ଏଣିକି ସରକାରୀ ସ୍କୁଲରେ ପଢ଼ୁଥିବା ସବୁ ପିଲାଙ୍କୁ ମିଳିବ ଜୋତା ଓ ଡ୍ରେସ୍‌, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ମିଳିବ ପରିଚୟପତ୍ର, ମ୍ୟାଟ୍‌ରେ ବସିବେ ଛାତ୍ରଛାତ୍ରୀ

ଭୁବନେଶ୍ବର : ଏଣିକି ସରକାରୀ ସ୍କୁଲରେ ପଢ଼ୁଥିବା ସବୁ ପିଲାଙ୍କୁ ମିଳିବ ଜୋତା ଓ ଡ୍ରେସ। ଏହାବ୍ୟତୀତ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ। ଆସନ୍ତା ଶିକ୍ଷାବର୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ଜୋତା-ଡ୍ରେସ୍‌ ମିଳିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ପୂର୍ବରୁ କେବଳ ବିପିଏଲ ପରିବାର ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦିଆଯାଉଥିବା ବେଳେ ଏବେ ସମସ୍ତ ପିଲାଙ୍କୁ ଡ୍ରେସ ଓ ଜୋତା ମିଳିବ। ଏହାଛଡ଼ା ଛାତ୍ରଛାତ୍ରୀ ତଳେ ବସିବା ବଦଳରେ ସ୍କୁଲରେ ଥିବା ମ୍ୟାଟ୍ ବ୍ୟବହାର କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି।

ତେବେ ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସସ୍ମିତା ମାଳି ଗତ ମାସ ୨୧ ତାରିଖରେ ବିଏମ୍‌ସି ଓ ଭୁବନେଶ୍ବର ବ୍ଲକ ଅଧୀନ ସ୍କୁଲର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ ଚିଠି ଲେଖି ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ୪ଟା ୩୦ ପର୍ଯ୍ୟନ୍ତ କ୍ଲାସ ହେବ ବୋଲି କହିଥିଲେ। ଏଥିରେ ଉଲ୍ଲେଖ କରିଥିଲେ ଯେ ଶିକ୍ଷକ, ଶିକ୍ଷୟିତ୍ରୀ ସକାଳ ୯ଟା ୩୦ରେ ଆସିବେ ଓ ଅପରାହ୍ନ ସାଢ଼େ ୪ଟାରେ ସ୍କୁଲ ଛାଡ଼ିବେ। ପ୍ରତି ବିଦ୍ୟାଳୟରେ ପାଣି ଫିଲ୍‌ଟର ରହିବା ବାଧ୍ୟତାମୂଳକ। ପ୍ରତି କ୍ଲାସରୁମ୍‌ରେ ମ୍ୟାଟ୍‌ ବ୍ୟବହାର ହେବ। ଯଦି କୌଣସି ଅଭିଭ‌ାବକ ସେମାନଙ୍କ ଛାତ୍ରଛାତ୍ରୀଙ୍କୁ କ୍ଲାସ ଅଧାରୁ ନିଅନ୍ତି ତେବେ ଏଥିପାଇଁ ନିୟମିତ ଭାବେ ରେଜିଷ୍ଟାର ପରିଚାଳନା କରାଯିବ। ଯେତେବେଳେ କୌଣସି ଉପରିସ୍ଥ ଅଧିକାରୀ ସ୍କୁଲକୁ ଆସିବେ ସେତେବେଳେ ଏହାକୁ ଦେଖାଇବା ଆବଶ୍ୟକ। ମଧ୍ୟାହ୍ନଭୋଜନ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ତାହାର ଠିକ୍‌ ପରିଚାଳନା କରିବାକୁ କୁହାଯାଇଛି। ସ୍କୁଲ ସମୟରେ କୌଣସି ଶିକ୍ଷକଶିକ୍ଷୟିତ୍ରୀ ଅଫିସ୍‌କୁ ଆସିପାରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

ତେବେ ଏନେଇ ବିରୋଧ ହେବା ପରେ ଆଜି ବିଇଓ ଶ୍ରୀମତୀ ମାଳି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ପୂର୍ବ ଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ଯାଏ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ। ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ପୂର୍ବଭଳି ସ୍କୁଲର ସମୟସୀମା ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ରହିଛି। କୌଣସି ପରିବର୍ତନ କରାଯାଇ ନାହିଁ।

ସମ୍ବନ୍ଧିତ ଖବର