ପ୍ରକଳ୍ପ ଆରମ୍ଭ ହୋଇନାହିଁ। ଆଉ ଯେତିକି ପ୍ରକଳ୍ପର କାମ ଆରମ୍ଭ ହୋଇଛି, ତାର ୩୦ ପ୍ରତିଶତ କାମ ହୋଇନାହିଁ। ଯୋଜନାର ଅବଧି ସରିଯାଇଥିଲେ ବି କାର୍ଯ୍ୟ ସମ୍ପୂର୍ଣ୍ଣ ନ ହୋଇ ପାରିବା ପ୍ରଶାସନିକ ଅପାରଗତାର ଜ୍ବଳନ୍ତ ଦୃଷ୍ଟାନ୍ତ।
ଅମୃତ ଯୋଜନା
୨୦୧୫ରେ ପୁରୀ ସହରରେ ଅମୃତ (ଅଟଳ ମିସନ୍ ଫର୍ ରିଜୁଭେନସନ୍ ଆଣ୍ଡ ଅର୍ବାନ୍ ଟ୍ରାନ୍ସଫର୍ମେସନ) ଯୋଜନାରେ ୩୫୨ କୋଟି ୯୪ ଲକ୍ଷ ଟଙ୍କାର ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଥିଲା। ୨୦୧୫-୨୦୨୦ ମଧ୍ୟରେ ସ୍ବେରେଜ, ପାନୀୟ ଜଳ ଓ ୩ଟି ପାର୍କ ନିର୍ମାଣ ପାଇଁ ଏଥିରେ ବ୍ୟବସ୍ଥା ହୋଇଥିଲା। ସର୍ବୋଦୟନଗର ପାର୍କ ପାଇଁ ୨୪ ଲକ୍ଷ, ଢିପ ଜାଗା ପାର୍କ ପାଇଁ ୨୦ ଲକ୍ଷ, ଶ୍ରୀକ୍ଷେତ୍ର କଲୋନିଠାରେ ନୂତନ ପାର୍କ ନିର୍ମାଣ ପାଇଁ ୨୨ ଲକ୍ଷ, ମାରୁତି ନଗର ପାର୍କ ପାଇଁ ୩୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ମାତ୍ର ଏହି ସବୁ ପାର୍କରେ ଏବେ ତାଲା ଝୁଲୁଛି। ବଳିଆପଣ୍ଡା ପାର୍କ ପାଇଁ ୭ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ଅଦ୍ୟାବଧି ଏହାର କାମ ଆରମ୍ଭ ହୋଇନାହିଁ। ୬୧ଟି ବସ୍ତି ଓ ୱାର୍ଡକୁ ଜଳ ଯୋଗାଣ ପାଇଁ ହୋଇଥିବା ୨୦ କୋଟି ଟଙ୍କାର ଯୋଜନା ବି ଅଟକି ରହିଛି।
ପ୍ରସାଦ ଯୋଜନା
୨୦୧୫ ମସିହାରେ କେନ୍ଦ୍ର ସରକାର ପ୍ରସାଦ (ପିଲିଗ୍ରିମେଜ୍ ରେଜୁଭେନସନ୍ ଆଣ୍ଡ ସ୍ପିରିଚୁଆଲ୍ ହେରିଟେଜ୍ ଆଗୁମେଣ୍ଟସନ୍ ଡ୍ରାଇଭ୍) ଯୋଜନାରେ ପୁରୀ ପାଇଁ ୫୦ କୋଟି ଟଙ୍କା ଦେଇଥିଲେ। ଏହି ଯୋଜନାରେ ପୁରୁଣା ବଗଲା ଧର୍ମଶାଳାକୁ ଭଙ୍ଗାଯାଇ ୨୨ କୋଟି ଟଙ୍କା ବ୍ୟୟରେ ଏକ ତିନି ମହଲା କୋଠା ନିର୍ମାଣ କରାଯିବା ପାଇଁ ବ୍ୟବସ୍ଥା ହୋଇଥିଲା। ଏହାର ନାମ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳ ରଖିବାକୁ ସ୍ଥିର ହୋଇଥିଲା। କିନ୍ତୁ ଏହାର ନିର୍ମାଣ କାମ ୪ ବର୍ଷ ପରେ ବି ଆରମ୍ଭ ହୋଇ ପାରିନାହିଁ। କେବଳ ପୁରୁଣା ଧର୍ମଶାଳାକୁ ଭାଙ୍ଗି ଦିଆଯାଇ ଅଧପନ୍ତରିଆ ଭାବେ ପକାଇ ଦିଆଯାଇଛି। ଭାରତ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି) ଦ୍ବାରା ପରିଚାଳିତ ଏହି ଯୋଜନାରେ କୌଣସି ଗୋଟିଏ କାମ ହୋଇନାହିଁ। ଏହାଛଡା ଏହି ଯୋଜନାରେ ହେବାକୁ ଥିବା ଶ୍ରୀଗୁଣ୍ଡିଚା ମନ୍ଦିରର ଲ୍ୟାଣ୍ଡସ୍କେପ୍, ଦିଗବାରେଣୀ ନିକଟରେ ବହୁ ତଳ ପାର୍କିଂ ବ୍ୟବସ୍ଥା ବି ସାକାର ରୂପ ନେଇପାରିନି। ସେ ପଟେ ଅବଧି ସରିଯାଉଥିବାରୁ କେନ୍ଦ୍ର ସରକାର ଦେଇଥିବା ଅନୁଦାନର ବିନିଯୋଗ ପ୍ରମାଣପତ୍ର (ୟୁସି) ମାଗି ମାଗି ଥକିଗଲେଣି।
ଅବଢା ଯୋଜନା
ରାଜ୍ୟ ସରକାରଙ୍କ ଅବଢା ଯୋଜନା (ଆଗୁମେଣ୍ଟସନ ଅଫ୍ ବେସିକ୍ ଆମେନିଟିଜ୍ ଆଣ୍ଡ ଡେଭଲପ୍ମେଣ୍ଟ ହେରିଟେଜ୍ ଆର୍କିଟେକଚର୍) ୨୦୧୭-୧୮ରେ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାର ଏହି ଯୋଜନାରେ ୧୦୦ କୋଟି ଟଙ୍କା ଦେଇଥିବା ବେଳେ ଏଥି ମଧ୍ୟରୁ ୩୯ କୋଟି ଟଙ୍କା ବ୍ୟୟରେ ହବିଷ୍ୟାଳି କେନ୍ଦ୍ର, ବୀରହରେକୃଷ୍ଣପୁର ଛକଠାରୁ ସୁବାଷ ବୋଷ ଛକ ଯାଏ ୪ଥାକିଆ ରାସ୍ତା ଓ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ବ୍ୟୟବରାଦ ହୋଇଥିଲା। ସରକାରଙ୍କ ଏହି ସମସ୍ତ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡିରହିଛି। ଏବେ ପୁଣି ଥରେ ସରକାର ଏହି ଯୋଜନାରେ ୨୬୫ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଅପରପକ୍ଷେ କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ପ୍ରକଳ୍ପ ଅଧୀନରେ ନାଲ୍କୋ ସହାୟତାରେ ଆରମ୍ଭ ହୋଇଥିବା ଆଇକନିକି ସିଟି ଯୋଜନା କରାଯାଇଥିଲା। ଏଥିରେ ଶ୍ରୀମନ୍ଦିର ଓ ପୁରୀ ସହରକୁ ସାମିଲ କରାଯାଇଛି। ନାଲ୍କୋ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରି ଏହି ମହତ ପ୍ରକଳ୍ପକୁ ଆଗେଇ ନେବାକୁ ଉଦ୍ୟମ କରୁଥିବା ବେଳେ ପ୍ରଶାସନିକ ସହଯୋଗ ମିଳୁନଥିବାରୁ କାମ ଆଗେଇପାରୁନି। ଏହି ଯୋଜନାରେ ପୁରୀ ସହରର ୪୩ଟି ଐତିହ୍ୟସ୍ଥଳୀକୁ ଚିହ୍ନଟ କରି ହରିଟେଜ୍ କରିଡର ନିର୍ମାଣ ପାଇଁ ଯୋଜନା ହୋଇଥିଲା। ମାତ୍ର ସେ କାମ ବି ଧିମେଇଛି। ପୁରୀ ସହରରୁ ବର୍ଷାଜଳ ନିଷ୍କାସନ ପାଇଁ ୧୮୨ କୋଟି ଟଙ୍କା ବ୍ୟୟରେ ଡ୍ରେନେଜ୍ ବ୍ୟବସ୍ଥା କରାଯାଇଥିଲା। ଡ୍ରେନେଜ୍ରେ ୧୦୦ କୋଟି ଓ ସ୍ବେରେଜରେ ୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପୁରୀ ସହରର ଚିତ୍ର ବଦଳି ପାରିନାହିଁ। ଏବେ ବି ସହରରେ ଜଳବନ୍ଦୀ ସମସ୍ୟା ଲାଗି ରହୁଛି। ଅସରାଏ ବର୍ଷାରେ ବଡଦାଣ୍ଡ ଉବୁଟୁବୁ ହେଉଛି।